ଗୁଡ୍ଲିଙ୍କ ଅତ୍ୟାଧୁନିକ ଷ୍ଟୁଡିଓ ଉଦ୍ଘାଟିତ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥଙ୍କ ଅତ୍ୟାଧୁନିକ ରେକର୍ଡିଂ ଷ୍ଟୁଡିଓ ସାଇ ସରସ୍ୱତୀ ଡିଜିଟାଲ୍ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ପ୍ରଥମଥର ପାଇଁ ଓଡ଼ିଶାରେ ଏପରି ଏକ ଅତ୍ୟାଧୁନିକ ଡିଜିଟାଲ୍ ଷ୍ଟୁଡିଓ ସ୍ଥାପନା କରାଯାଇଛି । ଅଡିଓ ରେକର୍ଡିଂ, ଏଚ୍ଡି ମକ୍ସିଂ, ଭିଡିଓ ଏଡିଟିଂ ଆଦି ଡିଜିଟାଲ୍ ରେକର୍ଡିଂର ସବୁପ୍ରକାର ସୁବିଧା ସୁଯୋଗ ଏଠାରେ ଉପଲବ୍ଧ । ମ୍ୟୁଜିକ୍ ରେକର୍ଡିଂ ପାଇଁ ଆସୁଥିବା ସଙ୍ଗୀତକାର ତଥା ପ୍ରଯୋଜନା ସଂସ୍ଥା ଲାଟେଷ୍ଟ ସାଉଣ୍ଡ୍ ଟେକ୍ନୋଲୋଜି ସହିତ ଭିଏସ୍ଟିର ଲାଭ ନେଇ ପାରିବେ । କେବଳ ସେତିକି ନୁହେଁ ଏଠାରେ ସଙ୍ଗୀତ ଶିକ୍ଷା ନିମନ୍ତେ ତାଲିମ୍ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଶିକ୍ଷାନବୀଶମାନେ ରାଜ୍ୟର ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ଓ ବାଦ୍ୟଶିଳ୍ପୀମାନଙ୍କ ପାଖରୁ ତାଲିମ୍ ପାଇପାରିବେ । ତା’ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ ସାକ୍ଷାତ ଓ ସମୟ ବିତାଇବାର ସୁଯୋଗ ବି ନେବେ ।