ରବିବାର ଏମିତି ଖୋଲିଲା ସରକାରୀ କାର୍ଯ୍ୟାଳୟ; ଅଫିସ୍‌ ଖୋଲା…ଚୌକି ଖାଲି…

କଟକ,୧୨ା୫(ବ୍ୟୁରୋ): ବାତ୍ୟା ବିପତ୍ତି ଦୂର ହୋଇନି । ଏବେ ବି ଏମିତି କିଛି ଅଞ୍ଚଳ ରହିଯାଇଛି ଯେଉଁଠି ପାନୀୟଜଳ ଓ ବିଦ୍ୟୁତ ସେବା ଅପହଞ୍ଚ ରହିଛି । ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଛୁଟିକୁ ବାତିଲ୍‌ କରାଯାଇଥିଲା । ଦ୍ୱିତୀୟ ଶନିବାର ଓ ରବିବାର ସବୁ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କରିବେ ବୋଲି ନୋଟିସ୍‌ କରାଯାଇଥିଲା । ସରକାରଙ୍କ ନିଷ୍ପତ୍ତିକୁ କେତେଦୂର କାର୍ଯ୍ୟକାରୀ କରାଯାଇଛି, ସେନେଇ ଆଜି ଏକ ରାଉଣ୍ଡ୍‌ ଭିଜିଟ୍‌ କରାଯାଇଥିଲା । ଯେଉଁଥିରେ ପ୍ରାୟ ସରକାରୀ କାର୍ଯ୍ୟାଳୟ ଖୋଲାଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଅସଲ କଥାଟି କିଛି ଅଲଗା । କାର୍ଯ୍ୟାଳୟ ଖୋଲା ଥିଲା ହେଲେ ସେଠି ପ୍ରାୟ ଅଧିକାଂଶ ଅଧିକାରୀ ଅନୁପସ୍ଥିତ ଥିଲେ । କେଉଁଠି ଖୋଲା ରୁମ୍‌ ଭିତରେ ଟେବୁଲ ଚେୟାର ଫ୍ୟାନ୍‌ ପବନ ଖାଉଥିଲା ତ’ କେଉଁଠି ଜଣେ ଦି’ଜଣ କର୍ମଚାରୀ ଉପରକୁ ଚାହିଁ ବସିଥିଲେ । କିଛି ଅଫିସ୍‌ ଖାଁ ଖାଁ ଲାଗୁଥିଲା । ଟିକେ ଦୂରରେ ଥିବା ଅଫିସରେ ତ କେହି ବି ଦେଖିବାକୁ ମିଳିନଥିଲେ ।

ପ୍ରଥମ ଦଫାରେ ଜିଲ୍ଲା ପ୍ରଶାସନ ଯାଇଥିଲୁ । ସେଠାରେ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ଥିବା ଜରୁରୀକାଳୀନ କକ୍ଷଟି ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା । କିଛି ଅଧିକାରୀ ଓ କର୍ମଚାରୀ ବସି କାମ କରୁଥିଲେ । ତା’ସାଙ୍ଗକୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ବାହାରେ ହାତଗଣତି ଦୁଇ ଚାରି ଜଣ କର୍ମଚାରୀ ଦେଖିବାକୁ ମିଳିଥିଲା । ଏହାପରେ ଜିଲ୍ଲା ପ୍ରଶାସନର ଅନ୍ୟ ସବୁ କାର୍ଯ୍ୟାଳୟ ବୁଲି ଦେଖିବା ବେଳେ ଦୃଶ୍ୟ ବେଶ୍‌ ଆଶ୍ଚର୍ଯ୍ୟଜନକ ଥିଲା । ମଧ୍ୟାହ୍ନ ୧୨ଟା ଟପିଥିଲେ ବି ଅନେକ ଗୁଡିଏ ରୁମ୍‌ରେ ଅଧିକାରୀ ଓ କର୍ମଚାରୀ କେହି ନଥିଲେ । ଯଦିଓ ରୁମ୍‌ ଗୁଡିକ ଖୋଲା ରହି ଲାଇଟ୍‌, ଫ୍ୟାନ୍‌ ଏବଂ ଏସି ଚାଲିଥିଲା କିନ୍ତୁ ସେଠି କାହାରିକୁ ଦେଖିବାକୁ ମିଳିନଥିଲା । ବିଶେଷକରି ସହକାରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଶକ୍ତିକରଣ, ଡିଆଇପିଆର୍‌ଓ ଭଳି ଅନେକ ଗୁଡିଏ କାର୍ଯ୍ୟାଳୟରେ କାହାରି ଦେଖାନଥିଲା । କିଛି ରୁମ୍‌ରେ କର୍ମଚାରୀଙ୍କ ଚେୟାରରେ ଫ୍ୟାନ୍‌ ଲଗାଇ ଡ୍ରେସ୍‌, ପ୍ୟାଣ୍ଟ୍‌ ଶୁଖା ଯାଇଥିବା ବେଳେ ଆଉ କିଛି ରୁମ୍‌ରେ କର୍ମଚାରୀମାନେ ନିଦରେ ଶୋଇ ରହିଥିଲେ ।

ସେହିପରି ସଦର ତହସିଲଦାର କାର୍ଯ୍ୟାଳୟ ଯାଇ ସ୍ଥିତି ପରଖିବା ବେଳକୁ ସେଠାରେ ଦୃଶ୍ୟ ବେଶ୍‌ ଆଶ୍ଚର୍ଯ୍ୟଜନକ ଥିଲା । କାର୍ଯ୍ୟାଳୟର ମୁଖ୍ୟ ଗେଟ୍‌ରେ ବଡ ତାଲା ଝୁଲିଥିବା ବେଳେ ପାଶ୍ୱର୍ ଗେଟ୍‌ରେ ଭିତରକୁ ପ୍ରବେଶ କରି ଦେଖିବା ବେଳକୁ ସେଠାରେ କେହିନଥିଲେ । କିଛି ଶ୍ରମିକ ରିଲିଫ୍‌ ଦିଆଯିବାକୁ ଥିବା ପଲିଥିନ୍‌ ସଜାଡିବା କାର୍ଯ୍ୟରେ ନିୟୋଜିତ ଥିଲେ । ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲା ପଡିଥିଲା । ସୂଚନା ନେବାରୁ ଜଣାପଡିଥିଲା ତହସିଲଦାର ଫିଲ୍ଡ ଭିଜିଟ୍‌ରେ ଯାଇଥିଲେ । କିନ୍ତୁ ଅନ୍ୟ କର୍ମଚାରୀ କାହାନ୍ତି ବୋଲି ପ୍ରଶ୍ନ କରିବାକୁ କାହାରି ପାଖରେ କିଛି ଉତ୍ତର ନଥିଲା ।

ସେହିପରି ଆର୍‌ଡିସି କାର୍ଯ୍ୟାଳୟ ବୁଲି ଦେଖିବା ବେଳେ କାର୍ଯ୍ୟାଳୟ ଚଳଚଞ୍ଚଳ ଥିଲା । ଆର୍‌ଡିସି ସିଏମ୍‌ସି ସମୀକ୍ଷା ବୈଠକ ପାଇଁ ବିଜୁ ଭବନ ଗସ୍ତ କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟାଳୟରେ ବସି ରହିଥିଲେ । ଅନ୍ୟପକ୍ଷରେ ଆର୍‌ଟିଓ କାର୍ଯ୍ୟାଳୟ ମଧ୍ୟ ଖୋଲାଥିଲା । ସ୍ୱାଭାବିକ ଢଙ୍ଗରେ କାର୍ଯ୍ୟ ହେଉଥିଲା । ଯଦିଓ କିଛି କର୍ମଚାରୀ ଅନୁପସ୍ଥିତ ଥିଲେ କିନ୍ତୁ ତାହା ବିଶେଷ ଭାବେ ଜଣାପଡୁନଥିଲା । ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ଖୋଲାରହିଥିବାର ଦେଖିବାକୁ ମିଳିଥିଲା । ତେବେ ଏହାକୁ ଲାଗି ଥିବା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା । ଅଧିକାରୀଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ଝୁଲୁଥିବା ବେଳେ ଆଉ ଗୋଟିଏ ରୁମ୍‌ରେ ଦୁଇଜଣ ବସି କାମ କରୁଥିଲେ । ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ କେହି ଦେଖିବାକୁ ମିଳିନଥିଲାବେଳେ ସିଟି ହସ୍‌ପିଟାଲ୍‌ରେ ପ୍ରଶାସନିକ ଅଧିକାରୀମାନଙ୍କର ଦେଖାଦର୍ଶନ ମିଳିନଥିଲା ।

ସେହିପରି ପରେ ସିଏମ୍‌ସି କାର୍ଯ୍ୟାଳୟ ବୁଲି ଦେଖିବା ବେଳେ ଜଣେ ଡେପୁଟି କମିସନର ଛୁଟିରେ ଥିଲେ । ଯଦିଓ ସେ ଆଜକୁ ପ୍ରାୟ ୬/୭ ଦିନ ଧରି ଛୁଟିରେ ରହିଛନ୍ତି । ସେହିପରି ହେଲ୍‌ଥ ଅଫିସର୍‌ଙ୍କ ଦେଖା ମିଳିନଥିଲା । ତାଙ୍କ ଚାମ୍ବର ଫାଙ୍କା ପଡିଥିଲା । ଇଞ୍ଜିନିୟରିଂ ବିଭାଗ ଖାଁ ଖାଁ ଲାଗୁଥିଲା । ଅନ୍ୟପକ୍ଷରେ କର୍ମଚାରୀ ମାନେ କେହି ନଥିଲେ । ସିଏମ୍‌ସିର ଉଭୟ ବିଜୁ ଭବନ ଓ ବିକାଶ ଭବନ ମିଶି ପ୍ରାୟ ୩ଶହରୁ ଅଧିକ କର୍ମଚାରୀ ଥିଲେ ବି କାର୍ଯ୍ୟାଳୟରେ ପ୍ରାୟ ୫୦ଜଣ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା । କିଛି କର୍ମଚାରୀ ଡିଲର୍‌ ପଏଣ୍ଟରେ ରିଲିଫ୍‌ ଟଙ୍କା ବାଣ୍ଟିବା ଦାୟିତ୍ୱରେ ନିୟୋଜିତ ଥିଲେ ।

ଅନ୍ୟପକ୍ଷରେ ସଦର ବ୍ଲକ୍‌ରେ ପ୍ରାୟ କେହି ଅଧିକାରୀ ନଥିଲେ । ବିଡିଓଙ୍କ ପ୍ରକୋଷ୍ଠ ଖୋଲାଥିଲେ ମଧ୍ୟ ବିଡିଓ ନଥିଲେ । ବିଡିଓ ଖାଇବାକୁ ଯାଇଥିବା ପ୍ରକୋଷ୍ଠ ଜଗିଥିବା କର୍ମଚାରୀଜଣଙ୍କ ଉତ୍ତର ରଖିଥିଲେ । ସହରରେ ଥିବା ଅନ୍ୟାନ୍ୟ ଅଫିସରେ ବି ଊଣା ଅଧିକେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । କିଛି ବରିଷ୍ଠ ଅଧିକାରୀ ରିଲିଫ ବଣ୍ଟନ ଓ ଫିଲ୍ଡ ଭିଜିଟ୍‌ରେ ଥିବା ସୂଚନା ମିଳିଛି । କିନ୍ତୁ ଅନ୍ୟ ସମସ୍ତ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ନରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର