ଆଜି ବସୁଛି କ୍ୟାବିନେଟ୍‌ ବୈଠକ: କାଶ୍ମୀରକୁ ସ୍ୱତନ୍ତ୍ର ପ୍ୟାକେଜ୍‌ ମଞ୍ଜୁରି ନେଇ ସୂଚନା

ନୂଆଦିଲ୍ଲୀ ୨୮/୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ କେନ୍ଦ୍ର ସରକାର ସେଠାରେ ବଡ଼ଧରଣର ପରିବର୍ତ୍ତନ ଆଣିବେ । ୧୦୦ରୁ ଅଧିକ କେନ୍ଦ୍ରୀୟ ଆଇନ ଲାଗୁ କରାଯିବ । ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ସୃଷ୍ଟି ହେବ । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଛି । ବୁଧବାର ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ଏଭଳି ପ୍ୟାକେଜ୍‌କୁ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି ।

ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ଭାବ୍ୟ ହିଂସା କିମ୍ବା ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏବେ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ ଯେଉଁ ରଣନୀତି ତିଆରି କରୁଛି, ତାହାର ଜବାବ ଦେବା ଲାଗି ବୁଧବାର ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି ।

ଜମ୍ମୁ-କାଶ୍ମୀର ଆଉ ରାଜ୍ୟ ବିବେଚିତ ହେଉନାହିଁ । ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି । ଲଦାଖକୁ ମଧ୍ୟ ବିଧାନସଭା ବିହୀନ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି । ତେଣୁ ଏବେ ସେଠାରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନୁହେଁ, ବରଂ ଦେଶର ଅନ୍ୟ ସବୁ ରାଜ୍ୟରେ ପ୍ରଚଳିତ ଆଇନ ଓ ନିୟମକାନୁନ ଲାଗୁ କରାଯିବ । ପାଖାପାଖି ୧୦୬ଟି କେନ୍ଦ୍ରୀୟ ଆଇନ ଏଠାରେ ଲାଗୁ ହେବ । ଚଳିତବର୍ଷ ଅକ୍ଟୋବର ୩୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଅର୍ଥାତ୍‌ ଅକ୍ଟୋବର ୩୦ ଯାଏ ସେଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଆଇନ ଲାଗୁ ହେବ ।

ସୂତ୍ର ମୁତାବକ, ଜମ୍ମୁ-କାଶ୍ମୀରରେ ୧୦୬ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବ୍ୟାପକ ରଣନୀତି ସହ ମୋଟା ଅଙ୍କର ବ୍ୟୟବରାଦ କରିବାକୁ ହେବ । ଖାସ୍‌ ସେଇଥିପାଇଁ ବୁଧବାର କ୍ୟାବିନେଟ୍‌ ବୈଠକରେ ସ୍ୱତନ୍ତ୍ର ପ୍ୟାକେଜ୍‌କୁ ମଞ୍ଜୁରି ଦିଆଯିବ । କିନ୍ତୁ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ହିସାବ କରାଯାଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଅର୍ଥ ବରାଦ ଉପରେ ନିଷ୍ପତ୍ତି ହୋଇନାହିଁ । ବୁଧବାର ଏ ବାବଦ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ଉପସ୍ଥାପନ କରାଯିବ ଏବଂ ଏହାପରେ ପ୍ୟାକେଜ୍‌ ଘୋଷଣା ହେବ ।

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଜମ୍ମୁ-କାଶ୍ମୀରରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ତରଫରୁ ଏକ ହସ୍ପିଟାଲ୍‌ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଛି । ଏହାଦ୍ୱାରା ସେଠାକାର ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏହାଛଡ଼ା ପିଲାମାନଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ପ୍ରଦାନ ଲାଗି ଶିକ୍ଷା ଅଧିକାର ଆଇନ ଲାଗୁ କରାଯିବ । ଏଥିସହ ଆଧାର ଆଇନ ମଧ୍ୟ ଲାଗୁ କରାଯିବ, ଯଦ୍ଦ୍ୱାରା ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସୁଫଳ ମିଳିପାରିବ ।

କାଶ୍ମୀର ଉପରେ ଐତିହାସିକ ନିଷ୍ପତ୍ତି ନେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍‌ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରିବେ । ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ କାଶ୍ମୀର ପ୍ରସଙ୍ଗରେ ସମୀକ୍ଷା ବ୍ୟତୀତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିବ । ପ୍ରଧାନମନ୍ତ୍ରୀ ମୋଦି ୩ଟି ଦେଶ ଗସ୍ତ କରି ମଙ୍ଗଳବାର ଫେରିବା ପରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତମାସ ୫ ତାରିଖରେ ମୋଦି ସରକାର ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ସ୍ଥିତି ନିୟନ୍ତ୍ରଣ ପାଇଁ କେତେକ ସ୍ଥାନରେ କଟକଣା ଲାଗୁ କରାଯାଇଛି । ସ୍ଥିତିକୁ ସ୍ୱାଭାବିକ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବା ଜରୁରି ହୋଇପଡ଼ିଛି । ତେଣୁ ବୁଧବାର ହେବାକୁ ଥିବା ବୈଠକରେ ଏ ବାବଦରେ ତମାମ ନିଷ୍ପତ୍ତି ନିଆଯାଇପାରେ । ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ବ୍ୟତୀତ ଜମ୍ମୁ-କାଶ୍ମୀରରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମଧ୍ୟ ଠୋସ୍‌ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଏହାଛଡ଼ା ଶ୍ରୀନଗରରେ ପ୍ରଥମ ଥର ପାଇଁ ସରକାର ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ନିବେଶକ ସମ୍ମିଳନୀ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ୭୫,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିବ ବୋଲି ଆଶା କରାଯାଉଛି । ତେବେ ଅଗଷ୍ଟ ୫ ତାରିଖର ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ ଯେଉଁ ସ୍ଥିତି ରହିଛି, ତାହାକୁ ନେଇ ସରକାର ସନ୍ତୁଷ୍ଟ ଅଛନ୍ତି । ସବୁଠୁ ବଡ଼ ବିଷୟ ହେଉଛି ଏ ପର୍ଯ୍ୟନ୍ତ ସେଠାରେ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ ।

ଧାରା ୩୭୦ ଉଚ୍ଛେଦ ବାବଦରେ ଭାରତ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ପାକିସ୍ତାନର ଇମ୍ରାନ୍‌ ସରକାର ପାରୁପର୍ଯ୍ୟନ୍ତ ବିଶ୍ୱ ସମୁଦାୟ ନିକଟରେ ନେହୁରା ହେଲା । କିନ୍ତୁ କୌଣସି ଫଳ ମିଳିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୃହତ୍‌ ଅର୍ଥନୀତି ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି । ଭାରତର କୂଟନୀତି ଆଗରେ ପାକିସ୍ତାନ ହାର୍‌ ମାନିଛି । ଜମ୍ମୁ-କାଶ୍ମୀର ଏବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ସାରା ବିଶ୍ୱ ଜାଣିସାରିଲାଣି । ତେଣୁ ପାକିସ୍ତାନ ମଧ୍ୟ ଏହାକୁ ଗ୍ରହଣ କରିନେବା ଆବଶ୍ୟକ ବୋଲି ଭାରତ କହିଛି ।

ଇତିମଧ୍ୟରେ ଜମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଯେଉଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଥିଲା, ତାହା ଆଜି ଶେଷ ହୋଇଛି । ସ୍ୱରାଷ୍ଟ୍ର ବ୍ୟାପାର ସଚିବ ଏ କା ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ ଅର୍ଥ, ଆଇନ ଓ ସହରୀ ବିକାଶ ମନ୍ତ୍ରାଳୟର ସଚିବମାନେ ଯୋଗଦେଇଥିଲେ । ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ଲାଗୁ କରିବା ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନର ବିକାଶ ପାଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାପ ପଟେଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନା – ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ

ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ