
ଭୁବନେଶ୍ୱର,୧୪/୦୧: ପେସା ଥିଲା ଅପରାଧ। କିନ୍ତୁ ନିଶା ହେଲା ରୋମିଓଗିରି । ନୂଆ ନୂଆ ଯୁବତୀଙ୍କୁ ପ୍ରେମଜାଲରେ ଫସାଇବା ଥିଲା ସଉକ। ଆଉ ଏହି ସଉକ ପୂରଣ କରିବାକୁ ଗାର୍ଲଫ୍ରେଣ୍ଡମାନଙ୍କୁ ଦେଉଥିଲା ଦାମୀ ଉପହାର। ଏହି ଉପହାର କିଣା ହେଉଥିଲା ଲୁଟ୍ ଟଙ୍କାରେ। ଜଣେ କି ଦୁଇ ଜଣ ନୁହେଁ ୨୫ ଜଣ ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କ ରଖିଥିଲା ରୋମିଓ ନାରାୟଣ ।
୨୦୨୦ ଜୁଲାଇ ୨୬ରେ ଆଇଆରସି ଭିଲେଜ ଏନ୍-୪/୨୬୩ରେ ରହୁଥିବା ଚକ୍ରପାଣି ମିଶ୍ରଙ୍କ ପତ୍ନୀ ତୁଳସୀଙ୍କୁ କିଛି ଲୁଟେରା କଟୁରୀରେ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ହତ୍ୟା ଅଭିଯୁକ୍ତ ତଥା ପେସାଦାର ଅପରାଧୀ ନାରାୟଣ ମହାନ୍ତି ଓରଫ୍ ନାରଣ ଓରଫ୍ ‘ନାରୁ’ ସମ୍ପର୍କରେ ଜାଣିଛି ପୁଲିସ୍ । ନାରୁର ଅପରାଧ ସହ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣି ପୁଲିସର ହୋସ୍ ଉଡି଼ ଯାଇଛି ।
ନିରୀହ ଲୋକଙ୍କୁ ଲୁଟିବା ଥିଲା ନାରାୟଣର ପେସା। ଲୁଟ୍ ସୁନା ଚେନ୍, ମୁଦି, ମୋବାଇଲ୍ ଯୁବତୀମାନଙ୍କୁ ଗିଫ୍ଟ ଦେଉଥିଲା। ଆଉ ପ୍ରେମ ଜାଲରେ ଫସାଉଥଲା। ଏମିତିକି କିଛି ପ୍ରେମିକାଙ୍କୁ ଅପରାଧ ଜଗତରେ ପଶିବାର ତରିକା ବି ଶିଖାଉଥିଲା। ପ୍ରେମୀ ନମ୍ବର-୧ ସାଜିଥିବା ନାରଣର ଏମିତି ‘ଲଭ୍ ହିଷ୍ଟ୍ରି’ ଦେଖି ପୁଲିସ୍ ତାଜୁବ୍ ହୋଇଛି।
ଏହାବାଦ୍ ରିମାଣ୍ଡ ବେଳେ ପୁଲିସ୍ ନାରଣର କ୍ରାଇମ୍ ହିଷ୍ଟ୍ରି ଉଣ୍ଡାଳିଛି । ଗଞ୍ଜାମ ପୋଲସରାରୁ ପ୍ରଥମେ ଭୁବନେଶ୍ୱର ଆସିବା ବେଳେ ପେପର ହକ୍ର ଥିଲା । ମାଷ୍ଟରକ୍ୟାଣ୍ଟିନରେ ସେ ପ୍ରଥମେ ଚା’ ଦୋକାନ ଖଣ୍ଡେ ଖୋଲିଥିଲା । ଏକ ସାଧାରଣ ଜୀବନରୁ ଅପରାଧର ଦୁନିଆରେ କେମିତି ପାଦ ଥାପିଲା? କେମିତି ଡ୍ରଗ୍ସ ସାମ୍ରାଜ୍ୟରେ ଧସେଇ ପଶିଲା? ମାଳିସାହିରେ କେତେଦିନ ସେକ୍ସ ର୍ୟାକେଟ୍ ଚଳାଉଥିଲା? ଏଯାଏଁ କେତେ ଜଣଙ୍କୁ ଲୁଟ୍ କରିଛି? ଏସବୁର ପୂରା ରିପୋର୍ଟ କାର୍ଡ ସେ ପୁଲିସ ସାମ୍ନାରେ ରଖିଛି ।
ପୁଲିସ ତାକୁ କୋର୍ଟଚାଲାଣ କରିଛି । ପୂର୍ବରୁ ଅଟକ ରଖିଥିବା ଯାଜପୁର ପ୍ରେମିକାକୁ ପଚରାଉଚରା ଚଳାଇଛି । ତା’ଠାରୁ ପୁଲିସକୁ ନାରଣର ଅପରାଧ ଜଗତ ସମ୍ପର୍କରେ କିଛି ତଥ୍ୟ ମିଳିଛି । ପାଖାପାଖି ୨୬ଟି ଅପରାଧ ମାମଲାରେ ସମ୍ପୃକ୍ତ ଥିବା ସୁରାକ୍ ପାଇଛି । ଏସବୁର ତଥ୍ୟ ଗୋଟାଉଛି । ଏହାବାଦ୍ ପୁଲିସ୍ ହତ୍ୟା ମାମଲା ସମ୍ପର୍କରେ ପାଇଥିବା ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ତଦନ୍ତର ଦିଗକୁ ଆଗେଇଛି । ମାମଲା ସମ୍ପର୍କିତ ଚାର୍ଜ ସିଟ୍ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରିଛି ।
ତୁଳସୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବା କମିଶନରେଟ୍ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଏକ ଲୁଟ୍ ମାମଲାରେ ଗିରଫ ହୋଇଥିବା ନାରଣ ମଧ୍ୟ ପୁଲିସ ଆଗରେ କିଛି କହି ନଥିଲା । ଜେଲ୍ରେ ଜଣେ ଅନ୍ତେବାସୀଙ୍କୁ ବାହାସ୍ଫୋଟ ମାରି ନୂଆପଲ୍ଲୀ ହତ୍ୟାକାଣ୍ଡର କାହାଣୀ ବଖାଣିଥିଲା । କିନ୍ତୁ ସେହି ଅନ୍ତେବାସୀ ସ୍ପେଶାଲ ସ୍କ୍ୱାଡ୍ର ଖବରି ଥିଲା । ସ୍ପେଶାଲ ସ୍କ୍ୱାଡ୍ ପର୍ଯ୍ୟାୟକ୍ରମେ ଗଞ୍ଜାମର ଦୁର୍ଦ୍ଦାନ୍ତ ଲୁଟେରା ନିରଞ୍ଜନ ମହାନ୍ତି ଓ ତା’ ସଂପର୍କୀୟ ଭଣଜା ବାବୁ ଓରଫ ସାଗର ପ୍ରଧାନ ସହ ନାରଣକୁ ଗିରଫ କରିଥିଲା ।