Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ନୂଆଦିଲ୍ଲୀ ୨୫/୧୧: ଯଦି ଆପଣ ଗୁଗଲ ପେରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ କମ୍ପାନୀ ତରଫରୁ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡା ଯିବ, ଯାହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ ।

ସୂଚନା ଅନୁସାରେ ଏବେ କମ୍ପାନୀ ଏହି ଚାର୍ଜକୁ ନେଇ କୌଣସି ସୂଚନା ସେୟାର କରିନି । ବର୍ତ୍ତମାନ ଗ୍ରାହକ ଗୁଗଲ ପେ ଆପ ଓ pay.google.com ଉଭୟ ପ୍ଲାଟଫର୍ମ ଜରିଆରେ ଟ୍ରାଞ୍ଜାକ୍ସନ କରନ୍ତି । କିନ୍ତୁ ଏବେ ଗୁଗଲ ଏକ ନୋଟିସ୍ ଜାରି କରି ୟୁଜର୍ସଙ୍କୁ ନୋଟିଫାଇ କରିଛି କି ତାର ୱେବ୍ ପେମେଣ୍ଟ ସର୍ଭିସ୍ ଆଗାମୀ ବର୍ଷ ଜାନୁୟାରୀରୁ କାମ କରିବନି ।

9to5Google ର ରିପୋର୍ଟ ଅନୁସାରେ ୨୦୨୧ ର ପ୍ରାରମ୍ଭରେ ୟୁଜର୍ସ pay.google.com ପ୍ଲାଟଫର୍ମରେ ଯାଇ ପଇସା ପଠାଇ ପାରିବେନି କିମ୍ବା ପାଇ ପାରିବେନି । ପଇସା ଟ୍ରାନ୍ସଫର କରିବା ପାଇଁ ସେମାନଙ୍କୁ ଗୁଗଲ ପେ ଆପ ବ୍ୟବହାର କରିବାକୁ ପଡିବ । ଅର୍ଥାତ୍ ଗୁଗଲ ଆଗାମୀ ବର୍ଷରୁ pay.google.com ର ସୁବିଧା ବନ୍ଦ କରିଦେବ । ଏହା ବଦଳରେ ଗୁଗଲ ଏକ ନୂଆ ପେମେଣ୍ଟ ଆପ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛି ।

ଗୁଗଲ ପେରେ ହେଉଛି ବଡ ପରିବର୍ତ୍ତନ
ପେମେଣ୍ଟ ସିଷ୍ଟମରେ ପରିବର୍ତ୍ତନ ପାଇଁ ଗତ ଦିନରେ ଗୁଗଲ ତରଫରୁ ଅନେକ ନୂଆ ଫିଚର୍ସ ଦିଆଯାଇଛି । ଏହି ସମସ୍ତ ଫିଚର୍ସ ଆମେରିକୀୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜରଙ୍କ ପାଇଁ ରୋଲଆଉଟ୍ କରାଯାଇଛି । କମ୍ପାନୀ ଗୁଗଲ ପେର ଲୋଗୋରେ ମଧ୍ୟ ପରିବର୍ତ୍ତନ କରିଛି ।

ଆଗାମୀ ବର୍ଷ ଗୁଗଲ ତରଫରୁ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫରରେ ଚାର୍ଜ ଆଦାୟ କରାଯାଇପାରେ । ଯଦି ଏମିତି ହେବ ତେବେ ଗ୍ରାହକଙ୍କୁ ଏହା ବଡ ଝଟକା । କାରଣ ଆଜିର ତାରିଖରେ ବଡ ସଂଖ୍ୟାରେ ୟୁଜର୍ସ ଏହାକୁ ବ୍ୟବହାର କରନ୍ତି । ଏହା ଜରିଆରେ ପଇସା ନେଣଦେଣ କରନ୍ତି ଗ୍ରାହକ । ତେବେ ଦେଖିବାକୁ ରହିଲା ଏଥିରେ କେତେ ଚାର୍ଜ ଲାଗୁଛି ।