ହାଥରସ୍ ମାମଲା: ଯେଉଁ କ୍ଷେତରେ ପୀଡିତାଙ୍କୁ ହୋଇଥିଲା ଦୁଷ୍କର୍ମ, ତା’ର ମାଲିକ ସରକାରଙ୍କୁ ମାଗିଲେ କ୍ଷତିପୂରଣ

ହାଥରସ୍,୧୯।୧୦: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଚର୍ଚ୍ଚାର ପରିସରରେ ରହିଛି। ଏହି ମାମଲାରେ ଆଉ ଏକ ଖବର ସାମନାକୁ ଆସିଛି। ହାଥରସ ପୀଡିତାଙ୍କ ସହ ଯେଉଁ କ୍ଷେତରେ ଏହି ଅମାନବୀୟ କାର୍ଯ୍ୟ ହୋଇଥିଲା ତାହାର ମାଲିକ ଏବେ ସରକାରଙ୍କୁ କ୍ଷତି ପୂରଣ ମାଗିଛନ୍ତି। କ୍ଷେତର ମାଲିକ ଛୋଟୁଭାଇଙ୍କ ଭାଇ ସୋମ ସିଂ କହିଛନ୍ତି, ଏହି ଘଟଣା ପରେ ବାଜରା ଫସଲ କରିଥିବା ଜମିରେ ପୋଲିସ ପାଣି ମଡାଇବାକୁ ଦେଲାନି। ପୋଲିସ ବହୁ ଦିନ ପର୍ଯ୍ୟନ୍ତ ପ୍ରମାଣ ଥିବା ନେଇ ଚାଷ ଜମିରେ ପାଣି ମଡାଇବାକୁ ମନା କରିଥିଲା।

ଏବେ ସିବିଆଇ କହୁଛି ଫସଲ କାଟିପାରିବ, କିନ୍ତୁ ଫସଲ ତ ନଷ୍ଟ ହୋଇଯାଇଛି। ବାକି ଆଉ କ’ଣ ରହିଲା ଯେ, ଅମଳ କରିବି? କ୍ଷେତ ମାଲିକଙ୍କ କହିବା ଅନୁସାରେ, ଆମର ଅତି କମରେ ୫୦ ହଜାର ଟଙ୍କାର କ୍ଷତି ହୋଇଛି। ଏହାର କ୍ଷତିପୂରଣ ମୋତେ ମିଳିବା ଦରକାର। ଆମର ବାଜରାର ୬ ମାସର ଫସଲ। ଆମେ ଚାଷ ଓ ପଶୁଙ୍କ ଉପରେ ନିର୍ଭର କରୁ। ଏଭଳି ଘଟଣା ପରେ ଆମର ବହୁତ କ୍ଷତି ହୋଇଛି। ସରକାର ଆମକୁ ସାହାଯ୍ୟ କରନ୍ତୁ। ଉଲ୍ଲେଖନୀୟ ଯେ, ଏହି ମାମଲାରେ ସିବିଆଇ ଲଗାତାର ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।