ଯନ୍ତ୍ରୀଙ୍କ ବଦଳି ପାଇଁ ଆସିଲା ନୂଆ ନୀତି: ପୂର୍ତ୍ତ ବିଭାଗ ଜାରି କଲା ଅନ୍ତରୀଣ ଗାଇଡଲାଇନ୍‌

ଭୁବନେଶ୍ୱର ୨୫/୯: ଓଡ଼ିଶା ଇଞ୍ଜିନିୟରିଂ ସେବା (ଓଇସି) କ୍ୟାଡର ଯନ୍ତ୍ରୀଙ୍କୁ ଆଉ ନିଜ ଜିଲ୍ଲାରେ ନିଯୁକ୍ତି ମିଳିବ ନାହିଁ । ଠିକ୍‌ ସେହିପରି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ୍‌ (ଓଡିଇଏସ୍‌) କ୍ୟାଡର ଯନ୍ତ୍ରୀମାନେ ନିଜ ସବ୍‌ଡିଭିଜନରେ ନିଯୁକ୍ତି ପାଇପାରିବେ ନାହିଁ । ବଦଳି ନୀତି କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ ହୋଇଛି । ଯନ୍ତ୍ରୀମାନଙ୍କ ବଦଳି ନେଇ ପୂର୍ତ୍ତ ବିଭାଗ ଆଜି ଏଭଳି ସଂକଳ୍ପ ଜାରି କରିଛି ।

ଯନ୍ତ୍ରୀମାନଙ୍କ ନିଯୁକ୍ତି ଓ ବଦଳି ପ୍ରକ୍ରିୟା ଅଧିକ ସ୍ୱଚ୍ଛ କରିବା ପାଇଁ ବିଭାଗ ନୂଆ ନୀତି ଆଣିବ । ଏହା ପୂର୍ବରୁ ଆଜି ଅନ୍ତରୀଣ ଗାଇଡଲାଇନ୍‌ ଜାରି କରାଯାଇଛି । ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ କେବଳ ଦୁଇଟି କାରଣ ପାଇଁ ଯନ୍ତ୍ରୀମାନଙ୍କୁ ବଦଳି କରାଯିବ । ଗୋଟିଏ କାରଣ ପ୍ରଶାସନିକ ଓ ଅନ୍ୟଟି ବ୍ୟକ୍ତିଗତ । ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକତାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଯନ୍ତ୍ରୀମାନଙ୍କୁ ବଦଳି କରାଯିବ । ତେବେ ସ୍ୱାସ୍ଥ୍ୟ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ଯନ୍ତ୍ରୀଙ୍କୁ ବଦଳି କରାଯାଇପାରେ ।   ବିଭାଗ ପକ୍ଷରୁ ଆହୁରି କୁହାଯାଇଛି, ସାଧାରଣତଃ ଗୋଟିଏ ସ୍ଥାନ ବା ଗୋଟିଏ ନିର୍ଦ୍ଦିଷ୍ଟ ପଦବୀରେ ଜଣେ ଯନ୍ତ୍ରୀ ୩ ବର୍ଷ ପୂରଣ କରିବା ପରେ ତାଙ୍କର ବଦଳି କରାଯାଇପାରିବ । ହେଲେ ଜଣେ ଯନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ବା ପଦବୀରେ ୫ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଓଇସି କ୍ୟାଡର ଯନ୍ତ୍ରୀମାନେ କୌଣସି ନିର୍ଦ୍ଦିଷ୍ଟ ରାଜସ୍ୱ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହିଁ ।

ଡିପ୍ଲୋମା ଇଞ୍ଜିନିୟରଙ୍କ କ୍ଷେତ୍ରରେ ଏହି ସମୟ ଅବଧି ୧୫ ବର୍ଷ ଧାର୍ଯ୍ୟ କରାଯାଇଛି ।  ଅବସର ସମୟ ଦୁଇ ବର୍ଷ ପୂର୍ବରୁ କୌଣସି ଯନ୍ତ୍ରୀଙ୍କୁ ପ୍ରଶାସନିକ କିମ୍ବା ସ୍ୱାସ୍ଥ୍ୟଗତ କାରଣ ବ୍ୟତୀତ ଅନ୍ୟ କୌଣସି କାରଣ ଦର୍ଶାଇ ବଦଳି କରାଯାଇପାରିବ ନାହିଁ । ନୂତନ ବଦଳି ନିୟମାବଳୀକୁ ସର୍ବସାଧାରରଙ୍କ ସ୍ୱାର୍ଥ ପାଇଁ କୋହଳ କରାଯାଇପାରେ । ସେହିପରି ସଂପୃକ୍ତ ଯନ୍ତ୍ରୀଙ୍କ ପତ୍ନୀ କିମ୍ବା ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଚିକିତ୍ସା କାରଣ ପାଇଁ ବଦଳି ନିୟମାବଳୀରେ କୋହଳ କରାଯିବା ବ୍ୟବସ୍ଥା ରଖାଯାଇଛି । ଯେଉଁ ଯନ୍ତ୍ରୀମାନେ ୧୦ ବର୍ଷ ଧରି ଡେପୁଟେସନରେ ଅନ୍ୟ ସ୍ଥାନକୁ ଯାଇଛନ୍ତି, ସେମାନଙ୍କୁ ବିଭାଗକୁ ଫେରାଇ ଅଣାଯିବ । ଏହି ବଦଳି ନୀତି କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ରହିବ । ଏହି କମିଟି ଯନ୍ତ୍ରୀମାନଙ୍କ ବଦଳି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିବେ ।

ଏହି ପରିପ୍ରେକ୍ଷୀରେ ନିର୍ବାହୀ ଯନ୍ତ୍ରୀ ଓ ତା’ଠାରୁ ବଡ଼ ପାହ୍ୟାର ଯନ୍ତ୍ରୀଙ୍କ ଲାଗି ୫ଜଣିଆ ଗଠନ ହୋଇଛି । ଏଥିରେ ପୂର୍ତ୍ତ ବିଭାଗର କମିଶନର ତଥା ସଚିବ ଅଧ୍ୟକ୍ଷ ରହିବେ । ଅତିରିକ୍ତ ସଚିବଙ୍କୁ ଉକ୍ତ କମିଟିର ସଦସ୍ୟ ଆବାହକ ରଖାଯାଇଛି । ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଲାଗି ଗଠିତ କମିଟିରେ ଅତିରିକ୍ତ ସଚିବ ଅଧ୍ୟକ୍ଷ ରହିବେ । ଏହାବାଦ୍‌ ଆଉ ୩ଜଣ ସଦସ୍ୟ ରହିବେ । ସେହିପରି ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଲାଗି ଗଠିତ କମିଟିରେ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ ରହିବେ । ଏହାବାଦ୍‌ ୩ଜଣ ସଦସ୍ୟ ରହିବେ କମିଟିରେ । ରାଜ୍ୟ ସରକାର ଆଜି ଜାରି କରିଥିବା ଏହି ଅନ୍ତରୀଣ ଗାଇଡଲାଇନ୍‌ ତତ୍କାଳ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି