ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ‘ହାଲୱା ସେରିମନି’

ନୂଆଦିଲ୍ଲୀ ୨୩।୧: ସଂସଦର ୨୦୨୧-୨୨ ବଜେଟ୍ ଲାଗି ଶନିବାର କେନ୍ଦ୍ର ସଚିବାଳୟ ନର୍ଥ ବ୍ଲକ୍ରେ ‘ହାଲୱା ସେରମନି’ ଅନୁଷ୍ଠିତ ହୋଇଛି। ପାରମ୍ପରିକ ପ୍ରଥାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଉଦଘାଟନ କରିଥିବା ବେଳେ କେନ୍ଦ୍ର ଅର୍ଥରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଅର୍ଥ ସଚିବ ଓ ବଜେଟ ସହ ଜଡିତ ବିତ୍ତବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
କେନ୍ଦ୍ରୀୟ ବଜେଟ୍ ଲାଗି ହାଲୱା ଉତ୍ସବ ଅର୍ଥମନ୍ତ୍ରାଳୟଙ୍କ ଏକ ପରମ୍ପରା ଓ ଦୀର୍ଘ ବର୍ଷରୁ ପ୍ରଚଳିତ ରହିଛି। ବଜେଟ୍ ପ୍ରସ୍ତୁତି ଓ ମୁଦ୍ରଣ ସହ ଜଡ଼ିତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ବର୍ଷବର୍ଷରୁ ଯୋଗଦେଇ ଆସୁଥିବା ବେଳେ ପ୍ରସ୍ତୁତ ହାଲୱା ସମସ୍ତଙ୍କ ମଧ୍ୟରେ ବିତରିତ ହୋଇଥାଏ। ବଜେଟ୍ର ଗୋପନୀୟତା ଲାଗି ମନ୍ତ୍ରାଳୟଙ୍କ ଏହି କର୍ମଚାରୀମାନେ ସଂସଦରେ ବଜେଟ୍ ଉପସ୍ଥାପନ ପର୍ଯ୍ୟନ୍ତ ଅର୍ଥବିଭାଗ ବେସମେଣ୍ଟରେ ଥିବା ମୁଦ୍ରଣାଳୟରେ କଟାଇଥାନ୍ତି। ଏହି ସମୟରେ ପରିବାର ସହ କର୍ମଚାରୀଙ୍କ ସମ୍ପର୍କ ବିଛିନ୍ନ ହୋଇଥାଏ।
ବାର୍ଷିକ ବଜେଟ୍ ଲାଗି କର୍ମଚାରୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ଚଳିତବର୍ଷ କୋଭିଡ ଲାଗି ବଜେଟ୍ ମୁଦ୍ରଣ ହେବନି। ତେବେ ପ୍ରତ୍ୟେକ ସାଂସଦ ଓ ଅଧିକାରୀଙ୍କୁ ଏହା ଅନଲାଇନରେ ପ୍ରଦାନ କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ଦୀର୍ଘ ୨ ସପ୍ତାହ ଧରି ଅର୍ଥବିଭାଗ ବେସମେଣ୍ଟରେ ରହିବାକୁ ପଡୁ ନଥିଲେ ହେଁ ପ୍ରତୀକ ଉତ୍ସବ ପାଳିତ ହୋଇଛି।
ଚଳିତବର୍ଷ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଆରମ୍ଭ ହେବ। ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଫେବୃଆରୀ ୧ ତାରିଖ ସୋମବାର ସଂସଦରେ ୨୦୨୧-୨୨ ବଜେଟ୍ ଉପସ୍ଥାପିତ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।