କରୋନା ଭୟ ଛାଡୁନି: ବନ୍ଦ ହେବ ହ୍ୟାଣ୍ଡ୍‌ସେଟ୍‌ ଉତ୍ପାଦନ

ନୂଆଦିଲ୍ଲୀ,୧୩ା୨(ଏଜେନ୍ସି):ଚୀନ୍‌ର ୱୁହାନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଆତଙ୍କ ଥମିବାର ନାଁ ଧରୁନି । ସମଗ୍ର ବିଶ୍ୱରେ ଭୟର ବାତାବରଣ । ହଜାରରୁ ଊଦ୍ଧ୍ୱର୍ ଲୋକ ଏହି ଭୟଙ୍କର ଭାଇରସ୍‌ ଦ୍ୱାରା ମୃତ୍ୟୁବରଣ କରିଥିବାବେଳେ ହଜାର ହଜାର ଆକ୍ରାନ୍ତ । ଭାରତୀୟ ସ୍ମାର୍ଟଫୋନ୍‌ ନିର୍ମାତାଙ୍କ ପାଇଁ କରୋନା ଏକ ପ୍ରକାର ଚିନ୍ତାର ମାହୋଲ ସୃଷ୍ଟି କଲାଣି । ଚୀନ୍‌ରୁ ଭାରତକୁ ବିପୁଳ ମାତ୍ରାରେ ମୋବାଇଲ ଉପକରଣ ଆସିଥାଏ । କିନ୍ତୁ କରୋନା ତାଣ୍ଡବ ମଧ୍ୟରେ ସେଠାରେ ମୋବାଇଲ ଉପକରଣ ଫ୍ୟାକ୍ଟ୍ରିଗୁଡିକ ବନ୍ଦ ପଡିଛି । ଭାରତୀୟ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତାଙ୍କ ନିକଟରେ ଥିବା କଞ୍ଚାମାଲଗୁଡିକ ସରିବାକୁ ବସିଲାଣି । ଆସନ୍ତା ସପ୍ତାହରୁ ଉତ୍ପାଦନ ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ଶିଳ୍ପ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତାଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଲାଣି । ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ ବୋଲି ଏକ ପ୍ରକାର ଭୟ ଦେଖାଦେଲାଣି ।

ଯୋଗାଣ ପ୍ରଭାବିତ ହେବା ଫଳରେ ଉପକରଣ ଦର ବଢ଼ିବା ନେଇ ବଜାର ଲିଡର ସାଓମି ଆଶଙ୍କା ପ୍ରକାଶ କରିଛି । ରିଟେଲରମାନଙ୍କ କହିବାନୁଯାୟୀ ଆମଦାନି ହେଉଥିବା ଆପଲ୍‌ ଆଇଫୋନ୍‌ ୧୧ ଏବଂ ୧୧ ପ୍ରୋ ମଡେଲ୍‌ର ଷ୍ଟକ୍‌ ସରିବାକୁ ବସିଲାଣି । ବିଶ୍ୱର ଦ୍ୱିତୀୟ ବୃହତ୍‌ ସ୍ମାର୍ଟଫୋନ୍‌ ବଜାରରେ କରୋନା ତାଣ୍ଡବ ଯୋଗୁ ଏହି ପରିସ୍ଥିତି ଦେଖାଦେଇଛି । ଚୀନ୍‌ରୁ ଯୋଗାଣ ବନ୍ଦ ହୋଇଥିବାରୁ ଉତ୍ପାଦନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବଜାର ବିଶେଷଜ୍ଞଙ୍କ ମତରେ ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରି ୧୦ରୁ ୧୫% କମିବ । ଏପ୍ରିଲ-ଜୁନ୍‌ ତ୍ରୟମାସରେ ବିକ୍ରି ଆହୁରି ଅଧିକ କମିବ । ନୂଆ ମଡେଲର ବଜାର ପ୍ରବେଶରେ ୪ରୁ ୫ ସପ୍ତାହ ବିଳମ୍ବ ହୋଇପାରେ ବୋଲି ଏମାନେ ପ୍ରକାଶ କରିଛନ୍ତି ।

ସାଓମି ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଚୀନ୍‌ରେ ମୋବାଇଲ ଉପକରଣ ଫ୍ୟାକ୍ଟ୍ରିଗୁଡିକ ବନ୍ଦ ରହିଛି । ଏହା କମ୍ପାନିର ଯୋଗାଣ ଚକ୍ର ଉପରେ ବଡ଼ ଧରଣର ପ୍ରଭାବ ପକାଇବ । ତେଣୁ କଞ୍ଚାମାଲ ପାଇଁ କମ୍ପାନି ବିକଳ୍ପ ଯୋଗାଣ ଚ୍ୟାନେଲ ଉପରେ କାର୍ଯ୍ୟ କରୁଛି । ତତ୍କାଳ ପ୍ରଭାବ ସ୍ୱରୂପ ମୋବାଇଲ ଉପକରଣ ଦର ବଢ଼ିଯିବ ବୋଲି ସେ କହିଛନ୍ତି ।
ଇଣ୍ଡିଆନ୍‌ ସେଲ୍ୟୁଲାର ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଆସୋସିଏସନ ୍‌(ଆଇସିଇଏ)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୋ କହିଛନ୍ତି ଯେ, ଉପକରଣ ସରିବାକୁ ବସିଲାଣି । ଏହି ସପ୍ତାହ ଶେଷ ସୁଦ୍ଧା ଯଦି ସ୍ଥିତି ସ୍ୱାଭାବିକ ନ ହୁଏ ତା’ହେଲେ ବଜାର ଚାପଗ୍ରସ୍ତ ହେବ ।

ଚୀନ୍‌ରୁ ଆସିଥାଏ ଡିସ୍‌ପ୍ଲେ, କନେକ୍ଟର
ଶିଳ୍ପ ଅଧିକାରୀଙ୍କ ସୂଚନା ଅନୁସାରେ ବ୍ୟାଟେରି ଏବଂ କେତେକ କ୍ୟାମେରା ମଡ୍ୟୁଲ ଭିଏତ୍‌ନାମରେ ପ୍ରସ୍ତୁତ ହୋଇଥାଏ । ଡିସ୍‌ପ୍ଲେ ଏବଂ କନେକ୍ଟର ଚୀନ୍‌ରୁ ଆସିଥାଏ । ଚିପ୍‌ ତାଇୱାନ୍‌ରୁ ଆସିଥାଏ କିନ୍ତୁ ପୂର୍ଣ୍ଣାଙ୍ଗ ରୂପ ପାଇଁ ଏହାକୁ ଚୀନ୍‌କୁ ପଠାଯାଇଥାଏ ।

ପ୍ରଭାବିତ ହେବ ଫିଚର୍‌ ଫୋନ୍‌ ବିକ୍ରି
ଫିଚର୍‌ ଫୋନ୍‌ ବିକ୍ରି ପ୍ରଭାବିତ ହେବ । କାରଣ ଚୀନ୍‌ରୁ କି’ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ(ପିସିବି) ଆମଦାନି କରାଯାଇଥାଏ । ଚୀନ୍‌ରୁ ଆମଦାନି ହେଉଥିବା ଆପଲ ଆଇଫୋନ୍‌ ୧୧ ଏବଂ ୧୧ ପ୍ରୋର ଷ୍ଟକ୍‌ ସରିବାକୁ ବସିଲାଣି । ଅନେକ ଷ୍ଟୋରରେ ଏହା ସମ୍ପୂର୍ଣ୍ଣ ସରିଗଲାଣି । ନୂଆଦିଲ୍ଲୀର ଏକ ଆପଲ୍‌ ଷ୍ଟୋରର କର୍ମଚାରୀଙ୍କ କହିବାନୁଯାୟୀ ତାଙ୍କ ଷ୍ଟୋରରେ ଆଇଫୋନ୍‌ ୧୧ର ୧୨୮ ଜିବି ମଡେଲ ନାହିଁ । ଏହି ମଡେଲ୍‌ର ଚାହିଦା ଅଧିକ ରହିଥାଏ । ଆପଲ୍‌ର ଅନ୍ୟ ମଡେଲ୍‌ଗୁଡିକର ଷ୍ଟକ୍‌ ମଧ୍ୟ କମ୍‌ ଅଛି । ନୂଆ ମାଲ୍‌ ଆସୁନାହିଁ । ଆସନ୍ତା ମାସ ନୂଆ ଷ୍ଟକ୍‌ ଆସିପାରେ ବୋଲି କର୍ମଚାରୀଜଣକ ସୂଚନା ଦେଇଛନ୍ତି । ଏହି ଯୋଗାଣ ସମସ୍ୟା କେବଳ ଗୋଟିଏ ସହର ପର୍ଯ୍ୟନ୍ତ ସୀମିତ ନାହିଁ । ଦେଶର ଅନ୍ୟ ସବୁ ସହରରେ ମଧ୍ୟ ସମାନ ସ୍ଥିତି । ଆପଲ୍‌ ୱାଚ୍‌ ଏବଂ ମାକ୍‌ବୁକ୍‌ କ୍ଷେତ୍ରରେ ବି ସମାନ ପରିସ୍ଥିତି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

ହ୍ୱାଟ୍‌ସଆପ୍‌ ଫର୍‌ୱାର୍ଡ ମେସେଜ୍‌ରେ କଟକଣା: ଥରକେ ପଠାଇହେବ ଗୋଟିଏ ମେସେଜ୍‌

ଅର୍ଥନୀତିକୁ ୫ ଲକ୍ଷ କୋଟି ଦରକାର, ଆରବିଆଇଠାରୁ ସରକାର ନିଅନ୍ତୁ ଋଣ: ପୂର୍ବତନ ଅର୍ଥସଚିବ