ଏବେ ବି ଅବହେଳିତ ଏହି ଗାଁ; ୩ ପାହାଡ଼ ଡେଇଁଲେ ମିଳେ ଚାଉଳ

ଗୁରୁଣ୍ଡିଆ,୨୨ା୪(ଆପ୍ର): ନିର୍ବାଚନ ପରେ ନିର୍ବାଚନ ଆସୁଛି । ନିର୍ବାଚନୀ ବୈତରଣୀ ପାର ହେବା ଲାଗି ନେତାଙ୍କ ଠାରୁ ଆରମ୍ଭ କରି କର୍ମୀମାନେ ଲୋକ ସମସ୍ୟାର ସମାଧାନ କରିବା ଲାଗି ଦେଇଥାନ୍ତି ବିଭିନ୍ନ ପ୍ରତିଶ୍ରୁତି । ନିର୍ବାଚନ ଶେଷ ହେବା ପରେ ଆଉ ନେତା କିମ୍ବା କର୍ମୀଙ୍କ ଦେଖା ଦର୍ଶନ ମିଳେ ନାହିଁ । ପୂର୍ବରୁ ଲୋକେ ଯେଉଁ ସମସ୍ୟା ଦେଇ ଗତି କରୁଥିଲେ ଆଜି ବି ସେଇ ସମସ୍ୟା ଦେଇ ଗତି କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅଧୀନ ଫୁଲଝର ପଞ୍ଚାୟତର ଉସକେଲା ଗାଁ । ୩ଟି ପାହାଡ଼ ଡେଇଁଲେ ଲୋକଙ୍କୁ ମିଳେ ଚାଉଳ । ସ୍ୱାସ୍ଥ୍ୟ ସେବା କଥା ପଚାରେ କିଏ । ସ୍ୱାଧୀନତାର ୭୨ ବର୍ଷ ପରେ ବି କୌଣସି ସରକାରୀ ବାବୁମାନଙ୍କର ପାଦ ପଡ଼ିନି ଏହି ଗ୍ରାମରେ ।

ଚାରି ଆଡେ ପାହାଡ଼ ଥିବା ବେଳେ ମଝିରେ ମୁଣ୍ଡ ଟେକି ରହିଛି ଉସକେଲା ଗ୍ରାମ । ୬୦ରୁ ୬୫ ପରିବାର ଏହି ଗ୍ରାମରେ ରହୁଥିବା ବେଳେ ଲୋକ ସଂଖ୍ୟା ହେଉଛି ପ୍ରାୟ ୩୧୫ରୁ ଉଦ୍ଧ୍ୱର୍ । ଫୁଲଝର ପଞ୍ଚାୟତରୁ ୧୧ କିଲୋମିଟର ଦୂରରେ ଏହି ଗ୍ରାମ ରହିଥିବା ବେଳେ ତିନୋଟି ପାହାଡ ଡେଇଁଲେ ମିଳେ ସରକାରୀ ଚାଉଳ । ଏଥିପାଇଁ ଗ୍ରାମବାସୀଙ୍କୁ ୪ରୁ ୫ ଘଣ୍ଟା କସରତ କରିବାକୁ ପଡ଼େ । ଥରେ ସାପ୍ତାହିକ ହାଟକୁ ଆସିଲେ ସପ୍ତାହକ ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ କିଣାକିଣି କରି ଘରକୁ ଯାଇଥାନ୍ତି । ଆଜିବି ଦେଖିଲେ ଏହି ଗାଁ ପରାଧୀନ ପରି ଲାଗେ । ଉକ୍ତ ଗାଁକୁ ରାସ୍ତା ନଥିବାରୁ ଗ୍ରାମବାସୀ ପାଦଚଲା ରାସ୍ତାଟିଏ ନିଜ ଶ୍ରମଦାନରେ କରିଥିବା ବେଳେ ସବୁ ଦିନିଆ ରାସ୍ତା ନାହିଁ । ୩୦ରୁ ଉଦ୍ଧ୍ୱର୍ ପିଲା ଗଛ ମୂଳେ ପାଠ ପଢ଼ନ୍ତି । ମାତ୍ର ସରକାରୀ ଶିକ୍ଷକ ନାହାନ୍ତି । ଅଙ୍ଗନୱାଡି କର୍ମୀ ହେଉଛନ୍ତି ଶିକ୍ଷକ । ଅଙ୍ଗନୱାଡି କେନ୍ଦ୍ର ଦେଖିଲେ ସତେ ଯେପରି ସରକାରଙ୍କ ଶିକ୍ଷା ଯୋଜନା ଏଠାରେ ପ୍ରହସନ ପରି ଲାଗେ । ସେହିପରି ଗ୍ରାମରେ ଗୋଟିଏ ହେଲେ ଶୌଚାଳୟ ନାହିଁ । ଝରଣାରୁ ବହି ଆସୁଥିବା ପାଣି ନାଳ ଦେଇ ଯାଇଥିବା ବେଳେ ବର୍ଷତମାମ ଲୋକେ ଏହାରି ଉପରେ ଭରସା କରିଥାନ୍ତି । ବର୍ଷା ଦିନେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମର ପୂର୍ବତନ ନାଏବ ସରପଞ୍ଚ କହନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈଦ୍ୟୁତିକରଣ ଯୋଜନା ଯୋଜନାରେ ହିଁ ସୀମିତ ହୋଇ ରହି ଯାଇଛି । ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବା ବାଉଁଶ ପଲାରେ ଭରା ହୋଇ ତଳକୁ ଆଣିଥାନ୍ତି । ସେଠାରୁ ବଣାଇଁ କିମ୍ବା ଲହୁଣିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥାଏ ।

୬୦ ପ୍ରତିଶତ ଲୋକଙ୍କ ପାଖରେ ଜବ୍‌ କାର୍ଡ ନାହିଁ । ୫ରୁ ୭ ବର୍ଷ ହେବ କେହି ଆବାସ ଯୋଜନାରେ ସାମିଲ ହୋଇ ପାରିନାହିଁ । କାରଣ ଯୋଜନା ଠାରୁ ଖର୍ଚ୍ଚ ଅଧିକ । ଗ୍ରାମବାସୀ ମୁଖ୍ୟତଃ ଘୁଷୁରି, ଛେଳି ପାଳନ କରୁଥିବା ବେଳେ ବିରି, ମାଣ୍ଡିଆ, ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ୮୦ ବର୍ଷ ବୟସର ରାଧେ ଗିରି ଭତ୍ତା ପାଇଁ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । କୌଣସି ସରକାରୀ ବାବୁଙ୍କ ପାଦ ଏହି ଗାଁରେ ପଡ଼ି ନାହିଁ ବୋଲି କହନ୍ତି ଗ୍ରାମବାସୀ । ଏହି ଗ୍ରାମରେ ୫୦ରୁ ଉଦ୍ଧ୍ୱର୍ ଭୂୟାଁ ଓ ୧୫ରୁ ଉଦ୍ଧ୍ୱର୍ ମୁଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ସ୍ୱାଧୀନତାର ୭୨ ବର୍ଷ ପରେ ବି ଏହି ଗ୍ରାମର ମୌଳିକ ସୁବିଧା ନେଇ ବିକାଶ ହେବା ପରୋକ୍ଷରେ ସରକାରୀ ବାବୁଙ୍କର ଉଦାସୀନତା ହେତୁ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ୁଛି । ଜିଲ୍ଳା ପ୍ରଶାସନ ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଇ ମୌଳିକ ସୁବିଧା ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…