PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ଗୋପାଳପୁର ବନ୍ଦର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ

ବ୍ରହ୍ମପୁର/ଛତ୍ରପୁର, ୨୮ା୨(ବ୍ୟୁରୋ): ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଗୋପାଳପୁର ବନ୍ଦର । ଗୁରୁବାର ୨ଟି ବର୍ଥ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବନ୍ଦର ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ବନ୍ଦର ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୋପାଳପୁର ବନ୍ଦର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହା ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ ବିକାଶରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ୩ଟି ବର୍ଥରେ ଗୋପାଳପୁର ବନ୍ଦରର ପଣ୍ୟ କାରବାର କ୍ଷମତା ବାର୍ଷିକ ୨୦ ମିଲିୟନ୍‌ ଟନ୍‌କୁ ବୃଦ୍ଧି ପାଇଛି । ୮ ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ । ୧୯୬୨ ମସିହାରେ ବିଜୁବାବୁ ପାରଦ୍ୱୀପ ବନ୍ଦର ନିର୍ମାଣ କରିଥିଲେ । ଆଜି ପାରାଦ୍ୱୀପ ସମେତ ଧାମରା, ସୁବର୍ଣ୍ଣରେଖା ଓ ଗୋପାଳପୁର ବନ୍ଦର ଓଡ଼ିଶାର ଭାବେ ଗୌରବ । ଏହି ସବୁ ବନ୍ଦରଗୁଡିକ ଭିତ୍ତିଭୂମିର ଏକ ମୋତିମାଳା ଭଳି ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ଏକ ନୂଆ ପରିଚୟ ଦେବ । ବନ୍ଦରକୁ ପର୍ଯ୍ୟଟନ ଏବଂ ଶିଳ୍ପାୟନ ସହିତ ଯୋଡ଼ା ଯିବ । ଗୋପାଳପୁର ବନ୍ଦର ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଏଥିପାଇଁ ସାପୁରଜୀ ଏବଂ ପାଲୁନଜୀ କମ୍ପାନିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଗୋପାଳପୁର ବନ୍ଦର ଭାରତର ପୂର୍ବତଟ ପଣ୍ୟ କାରବାରରେ ଏକ ଅଦ୍ଭୁତପୂର୍ବ ଆନ୍ଦୋଳନ ଆଣିବ । ବନ୍ଦରର ବିକାଶ ଗଞ୍ଜାମ ଜିଲାକୁ ଅର୍ଥନୈତିକ ଲାଭ ପ୍ରଦାନ କରିବା ସହ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ.ନୃସିଂହ ଚରଣ ସାହୁ କହିଥିଲେ, ଗୋପାଳପୁର ବନ୍ଦର ପିପିପି ମୋଡରେ ହୋଇଥିବାରୁ ସମଗ୍ର ଭାରତ ବର୍ଷରେ ଏହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଏହି ବନ୍ଦର ଦ୍ୱାରା ସିଏସଆର ମାଧ୍ୟମରେ କାର୍ଯ୍ୟ କରାଯାଇ ଆଞ୍ଚଳିକ ବିକାଶ ହେବ । ଗୋପାଳପୁର ବନ୍ଦର ଗଭୀର ହୋଇଥିବାରୁ ଏହା ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ସୁଫଳ ମିଳିବ । ରାଜ୍ୟ ଓ ଜିଲ୍ଲାର ଅର୍ଥନୈତିକ ଅଗ୍ରଗତି ହେବ ।
ସାପୁରଜି ଏବଂ ପାଲୁନଜି ଗ୍ରୁପ ଅଫ୍‌ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ ସ୍ୱାଗତ ଭାଷଣ ଓ ବନ୍ଦର ସମ୍ପର୍କରେ ସୂଚନା ଦେଇ କହିଥିଲେ, ୧୯୮୬ରୁ ସାମୟିକ କ୍ଷୁଦ୍ର ବନ୍ଦର ଭାବେ ସରକାର ପରିଚାଳନା କରୁଥିଲେ । ସରକାରୀ ଓ ଘରୋଇ ସହଭାଗିତାରେ ୧୪ ସେପ୍ଟମ୍ବର ୨୦୧୬ରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ଗୋପାଳପୁର ପୋର୍ଟ ଲିମିଟେଡ୍‌ ଗଠନ ହୋଇଥିଲା । ୨୦୧୭ରେ ସାପୁରଜୀ ଏବଂ ପାଲୁନଜୀ ଏହି ବନ୍ଦରର ପରିଚଳନା ଦାୟିତ୍ୱ ହାତକୁ ନେବା ସହ ୨ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ବିନିଯୋଗ କରି ସମ୍ପ୍ରସାରଣ କରୁଛନ୍ତି । ରାଜ୍ୟ ସରକାର ୩୯୩.୬୭୦ ଏକର ଜମି ଯୋଗାଇଛନ୍ତି । ବନ୍ଦର ସମ୍ପ୍ରସାରଣ ପାଇଁ ୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଥିବା ବନ୍ଦର ସିଇଓ କ୍ୟାପେଟ୍‌ନ ସନ୍ଦୀପ ଅଗ୍ରୱାଲା କହିଛନ୍ତି । ୨୦୨୫ ସୁଦ୍ଧା ଏହି କମ୍ପାନି ବନ୍ଦର ପଣ୍ୟ କାରବାର କ୍ଷମତା ୫୫ ମିଲିୟନ ମେଟ୍ରିକ୍‌ ଟନ କରିବା ଲକ୍ଷ୍ୟ ରଖିଛି ।
୨୦୦୯ ପରଠୁ ରାଜ୍ୟ ସରକାର ଗୋପାଳପୁର ପୋର୍ଟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ନିଯୁକ୍ତି ପାଇଁ ଆଜି ରାସ୍ତା ଖୋଲିଯାଇଛି ବୋଲି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ବହୁ ଦିନପରେ ସାମୟିକ ବନ୍ଦର ଆଜି ପୂର୍ଣ୍ଣାଙ୍ଗ ବନ୍ଦରରେ ପରିଣତ ହୋଇଛି ବୋଲି କହିଥିଲେ ବିଧାୟକ ଡା.ପ୍ରଦୀପ ପାଣିଗ୍ରାହି । ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ବାଣିଜ୍ୟ ଓ ପରିବହନ କମିଶନର ଆଇ. ଶ୍ରୀନିବାସ ମଞ୍ଚାସୀନ ଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦର ବର୍ଥ ପରିସରରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ବନ୍ଦର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଜାହାଜରେ ଥିବା କର୍ମଚାରୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ବନ୍ଦର ଲୋକାର୍ପଣ କରିଥିଲେ । ଏହା ପରେ ସଭାସ୍ଥଳରେ ପହଞ୍ଚିଥିଲେ । ବନ୍ଦର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ, ସନ୍ଦୀପ ଅଗ୍ରୱାଲ ସ୍ୱାଗତ ଜଣାଇଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଡ଼ ଗସ୍ତ କରି ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସାନଖେମୁଣ୍ଡି ଠାରେ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକ୍‌ ପାଇଁ ୧୪ଟି ପାନୀୟ ଜଳପ୍ରକଳ୍ପ, ଧରାକୋଟରେ ଡିଗ୍ରୀ କଲେଜର ଶିଳାନ୍ୟାସ କରିଥିଲେ । ଶେଷରେ ଗଜପତି ଜିଲ୍ଲା ଗସ୍ତ କରି ୪୮.୮୪ କୋଟି ଟଙ୍କାର ୫୭ ପ୍ରକଳ୍ପ ଉଦ୍‌ଘାଟନ ସହ ୫୮୨.୪୦ କୋଟି ଟଙ୍କାର ୭୮୩ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଚାଷୀ, ମହିଳା ଓ ଯୁବ ସମାଜର ଉନ୍ନତି ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ- ଜନଜାତି ବର୍ଗର ଲୋକଙ୍କ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ଲଢ଼େଇ କରିବେ । କାଳିଆ ଯୋଜନା ବନ୍ଦ ହୋଇଯିବ କିମ୍ବା ଟଙ୍କା ଫେରାଇବାକୁ ପଡ଼ିବ ବୋଲି ଚାଲିଥିବା ଅପପ୍ରଚାର ମିଛ । ଏହା ଚାଷୀମାନଙ୍କ ହକ୍‌, ଏହାକୁ ସେମାନେ ଚାଷ କାମରେ ଲଗାଇବେ । ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।