ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ସରକାରଙ୍କ ପାଇଁ ଏକ ଖୁସି ଖବର ଆସିଛି । ନଭେମ୍ବରରେ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି ସଂଗ୍ରହ  ୧ ଲକ୍ଷ ୪ ହଜାର ୯୬୩ କୋଟିରେ ପହଞ୍ଚିଛି । ଏହି ଆର୍ଥିକ ବର୍ଷରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂଗ୍ରହ ।

ଏଠି ସୂଚନା ଥାଉକି ଦେଶରେ ଅନଲକ ହେବାପରେ ପରେ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ସରକାରଙ୍କ ଉଦ୍ୟମ ଫଳାଫଳ ପାଇବା ଭଳି ମନେହେଉଛି । ଏହାପୂର୍ବରୁ ଅକ୍ଟୋବରରେ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ଥିଲା, ଯାହା ଏହି ଆର୍ଥିକ ବର୍ଷ ପାଇଁ ଏପର୍ଯ୍ୟନ୍ତ ରେକର୍ଡ ହୋଇଛି ।

ତେବେ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ନଭେମ୍ବର ମାସରେ ସିଜିଏସଟି (CGST) ରୁ ୧୯,୧୮୯ କୋଟି ଟଙ୍କା, ଏସଜିଏସଟିରୁ (SGST) ରୁ ୨୫,୫୪୦ କୋଟି ଏବଂ ଆଜିଏସଟି(IGST) ରୁ ୫୧,୯୯୨ କୋଟି ଟଙ୍କା ରାଜସ୍ୱ ପାଇଛି । ଆଜିଏସଟି( IGST)ରେ, ସାମଗ୍ରୀ ଆମଦାନୀରୁ ୨୨,୦୮୭ କୋଟି ଟଙ୍କା ରାଜସ୍ୱ ଗ୍ରହଣ କରାଯାଇଛି।  ଏହା ବ୍ୟତୀତ ୮୨୪୨ କୋଟି ଟଙ୍କା ସେସ ଭାବରେ ଗ୍ରହଣ କରାଯାଇଛି । ଆମଦାନୀ ହୋଇଥିବା ସାମଗ୍ରୀ ଉପରେ ସେସ୍ ୮୦୯ କୋଟି ଟଙ୍କା ଆୟ କରିଛି ।

ଏଥିସହ ସରକାର ରେଗୁଲାର ସେଟଲମେଣ୍ଟ ଭାବରେ ୨୨,୨୯୩ କୋଟି ଟଙ୍କା CGST ଏବଂ ୧୬୨୮୬ କୋଟି ଟଙ୍କା SGST ଭାବରେ IGST ରୁ ସ୍ଥିର କରିଛନ୍ତି । ରେଗୁଲାର ସେଟଲମେଣ୍ଟ ପରେ କେନ୍ଦ୍ର ସରକାର ୪୧, ୪୮୨ କୋଟି ଟଙ୍କା ପାଇଥିବାବେଳେ ରାଜ୍ୟ ସରକାର ୪୧,୮୨୬ କୋଟି ଟଙ୍କା ଆୟ କରିଛନ୍ତି ।

ଗତ ବର୍ଷ ନଭେମ୍ବର ତୁଳନାରେ ଜିଏସ୍ଟି ରାଜସ୍ୱ ଉନ୍ନତ ହୋଇଛି । ନଭେମ୍ବର -୨୦୧୯ ତୁଳନାରେ ଗତ ମାସରେ ଜିଏସ୍ଟି ସଂଗ୍ରହରେ ୧.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ନଭେମ୍ବର ୨୦୧୯ ରେ ଜିଏସ୍ଟି ସଂଗ୍ରହ ୧,୦୩ ,୪୯୧ କୋଟି ଟଙ୍କା ଥିଲା । ତଥ୍ୟ ଅନୁଯାୟୀ, ୩୦ ନଭେମ୍ବର ପର୍ଯ୍ୟନ୍ତ ୮୨ ଲକ୍ଷ GSTR-3B ରିଟର୍ଣ୍ଣ ଦାଖଲ କରାଯାଇଛି ।