ପୁଲଓ୍ବାମା ଆକ୍ରମଣର ପ୍ରମାଣ ଦିଅ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ: ମୋଦିଙ୍କୁ କହିଲେ ଇମ୍ରାନ୍ ଖାଁ

ଇସଲାମାବାଦ୍,୨୫।୨: ‘ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ’ ବୋଲି ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ନୂଆଦିଳ୍ଲୀ ଯଦି ପୁଲଓ୍ବାମା ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ସୂଚନା ଇସଲାମାବାଦକୁ ଦେଇପାରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଇମ୍ରାନ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ରିଲିଜ୍ ହୋଇଥିବା ଏକ ବିବୃତିରେ ଏକଥା କୁହାଯାଇଛି। ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଛି। ପୂର୍ବରୁ ଫେବ୍ରୁଆରି ୧୯ ତାରିଖ ଦିନ ଇମ୍ରାନ୍ ଖାଁ କହିଥିଲେ କି, ଇସ୍ଲାମାବାଦକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପ୍ରମାଣ ଦେଲେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାର ଉତ୍ତର ଦେଇ ଭାରତ କହିଥିଲା, ଜୈଶ୍-ଏ-ମହମ୍ମଦ୍ ଏବଂ ତା’ର ନେତା ମାସୁଦ ଅଝାର ପାକିସ୍ତାନରେ ଥିବା କଥା ସମସ୍ତେ ଜାଣନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଲାଗି ଏହା ଯଥେଷ୍ଟ।
ରବିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ୍ କୁରେଶି କହିଛନ୍ତି ଯେ ଇସ୍ଲାମାବାଦ ଶାନ୍ତି ଚାହେଁ, କିନ୍ତୁ ଭାରତ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି। ଉତ୍ତେଜନା ପ୍ରଶମନ ଲାଗି ପାକିସ୍ତାନ ଚାହୁଁଛି ବୋଲି ଜାତିସଂଘକୁ ଲେଖି ଜଣାଇଛି।