ବଚସାରୁ ଗୋଷ୍ଠୀ ସଂଘର୍ଷ: ବୁଲିଲା ଖଣ୍ଡା, କାତି ଦୁଇ ମୃତ, ୫ ଆହତ

ସୋରଡ଼ା ୧୩/୧୧: ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ। ଗାଁରେ ବୁଲିଲା ଖଣ୍ଡା, କାତି । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ। ଅଧ ଘଣ୍ଟାଏ ଧରି ଗାଁ ଦାଣ୍ଡ ପାଲଟିଯାଇଥିଲା ରଣକ୍ଷେତ୍ର । ମୃତକ ଦୁଇ ଜଣ ହେଲେ ମନୋଜ ନାୟକ ଓ ପୁନିଆ ନାୟକ । ମନୋଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପୁନିଆଙ୍କ ସୋରଡ଼ା ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଆଇଆଇସି ପ୍ରଶାନ୍ତ ସାହୁ, ସୋରଡ଼ା ଆଇଆଇସି ସନ୍ତୋଷ ପ୍ରଧାନ ଏବଂ ଶେରଗଡ଼ ଆଇଆଇସି ରମେଶଚନ୍ଦ୍ର ଦାଶ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଗାଁରେ ଓ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମୟ ପ୍ରାୟ ଗୋଟାଏ । ଗାଁ ଠାରୁ ୫୦ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଖଦାଳ ସାହିର ମନୋଜ ନାୟକ ଓ ବାବୁଲି ନାୟକ। ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ପରେ ଉଭୟ ଘରକୁ ଫେରି ଆସିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ରହିଥିଲା ଆଧ୍ୟାତ୍ମିକ ପରିବେଶ। ବୋଇତ ବନ୍ଦାଣ ଠାରୁ ଗାଁ ଦେବାଳୟରେ ପୂଜାର୍ଚ୍ଚନା ଚାଲିଥାଏ। ମାତ୍ର କିଛି ସମୟ ମଧ୍ୟରେ ଗାଁ ଦାଣ୍ଡ ପାଲଟିଗଲା ରଣକ୍ଷେତ୍ର। ଆସିକା ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ମନୋଜ ଖଣ୍ଡା ଧରି ବାବୁଲିଙ୍କ ବାପା ପୁନିଆଙ୍କୁ ଆକ୍ରମଣ କରିଥିଲା। ମୁଣ୍ଡ, ବେକରେ ଗଭୀର ଆଘାତ ଲାଗିବାସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରେ ପୁନିଆଙ୍କ ପୁଅ ବାବୁଲି ଆଉ କେତେ ଜଣ ମନୋଜଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

ଏଥିରେ ମନୋଜଙ୍କ ସମେତ ବାପା ବିଦୂର ନାୟକ, ମାଆ ଗେଲି, ଭାଇ ସୌଦାଗର, ଜେଜେ ବାପା ଭଲା, ଜେଜେ ମାଆ ଇନ୍ଦୁ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ମନୋଜଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାର ଅନ୍ୟମାନେ ଗୁରୁତର ଥିବାରୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ପୁନିଆଙ୍କୁ ଗୁରୁତର ଅବସ୍ଥାରେ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚିକିତ୍ସା ପରେ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ମାତ୍ର କିଛି ସମୟରେ ପରେ ସେଠାରେ ପୁନିଆଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଡାକ୍ତର ଘୋଷିତ କରିଛନ୍ତି। ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିବାରୁ ପୁଲିସ ମୁତୟନ କରାଯାଇଛି। କାରଣ ଅସ୍ପଷ୍ଟ ରହିଥିବାବେଳେ ଅନୁସନ୍ଧାନ ଜାରି ରହିଥିବା ଆସିକା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚାକିରୀ ପାଇଁ ହତ୍ୟାକାରୀ ସାଜିଲା ପୁଅ: ୩୫ ବର୍ଷ ଧରି ହତାସ ହେବା ପରେ ବାପାର ଗଳା କାଟି ହତ୍ୟା କଲା କୁଳାଙ୍ଗାର ପୁଅ