ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ବାରାବାଙ୍କି, ୨୮।୧୧: ସମ୍ପତ୍ତି ପାଇଁ ପୁଅ ନେଲା ବାପାର ଜୀବନ। ଉତ୍ତର ପ୍ରଦେଶର ବାରାବାଙ୍କିରେ ଏଭଳି ଏକ କଳିଯୁଗ ପୁଅକୁ ଦେଖିବାକୁ ମିଳିଛି, ଯିଏକି  ସ୍ତ୍ରୀ ସହିତ ମିଶି ଗଛରେ ନିଜ ବାପାକୁ ବାନ୍ଧି ଦେଇଥିଲା। ଏହାପରେ ଏକ ଧାରୁଆ ଅସ୍ତ୍ରରେ ବାପାର ଗଳାକାଟି ହତ୍ୟା କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସବୁ ସମ୍ପତ୍ତି ନିଜ ନାଁରେ ଲେଖି ଦେବାକୁ ବାପା ଉପରେ ବାରମ୍ବାର ଚାପ ପକାଉଥିଲା। ଏହି କାରଣରୁ ଦୁହିଁଙ୍କ ଭିତରେ ବହୁବାର ଏହାକୁ ନେଇ ପୂର୍ବରୁ ଝଗଡା ହେଉଥିଲା।

ଏହି ଚାଞ୍ଚଲ୍ୟକର ଘଟଣାଟି ବାରାବାଙ୍କିର ଫତହପୁର ଗାଁରେ ଘଟିଛି। ଏଠାରେ ଶ୍ରୀରାମ ଗୌତମ(୫୫ ବର୍ଷ)କୁ ଗଛରେ ବାନ୍ଧି ଅତି ନିର୍ମମ ଭାବରେ ତାଙ୍କ ପୁଅ ମନୋଜ ହତ୍ୟା କରିଛି। ଶ୍ରୀରାମଙ୍କ ପୁଅ ନିଜ ନାଁରେ ସମ୍ପତ୍ତି କରିବାକୁ ବହୁ ଦିନ ଧରି ଚାପ ପକାଉଥିଲା। ତେବେ ସଫଳ ହୋଇ ପାରିନଥିବାରୁ ଶୁକ୍ରବାର ସେ ନିଜର ବାପା ସହିତ ପୁଣିଥରେ ବିବାଦ ଆରମ୍ଭ କରିଥିଲା। ବିବାଦ ଏତେ ଭୟଙ୍କର ହୋଇଥିଲା ଯେ, ପୁଅ ନିଜର ବାପାକୁ ଘର ବାହାରେ ଥିବା ଏକ ଗଛ ପାଖକୁ ଟାଣି ନେଇ ବାନ୍ଧି ଦେଇଥିଲା। ଏହାପରେ ରାଗରେ ତା’ର ବାପାଙ୍କ ବେକକୁ ଧାରୁଆ ଛୁରିରେ କାଟି ଦେଇଥିଲା। ଶ୍ରୀରାମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲ।

ଏହାପରେ ଅଭିଯୁକ୍ତ ପୁଅ ନିଜ ସ୍ତ୍ରୀକୁ ନେଇ ଫେରାର ହୋଇଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ନିଜର ଯାଞ୍ଚ ଆରମ୍ଭ କରିଦେଇଥିଲା।  ଖୋଜାଖୋଜି ପରେ ପୋଲିସ ଅଭିଯୁକ୍ତ ପୁଅ ଓ ବୋହୁକୁ ଗିରଫ କରିଛି। ଗାଁ ଲୋକ ମଧ୍ୟ ନିଜର ବୟାନରେ କହିଛନ୍ତି, ମନୋଜ ନିଜର ବାପାକୁ ହତ୍ୟା କରିଛି।