ସରକାରୀ କ୍ୱାର୍ଟର୍ସରେ ଚୋର ଆତଙ୍କ! ଦିନରେ ବି ଲୁଟ୍, ପୁଲିସ ନାଚାର; ବାଧ୍ୟରେ କ୍ୱାର୍ଟର୍ସ ଛାଡୁଛନ୍ତି ବାସିନ୍ଦା

ଭୁବନେଶ୍ୱର ୦୨/୧୨: ଆପଣ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି କି? ତା’ହେଲେ ନିଶ୍ଚିତ ଆପଣଙ୍କ ଘରୁ କିଛି ନା କିଛି ଜିନିଷ ଆପେ ହଜିଯାଉଥିବ । ଏମିତିକି ସକାଳେ ଉଠିଲା ବେଳକୁ ଆଲମିରାରୁ ରଖାଯାଇଥିବା ସୁନା ରୂପା ଅଳଙ୍କାର ବି ଗାଏବ ହୋଇଯାଉଥିବ । ଏ କୌଣସି ମ୍ୟାଜିସିଆନ୍‌ର କରିସ୍ମା କି ଭୂତପ୍ରେତ କଥା ନୁହେଁ । ସରକାରୀ କ୍ୱାର୍ଟର୍ସ ନିକଟରେ ବେଆଇନ୍‌ ଭାବେ ଗଢ଼ାଯାଇଥିବା ବସ୍ତିରେ ରହୁଥିବା କିଛି ଚୋରଙ୍କ କାରମାନା । ଯାହାର ଫଳ ଭୋଗୁଛନ୍ତି ଖୋଦ୍‌ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବାସିନ୍ଦା । ବିଶେଷକରି ରାଜଭବନ ଓ ସଚିବାଳୟ ଆଖପାଖରେ ସରକାରୀ କ୍ସାଟର୍ସ ଓ ସ୍ଥାନୀୟ ୬ ନମ୍ବର ଅଞ୍ଚଳରେ ଏମିତି ଚୋରଙ୍କ ଦୌରାତ୍ମ ସବୁଠୁ ଅଧିକ ।
 

ଏଠି ସରକାରୀ କ୍ୱାର୍ଟର୍ସରୁ ଚୋରି ଏବେ ନିତିଦିନିଆ ଘଟଣା ହୋଇଗଲାଣି । ସହିବାର ସବୁ ସୀମା ଟପିଗଲାଣି । ପାଣି ଟ୍ୟାପ୍‌ ଠାରୁ ଆରମ୍ଭକରି ସୁନା ରୂପା ଓ ଟଙ୍କା ଆଦି ଆଖି ପିଛୁଳାକେ ଚୋରି ହୋଇଯାଉଛି । ସ୍ପଷ୍ଟ ଦିବାଲୋକରେ ବି କବାଟ ଟିକିଏ ବନ୍ଦ କଲେ, ଚୋରମାନେ କ୍ୱାର୍ଟର୍ସ ପାଚେରି ଡେଇଁ ପଶି ସାଇକେଲ, ଆସବାପତ୍ର ନେଇ ପଳାଉଛନ୍ତି । ଏପରିକି ଝରକା କବାଟ ବି ତାଡ଼ି ନେଉଛନ୍ତି। ଏପରିକି ରାସ୍ତାରେ ଚାଲିକି ଗଲେ, ବାଇକ୍‌ରେ ଆସି ସୁନା ଚେନ୍‌ ଭିଡି ନେଉଛନ୍ତି। ଏଥିପାଇଁ ୬ ନମ୍ବର ଅଞ୍ଚଳରେ କ୍ୱାଟର୍ସ ପାଇଥିବା କିଛି ସରକାରୀ କର୍ମଚାରୀ ଏବେ କ୍ୱାର୍ଟର୍ସ ଛାଡି଼ବା ଆରମ୍ଭ କଲେଣି । ଚୋରି ନେଇ ଥାନାରେ ଅଭିଯୋଗ ହେଲେ ଚୋର ଆଦୌ ଧରାପଡୁନାହାନ୍ତି । ଏମିତିରେ ଛୋଟ ଚୋରି ପାଇଁ ଲୋକେ ବି ଆଉ ଥାନାକୁ ଯାଉନାହାନ୍ତି । ବରଂ ନିଜର ସୁରକ୍ଷାପାଇଁ କିଛି ବ୍ୟକ୍ତି ଏବେ ସିସିଟିଭି ଲଗାଇବାକୁ ପସନ୍ଦ କରୁଛନ୍ତି ।

ସରକାରୀ କ୍ୱାଟର୍ସରୁ ଚୋରିର ମୁଖ୍ୟ କାରଣ ହେଉଛି, ଏହାର ଆଖପାଖରେ ଗଢି ଉଠିଥିବା ବେଆଇନ୍‌ ବସ୍ତି । ରାସ୍ତାକଡ଼ରେ ଥିବା ଖାଲି ସ୍ଥାନ ଆଉ ସରକାରୀ କ୍ୱାଟର୍ସ ପଛପଟେ ଥିବା କନଜରଭେନ୍ସିô ଏରିଆ ଏମାନଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି। ରାତି ପାହିଲା ବେଳକୁ କନଜରଭେନ୍ସିର ଖାଲି ସ୍ଥାନରେ ଆଜବେଷ୍ଟ ଘର ଛିଡ଼ା ହେଉଛି । ଟଙ୍କା ଫୋପାଡି଼ଲେ, ବେଆଇନ୍‌ ବିଜୁଳି ଓ ପାଣି ସଂଯୋଗ ମିଳିଯାଉଥିବାରୁ ଆପେ ସେଠାରେ ବସ୍ତି ଗଢ଼ି ହୋଇଯାଉଛି ।
ଜଣେ ସରକାରୀ କ୍ୱାର୍ଟର୍ସ ବାସିନ୍ଦାଙ୍କ କହିବା ମୁତାବକ, ଗଲା ୩ ମାସରେ ତାଙ୍କ ଘରୁ ୧୧ ଥର ଚୋରି ହେଲାଣି । ତଥାପି ସେ କିଛି କରିପାରୁନାହାନ୍ତି ।

ଏଭଳି ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କ ଘର ଭାଙ୍ଗିବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ସେଠାକୁ ଯାଉଛନ୍ତି । ହେଲେ ଖାଲି ହାତରେ ଫେରି ଆସୁଛନ୍ତି । ଜବରଦଖଲକାରୀମାନେ ବହୁ ସ୍ଥାନରେ ରାଜୀବ ଆବାସ ଯୋଜନା ସାର୍ଟିଫିକେଟ ଦେଖାଇବାରୁ ସେମାନଙ୍କ ଘର ଭଙ୍ଗାଯାଇ ପାରୁନାହିଁ । ତେବେ ଏହି ସାର୍ଟିଫିକେଟଗୁଡିକ ନକଲି ବୋଲି ଜଣାପଡି଼ଛି ।

ଏସବୁ ଅଞ୍ଚଳରେ ନିଶା କାରବାର ବଢ଼ୁଛି । ନାବାଳକ ଓ ଯୁବପିଢ଼ୀ ନିଶାରେ ବୁଡି ରହୁଛନ୍ତି । ଏବଂ ନିଶା ପାଇଁ ଟଙ୍କା ଦରକାର ହେଲେ, କ୍ୱାର୍ଟର୍ସକୁ ଟାର୍ଗେଟ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏହି ଅଞ୍ଚଳରେ ଗଞ୍ଜେଇ ଠାରୁ ଆରମ୍ଭକରି ଚୋରାମଦ ଓ ଡ୍ରଗ୍‌ସ କାରବାର ଦିନକୁ ଦିନ ବଢ଼ିଥିବା ବେଳେ ପୁଲିସ୍‌ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି । ଫଳରେ ଚୋରଙ୍କ ଉତ୍ପାତ ବଢି ଚାଲିଛି । ସବୁଠାରୁ ବଡ଼ କଥା ହେଲା, ଜବରଦଖଲ ରୋକିବା ଓ ଅନ୍ୟାନ୍ୟ ସେବା ଯୋଗାଣ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରତି ୱାର୍ଡରେ ଜଣେ କରି ୱାର୍ଡ ଅଫିସର ନିଯୁକ୍ତ କରିଥିବାବଳେ ସେମାନଙ୍କ ଜ୍ଞାତସାରରେ ଏହା ସବୁ ଚାଲୁଛି । ଜବରଦଖଲ ସହିତ ବେଆଇନ୍‌ ବିଦ୍ୟୁତ୍‌ ଓ ଜଳ ଯୋଗାଣରୁ ସେମାନେ ଭଲ ଦୁଇ ପଇସା ପାଉଥିବାରୁ ଏଥି ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି ।

   ସମ୍ବନ୍ଧିତ ଖବର


ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା

ପଶ୍ଚିମବଙ୍ଗରେ ଆନ୍ଦୋଳନର ପ୍ରଭାବ, ଓଡିଶାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କୃଷି ଅଧିକାରୀଙ୍କ ଅଫିସରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର