ମୃତ୍ୟୁର ଡ଼ରଠୁ ବଳି ଯାଇଛି ଜୀବନ ଯନ୍ତ୍ରଣାର କଷ୍ଟ: ୫ ପ୍ରାଣୀ ଅଧା ଦିନ ଉପବାସ, ନେତା ଉଠାଉନାହାନ୍ତି ଫୋନ୍‌…

ପୁରୀ,୨୮/୦୮: ସ୍ୱାମୀ ଓ ବଡ଼ ପୁଅ ଘରେ ଶଯ୍ୟାଶାୟୀ । ପକ୍ଷାଘାତ ରୋଗରେ ପଡ଼ି ଦେହ ସାରା ଚେକା ଚେକା ଘା’ । ଦେହ କହିଲେ ଖାଲି ୨ଟି କଙ୍କାଳ । ପୁଣି ସାଙ୍ଗରେ ମାନସିକ ବିକାରଗ୍ରସ୍ତ ୧୫ ବର୍ଷର ନାତି । ଜରି ପାଲ ତଳେ ପଡ଼ିଛନ୍ତି ୫ ପ୍ରାଣୀ । ରୋଜଗାରିଆ ପୁରୁଷ ଅଚଳ ହେବାରେ ମହିଳାମାନେ ମାଗିଯାଚି ଚଳୁଛନ୍ତି । ହେଲେ ଦିନେ ଖାଇଲେ ଆର ଦିନ ଉପବାସ ।

ସେମାନେ ମଧ୍ୟ ଦେଶର ନାଗରିକ । ଭୋଟ୍‌ ଦେଇ ସରକାର ବାଛୁଛନ୍ତି । ସହାୟତା ପାଇଁ ନେତାଙ୍କ ଦୁଆରକୁ ମଧ୍ୟ ଯାଇଛନ୍ତି । ଦଉଡ଼ି ଦଉଡ଼ି ହତାଶ ହେଲା ପରେ ଏବେ ଫୋନ୍‌ ମଧ୍ୟ ଉଠାଉ ନାହାନ୍ତି ନେତା । ଜଟିଆବାବାଜି ଛକ ନିକଟସ୍ଥ ପ୍ରେମକୁଞ୍ଜ ଆଶ୍ରମ ନିକଟରେ ରହୁଥିବା ଏହି ହରିଜନ ପରିବାରର ଦୁଃଖ ଦେଖିଲେ ଯେ କୌଣସି ବ୍ୟକ୍ତିର ଆଖିରେ ଲୁହ ରହିବନି । ଲକ୍‌ଡାଉନ୍‌ ଦୁର୍ଦ୍ଦିନରେ ପଡ଼ି ଏବେ ମୃତ୍ୟୁ ଅପେକ୍ଷା ଜୀବନ ସେମାନଙ୍କୁ ଅଧିକ ଡରାଉଛି ।
ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତି ତେନ୍ତୁଳି ଗଛ ତଳେ ମଠ ଜାଗାରେ ରହୁଥିଲେ ଗୁନ ମଲ୍ଲିକ(୬୮)ଙ୍କ ପରିବାର। ଘର ଭାଙ୍ଗିଲା ପରେ ପ୍ରେମାଶ୍ରମ ନିକଟରେ ଜରି ପାଲ ଟାଣି ଆଶ୍ରୟ ନେଇଛନ୍ତି । ୪୦ରୁ ଅଧିକ ବର୍ଷ ସେଠାରେ ବିତିଲାଣି । ସ୍ୱାମୀ ରାମ ମଲ୍ଲିକ(୭୩) ରିକ୍ସା ଚଳାନ୍ତି। ଗୁନଙ୍କ ୪ ପୁଅ । ଅନ୍ୟ ୩ ପୁଅ ବାହାରେ ରହୁଛନ୍ତି । ବଡ଼ ପୁଅ ନନୁ ମଧ୍ୟ ରିକ୍ସା ଚଳାନ୍ତି । ଗୁନ ଓ ନନୁ ସେଠାରେ ରହିଛନ୍ତି । ନନୁଙ୍କ ପତ୍ନୀ ତଥା ବଡ଼ ବୋହୁ ଟୁନା ମଲ୍ଲିକ ଓ ଗୁନ ବାଉଁଶରେ କୁଲା ବାଉଁଶିଆ କରି ଯାହା ୨ ପଇସା ରୋଜଗାର କଲେ ସବୁ ମିଶି ଘର ଚଳେ । ବାହା ପୁଆଣିରେ ପୁରୁଷମାନେ ବାଜା ବଜାଇ ମଧ୍ୟ କିଛି ଅଣ୍ଟିରେ ବାନ୍ଧନ୍ତି ।

ଏବେ ଘରର ରୋଜଗାରିଆ ପୁରୁଷ ସବୁ ରୋଗରେ ଷଢୁଛନ୍ତି । ନନୁଙ୍କ ପୁଅ ରାଜା ମାନସିକ ବିକାର ଗ୍ରସ୍ତ ହୋଇଥିବାରୁ ପିଲା ବେଳୁ ପାଠରେ ଡ଼ୋରି ବନ୍ଧା ହୋଇଛି। ଏପଟେ କୁଲା ବାଉଁଶିଆ କରିବାକୁ ମଧ୍ୟ ସମ୍ବଳ ନାହିଁ । କାମ ଖୋଜି ନପାଇବାରେ ମାଗିଯାଚି ପେଟ ପୋଷୁଛନ୍ତି ବୋହୁ ଓ ଶାଶୂ । ସ୍ୱାମୀ ଓ ପିଲାଙ୍କୁ ଦେଲା ପରେ ବଳିଲେ ନିଜେ ଖାଉଛନ୍ତି । ଗୁନ କୁହନ୍ତି ସ୍ୱାମୀ ଓ ପୁଅ ରିକ୍ସା ଚଳାନ୍ତି । କିଛି କିଛି ନିଶାପାଣି ମଧ୍ୟ କରନ୍ତି । କିନ୍ତୁ ବାଜା ବଜାଇ, ରିକ୍ସା ଭଡ଼ା ଓ କୁଲା ବାଉଁଶିଆ ତିଆରିରେ ଯାହା କିଛି ରୋଜଗାର ହୁଏ ପରିବାର ଚଳୁଥିଲା । ଏବେ ସବୁ କିଛି ଯାଇଛି । ଔଷଧ ପାନେ ଦୂରେ ଥାଉ ପେଟକୁ ଦାନା ମୁଠେ ପାଇଁ ଅନ୍ୟକୁ ନିର୍ଭର । କରୋନା ମହାମାରୀ ସମୟରେ ବାଉଁଶ ଦିଟା ପାଉନୁ କି କାମ ଖୋଜିଲେ ମିଳୁନି । ସରକାରୀ ରେସନ୍‌ କାର୍ଡ଼ରେ ଚାଉଳ ଗଣ୍ଡିକ କେବଳ ମିଳୁଛି । କିନ୍ତୁ ଆମ ବୁଢା, ବୁଢ଼ୀ କିମ୍ବା ପିଲାଙ୍କ ନାମ ମଧ୍ୟ କାର୍ଡ଼ରେ ଉଠିନି ।

ଟୁନା କୁହନ୍ତି ଆମର ୪ଜଣ ଭୋଟର୍‌ ଅଛନ୍ତି । ଭୋଟ୍‌ ସମୟରେ ନେତା ଘରକୁ ଆସୁଛନ୍ତି । ସବୁ କିଛି ସୁବିଧା କରିବାକୁ କହୁଛନ୍ତି । ଶାସନକର୍ତ୍ତାଙ୍କୁ ମଧ୍ୟ ଆମ୍ଭେ ବାଛିଛୁ । ସମସ୍ୟା ସମାଧାନ ଆଶାରେ ନେତାଙ୍କ ପାଖକୁ ଯିବାରେ ନେତା ୫୦ଟଙ୍କା ଦେଇଥିଲେ । ଫୋନ୍‌ ନମ୍ବର ମଧ୍ୟ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଆମକୁ କୌଣସି ସହାୟତା ମିଳି ନାହିଁ। ଦୁଃଖ ଶୁଣିବାକୁ ନେତା ଫୋନ୍‌ ମଧ୍ୟ ଉଠାଉ ନଥିବା କହିଛନ୍ତି ଟୁନା। ଏଭଳି ସ୍ଥିତିରେ ଗୁନଙ୍କ ପରିବାର ବଞ୍ଚିବାକୁ ରାହା ଖୋଜିବା ସହ ଅନ୍ୟର ହାତଟେକାକୁ ଚାହିଁ ବସୁଛନ୍ତି । ମହାପ୍ରଭୁଙ୍କ ଆସ୍ଥାନ ଶ୍ରୀକ୍ଷେତ୍ର ତଥା ମହାତ୍ମା ଗାନ୍ଧୀଙ୍କ ଦେଶରେ ହରିଜନ ପରିବାରର ଏଭଳି ଦୁର୍ଦ୍ଦଶା ଭାରତୀୟ ଗଣତନ୍ତ୍ରକୁ ଉପହାସ କରୁଛି ।

   ସମ୍ବନ୍ଧିତ ଖବର


ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…