ରେକର୍ଡ ଭାଙ୍ଗିଲା ସୁନା ଦର; ୧୦ ଗ୍ରାମକୁ ୪୦ ହଜାର

ମୁମ୍ବାଇ ୨୭/୮ : ଅନ୍ତର୍ଜାତୀୟ ବଜାରରେ ଉତ୍ସାହ ଏବଂ ଘରୋଇ ବଜାରରେ ଚାହିଦା ବଢ଼ିବା ଫଳରେ ସୋମବାର ସୁନା ଦର ଐତିହାସିକ ସ୍ତର ଛୁଇଁଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ଯୁକ୍ତ ସୁନା ମୂଲ୍ୟରେ ୧୦୦୦ ଟଙ୍କାରୁ ଊଦ୍ଧ୍ୱର୍ ବୃଦ୍ଧି ଘଟିଛି । ଫଳରେ ଏହା ରେକର୍ଡ ୪୦,୦୪୦ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍‌ଯୁକ୍ତ ସୁନା ଦର ୧୦ ଗ୍ରାମ ପିଛା ୪୦,୦୪୦ ଟଙ୍କା ହୋଇଛି, ଯାହାକି ପୂର୍ବ କାରବାର ଦିବସରେ ୩୮,୭୭୦ ଟଙ୍କା ଥିଲା । ଏଠାରେ ଶନିବାର ୨୨ କ୍ୟାରେଟ୍‌ଯୁକ୍ତ ସୁନା ଦର ୩୮,୭୨୦ ଟଙ୍କା ଥିବାବେଳେ ସୋମବାର ୩୯,୮୯୦ ଟଙ୍କା ହୋଇଛି ।

ରୁପା ଦର କିଲୋଗ୍ରାମ ପିଛା ୪୫,୦୧୫ ଟଙ୍କାରୁ ବଢ଼ି ୪୬,୩୮୦ ଟଙ୍କା ହୋଇଥିବା ଜଣାଯାଇଛି । ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ୬୭୫ ଟଙ୍କା ବୃଦ୍ଧି ଘଟି ୩୯,୬୭୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, ଏଠାରେ କିଲୋଗ୍ରାମ ପିଛା ରୁପା ମୂଲ୍ୟରେ ୧୪୫୦ ଟଙ୍କା ବୃଦ୍ଧି ଘଟି ୪୬,୫୫୦ ଟଙ୍କାରେ ପହଞ୍ଚିଛି ।

ଭାରତୀୟ ସୁନା ବ୍ୟବସାୟୀ ସଂଘର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟାଙ୍କ କହିବାନୁଯାୟୀ ଟ୍ରମ୍ପଙ୍କ ଟୁଇଟ୍‌ରେ ହିଁ ସୁନାରେ ଉଛାଳ ଦେଖିବାକୁ ମିଳୁଛି । ତେଣୁ ଦର କେତେବେଳେ ବଢ଼ିବ କେତେବେଳେ କମିବ କହିହେବ ନାହିଁ ।

ଆମେରିକା ଏବଂ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଘନେଇବା ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୁପା ଦର ବଢ଼ୁଛି । ବିଦେଶୀ ବଜାରରେ ଦରବୃଦ୍ଧି ସହ ଘରୋଇ ବଜାର ପ୍ରଭାବିତ ହେଉଛି । ତା’ସହିତ ଆସନ୍ତା ମାସ ବିବାହ ଋତୁ ଥିବାରୁ ବଜାରରେ ଚାହିଦା ରହିଛି । ଏହା ମଧ୍ୟ ଏକ କାରଣ ଯେଉଁଥିପାଇଁ ଏହି ସୁନେଲି ଧାତୁର ଦର ବଢ଼ୁଛି । ଦରବୃଦ୍ଧି ଆଗକୁ ପୂଜା ଋତୁକୁ ଖଇଚା କରିପାରେ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ବିଶ୍ୱ ବଜାରରେ ମାନ୍ଦାବସ୍ଥା ଜାରି ରହିଲେ ଦୀପାବଳି ସୁଦ୍ଧା ସୁନା ଦର ୪୧,୦୦୦ ଡେଇଁବ ବୋଲି ଏମାନେ ଆକଳନ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ବର୍ଷକୁ ହାରାହାରି ୭୦୦ରୁ ୮୦୦ ଟନ୍‌ ସୁନା ବ୍ୟବହାର କରିଥାଏ ।