
ଚିତ୍ରଡ଼ା,୩୦/୧୧: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ ଅଧୀନ ଭାତଛତ୍ର ଗାଁ ନିକଟ ପିଚୁ ରାସ୍ତାରୁ ମିଳିଛି ହାତୀ ଦାନ୍ତ । ବନ ବିଭାଗ କର୍ମଚାରୀ ହାତୀ ଚଲାପଥ ଉକ୍ତ ରାସ୍ତାରୁ ଏକ ଭଙ୍ଗା ହାତୀ ଦାନ୍ତ ପାଇଛନ୍ତି । ଏହାର ଓଜନ ପ୍ରାୟ ୨୦୦ ଗ୍ରାମ୍ ହେବ ବୋଲି ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଏହି ହାତୀ ଦାନ୍ତଟି ରାସ୍ତା ଉପରେ କିପରି ପଡ଼ିଲା ସେ ସମ୍ପର୍କରେ ଜଣାପଡ଼ି ନାହିଁ ।
ରାସଗୋବିନ୍ଦପୁର ବନାଞ୍ଚଳ ଅଧୀନରେ ଗତ ଦୁଇ ମାସ ହେଲା ହାତୀ ଉତ୍ପାତ ଜାରି ରହିଛି । ଗତ ଶୁକ୍ରବାର ବନ କର୍ମଚାରୀମାନେ ହାତୀମାନଙ୍କ ପିଛା କରୁଥିବା ବେଳେ ଉକ୍ତ ରାସ୍ତା ଉପରୁ ହାତୀ ଦାନ୍ତଟି ମିଳିଥିଲା । ଏନେଇ ରେଞ୍ଜ୍ ଅଧିକାରୀ ୟୁଡି କେସ୍ ନମ୍ବର ୨୩ଆର୍/୨୦୨୦ରେ ଏକ ମାମଲା ରୁଜୁ କରିଛନ୍ତି । ଶୁକ୍ରବାର ୪୩ଟି ହାତୀ ଓଡ଼ିଶାରୁ ଭାତଛତ୍ର ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଚାଲି ଯାଇଛନ୍ତି । ସେ ସବୁ ହାତୀ ନୀଳଗିରିରୁ ଫେରିଥିଲେ । ଏହି ହାତୀପଲରେ ଥିବା ଦନ୍ତାର ଦାନ୍ତ ଭାଙ୍ଗିଥିବା ବନ ବିଭାଗ ତରଫରୁ କୁହାଯାଉଛି ।