ଫେକ୍ ନ୍ୟୁଜ୍ ରୋକିବା ପାଇଁ ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଦେବ ଗୁଗୁଲ୍, ଓଡ଼ିଆ ସମେତ ୧୦ଟି ଭାଷାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦକ୍ଷ କରାଇବ କମ୍ପାନି

ନୂଆଦିଲ୍ଲୀ,୨୨।୨: ଫେକ୍ ନ୍ୟୁଜର ପ୍ରଚାର ପ୍ରସାରରେ ଲଗାମ ଲଗାଇବା ପାଇଁ ଗୁଗୁଲ୍ ବାରମ୍ବାର ଚେଷ୍ଟା ଚଲାଇଛି। ମାତ୍ର ଅସଫଳ ହେଉଛି।ଆଗକୁ ନିର୍ବାଚନ ଆସୁଛି। ଏହାକୁ ଦୃଷ୍ଟିଟିରେ ରଖି ବିଶ୍ବର ସବୁଠୁ ବଡ଼ ସର୍ଟିଂ କମ୍ପାନି ଗୁଗୁଲ୍ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚିନ୍ତା କରୁଛି। କମ୍ପାନି ଘୋଷଣା କରିଛି କି ଆଗାମୀ ୪୦ ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରର ସାମ୍ବାଦିକଙ୍କୁ ଅନ୍ଲାଇନ୍ ଭେରିଫିକେସନ୍, ଫ୍ୟାକ୍ଟ ଚେକିଂ, ଡିଜିଟାଲ ସୁରକ୍ଷା ଓ ନିରାପତ୍ତା, ୟୁଟ୍ୟୁବ୍ ଏବଂ ଡାଟା ଭିଜୁଆଲାଇଜେସନ୍ ସମ୍ପର୍କରେ ଅଧିକ ଦକ୍ଷ କରାଇବ। ଫଳରେ ନିର୍ବାଚନ ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କମ୍ପାନି ସୂଚନା ଦେଇଛନ୍ତି।

ଫେବ୍ରୁଆରି ୨୬ରୁ ଏପ୍ରିଲ ୭ ମଧ୍ୟରେ ଓଡ଼ିଆ ଭାଷା ସମେତ ୧୦ଟି ଭାଷାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ ଗୁଗୁଲ୍ ଇନିସିଏଟିଭ୍, ଥାର୍ଡ ପାର୍ଟି ସଂସ୍ଥା ଡାଟା ଲିଡ୍ଓ ଏବଂ ଇଣ୍ଟରନିଉଜ୍। ଓଡ଼ିଆ ସମେତ ଇଂରାଜି, ହିନ୍ଦି, ମାଲାୟଲମ୍, ବଙ୍ଗଳା, କାନ୍ନାଡ଼ା, ଗୁଜୁରାଟୀ, ତାମିଲ୍, ତେଲଗୁ ଏବଂ ମରାଠୀ ଭାଷାରେ ଏହି ପ୍ରଶିକ୍ଷଣ ଦିଆଯିବା ପାଇଁ ସ୍ଥିର ହୋଇଛି। ମୋଟ୍ ୩୦ଟି ବଛା ବଛା ସହରର ସାମ୍ବାଦିକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୬ ପରଠାରୁ ଗୁଗୁଲ ୧୩ ହଜାରରୁ ଉର୍ଧ୍ବ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସାରିଛି। ୪୦ଟି ସହର ଓ ୨୦୦ଟି ନିଉଜରୁମରେ ଗୁଗୁଲ ଏହି ପ୍ରଶିକ୍ଷଣ ଦେଇଥିବା ସୂଚନା ରହିଛି। ଚଳିତବର୍ଷ ୧୦ହଜାର ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଦେବ ବୋଲି ଯୋଜନା କରିଛି।