ବିଜୟରୁ ଭାରତର ଅଭିଯାନ: ଗୋଲ୍ଡ କପ୍‌ ମହିଳା ଫୁଟବଲ୍‌, ୧-୦ ଗୋଲ୍‌ରେ ଇରାନକୁ ହରାଇଲା, ନେପାଳ ୦-୩ ମ୍ୟାଁମାର

ଭୁବନେଶ୍ୱର, ୯ ।୨ (ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଗୋଲ୍ଡ କପ୍‌ ମହିଳା ଫୁଟବଲ୍‌ । ୪ଟି ଦଳକୁ ନେଇ ଆୟୋଜିତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆଜି ମ୍ୟାଁମାର ୩-୦ ଗୋଲ୍‌ରେ ନେପାଳକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ଭାରତ ୧-୦ ଗୋଲ୍‌ରେ ଇରାନକୁ ପରାସ୍ତ କରିଛି । ୪୮ତମ ମିନିଟ୍‌ରେ ଅଞ୍ଜୁ ତମାଙ୍ଗ ଭାରତ ପାଇଁ ବିଜୟୀ ଗୋଲ୍‌ ସ୍କୋର କରିଥିଲେ ।
ଭାରତ ୧-୦ ଇରାନ: ଭ୍ରମଣକାରୀ ଇରାନ ଫିଫା ମାନ୍ୟତା ତାଲିକାରେ ଭାରତଠୁ ୨ଟି ସ୍ଥାନ ଉପରେ ରହିଛି । ତଥାପି ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ଆଜି ଚମତ୍କାର ପ୍ରଦର୍ଶନ କରି ଇରାନକୁ ହରାଇବାରେ ସଫଳ ହୋଇଛି । ଖେଳର ପ୍ରଥମାର୍ଦ୍ଧ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ତେଣୁ ଏହି ଭାଗରେ କେହି ଗୋଲ୍‌ ଖାତା ଖୋଲି ପାରି ନଥିଲେ ।
ଦ୍ୱିତୀୟାର୍ଦ୍ଧରେ ଘରୋଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ଯାହାକୁ ପ୍ରତିହତ କରିବାରେ ଇରାନ ହଠାତ ଦ୍ୱନ୍ଦ୍ୱରେ ପଡ଼ିଯାଇ ଥିଲା । ଫଳରେ ୪୮ତମ ମିନିଟରେ ଅଞ୍ଜୁ ଏକ ଚମତ୍କାର ଫିଲ୍ଡ ଗୋଲ୍‌ ସ୍କୋର କରିଥିଲେ । ଏହି ଗୋଲ୍‌ ସହ ଭାରତ ଅଗ୍ରଣୀ ଲାଭ କରିଥିଲା । ପରବର୍ତ୍ତୀ ସମୟରେ ଇରାନ ଗୋଲ ପରିଶୋଧ କରିବା ନେଇ ବହୁ ପ୍ରୟାସ କରିଥିଲା । ହେଲେ ସଫଳ ହୋଇ ପାରି ନଥିଲା । ସେହିପରି ଘରୋଇ ଦଳ ମଧ୍ୟ ଅଧିକ ଗୋଲ୍‌ ସ୍କୋର କରିବା ନେଇ ଉଦ୍ୟମ କରିଥିଲେ ବି ସଫଳ ହୋଇ ପାରି ନଥିଲା । ଏଭଳି ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ଖେଳ ଶେଷ ହୋଇଥିଲା । ଇରାନ ଗୋଲ୍‌ ଖାତା ଖୋଲି ନପାରି ଶେଷରେ ପରାଜିତ ହୋଇଥିଲା ।


ନେପାଳ-ମ୍ୟାଁମାର: ପ୍ରଥମାର୍ଦ୍ଧରେ ମ୍ୟାଚ୍‌ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ଶକ୍ତିଶାଳୀ ମ୍ୟାଁମାର ବିପକ୍ଷରେ ନେପାଳ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା । ମ୍ୟାଁମାର ବାରମ୍ବାର ସୁଯୋଗ ସୃଷ୍ଟି କରି ବିଫଳ ହୋଇଥିଲା । ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗୋଲଶୂନ୍ୟ ଭାବେ ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଥିଲା ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ମ୍ୟାଁମାର ଆରମ୍ଭରୁ ନୂଆ ରଣନୀତି ସହ ଖେଳ ଆରମ୍ଭ ହେବାର କିଛି ସେକେଣ୍ଡ ମଧ୍ୟରେ ଗୋଲ୍‌ ଖାତା ଖୋଲିବାରେ ସଫଳ ହୋଇଥିଲା । ଖିନ ମୋଏ ୱି ଏହି ଗୋଲଟି ସ୍କୋର କରିଥିଲେ । ନେପାଳ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ପ୍ରୟାସ କରିଥିଲା । ମାତ୍ର ୯ ମିନିଟ୍‌ ବ୍ୟବଧାନରେ ଅର୍ଥାତ ୫୪ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ ସ୍କୋର କରି ମ୍ୟାଁମାର ସ୍ଥିତି ଦୃଢ଼ କରିଥିଲା । ୱିନ ଥେଇଜି ଟୁନ ଗୋଲ୍‌ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ ହାସଲ କରିଥିଲେ ।
୨ଟି ଗୋଲ୍‌ ସ୍କୋର କରି ମ୍ୟାଁମାର ବିଜୟ ନିଶ୍ଚିତ କରିଥିଲା । ମାତ୍ର ନେପାଳ ଚାପର ବସବର୍ତ୍ତୀ ହୋଇ ଆଉ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ ନଥିଲା । ୭୭ତମ ମିନିଟ୍‌ରେ ଖିନ ମୋଏ ୱି ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପାଇଁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ । ଫଳରେ ମ୍ୟାଁମାର ୩-୦ ଗୋଲ୍‌ରେ ଆଗୁଆ ରହିଥିଲା । ପରବର୍ତ୍ତୀ ସମୟରେ ଆଉ ମ୍ୟାଚ୍‌ରେ ଗୋଲ୍‌ ସମ୍ଭବ ହୋଇ ନଥିଲା । ଶେଷରେ ନେପାଳ ପରାଜିତ ହୋଇଥିଲା ।