ସ୍ୱାସ୍ଥ୍ୟ ବିଭାଗକୁ ପୁରୀ ଚିନ୍ତା; ବାତ୍ୟାଞ୍ଚଳ ପରିଦର୍ଶନ କରିବେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର,୧୨ ।୫(ବ୍ୟୁରୋ): ବାତ୍ୟା ପରେ ଏବେ ଜିଲ୍ଲାରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା, ଏ କଥା ବୁଝିବାକୁ ଆସନ୍ତାକାଲି ପୁରୀ ଯିବେ ସ୍ୱାସ୍ଥ୍ୟ ବିଭାଗ ଅଫିସର । ସ୍ୱାସ୍ଥ୍ୟ ସଚିବଙ୍କଠୁ ଆରମ୍ଭ କରି ବିଭାଗର ସବୁ ବରିଷ୍ଠ ଅଧିକାରୀ ଜିଲ୍ଲାକୁ ଯାଇ ସବୁ ବ୍ୟବସ୍ଥାର ତଦାରଖ କରିବେ ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକକୁ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଓ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯିବେ । ପୁରୀ ସଦର ବ୍ଲକକୁ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବ୍ରହ୍ମଗିରିକୁ ବିଭାଗର ଯୁଗ୍ମ ସଚିବ ମାନସ ପାଢୀ ଓ ଉପ ସଚିବ ରାଜେଶ ଅଗ୍ରୱାଲ ଯିବେ । ସତ୍ୟବାଦୀ ବ୍ଲକକୁ ପରିଦର୍ଶନ କରିବେ ଯୁଗ୍ମ ସଚିବ ୟାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦ, କଣାସ ବ୍ଲକକୁ ଉପସଚିବ ଜସ୍ମିନ୍‌ ପଟ୍ଟନାୟକ ଓ ସ୍ୱତନ୍ତ୍ର ସଚିବ ଶରତ ମିଶ୍ର, ଗୋପ ବ୍ଲକକୁ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପ ସଚିବ ମମତା ବାରିକ ।

ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରତିନିଧି ଦଳରେ ଡାକ୍ତର ମଧ୍ୟ ରହିବେ । ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ଲୋକେ କିଭଳି ସେବା ପାଉଛନ୍ତି, ସେନେଇ ଅନୁଧ୍ୟାନ କରିବ । ବାତ୍ୟା ପରେ ଲୋକଙ୍କୁ ଆବଶ୍ୟକ ପରିମାଣରେ ଔଷଧ ଯୋଗାଣ, ପ୍ରସୂତିଙ୍କ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ଜାରି ସର୍ତକତାର ଅନୁପାଳନ ହେଉଛି ନା ନାହିଁ ବୁଝିବେ । ଲୋକଙ୍କ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅଫିସର ଅବଗତ ହେବେ ।

ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ପାଇଁ ୧୦ ପଞ୍ଚାୟତ ପାଇଁ ଜଣେ ଡାକ୍ତର, ପ୍ରତି ପଞ୍ଚାୟତ ପାଇଁ ସ୍ୱାସ୍ଥ୍ୟକର୍ମୀ ଦାୟିତ୍ୱରେ ରହିବେ । ଏମିତି ନିର୍ଦ୍ଦେଶନାମା ସ୍ୱାସ୍ଥ୍ୟ ବିଭାଗର ରହିଛି । ସେହି ଅନୁସାରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ବ୍ଲକରେ ଏଭଳି ବ୍ୟବସ୍ଥା ହୋଇଛି । ଯେଉଁଥିରେ ୨୦ ଜଣ ଡାକ୍ତର, ୨୦୦ ଜଣ ସ୍ୱାସ୍ଥ୍ୟକର୍ମୀ ମୁତୟନ କରାଯିବ । ଏଥିପାଇଁ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ସିଡିଏମ୍‌ଓଙ୍କୁ ସେମାନଙ୍କ ଜିଲ୍ଲାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଠାଇବାକୁ କୁହାଯାଇଛି । ଏମାନେ ରବିବାର ସକାଳ ୮ଟା ସୁଦ୍ଧା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ସହ ସାତ ଦିନ ପାଇଁ ବାତ୍ୟା ପ୍ରଭାବିତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ କାମ କରିବେ ।

ଫୋନି ପାଇଁ ଆରଏସ୍‌ଏସ୍‌ର ୧୪ ଡାକ୍ତରୀ ଟିମ୍‌

ଫୋନି ବିପନ୍ନଙ୍କୁ ରିଲିଫ୍‌ ଓ ସହାୟତା ଅଭିଯାନକୁ ଜୋର୍‌ଦାର୍‌ କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) । ମହାମାରୀ ନ ବ୍ୟାପିବା ପାଇଁ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେଇଛି ସଂଘ । ୧୪ଟି ଡାକ୍ତରୀ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳରେ ବାତ୍ୟା ପ୍ରପୀଡିତଙ୍କୁ ଚିକିତ୍ସା ଯୋଗାଉଛନ୍ତି । ସଂଘ ନେତୃତ୍ୱରେ ସେବା କାର୍ଯ୍ୟକୁ ଆଗେଇ ନେଉଥିବା ଉତ୍କଳ ବିପନ୍ନ ସହାୟତା ସମିତି ଏହି ସୂଚନା ଦେଇଛି ।  ସମିତିର ଗୋଲଖ ଚନ୍ଦ୍ର ଦାସ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି, କ୍ଷତିଗ୍ରସ୍ତ ଅଞ୍ଚଳରେ ଏବେ ମହାମାରୀ ବ୍ୟାପିବାର ଭୟ ରହିଛି । ସଂଘର ୧୪ ଡାକ୍ତରୀ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳରେ ଚିକିତ୍ସା ଚଳାଇଛି । ପ୍ରତି ଟିମ୍‌ରେ ଗୋଟିଏ ଆମ୍ବୁଲାନ୍ସ, ଜଣେ ଡାକ୍ତର, ଜଣେ ଲାବୋରେଟିଆନ୍‌, ଜଣେ ନର୍ସ, ଜଣେ କମ୍ପାଉଣ୍ଡର ଅଛନ୍ତି । ସ୍ଥାନୀୟ ଅଞ୍ଚଳର ସ୍ୱୟଂସେବକ ଏଥିରେ ସହାୟତା କରୁଛନ୍ତି । ରୋଗୀଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ଦିଆଯାଉଛି । ପିଇବା ପାଣିର ବି ନମୂନା ପରୀକ୍ଷା ହେଉଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱୟଂସେବକଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ସହ ରନ୍ଧାଖାଦ୍ୟ ଓ ରିଲିଫ୍‌ ବଣ୍ଟନ କାମ ଚାଲିଛି ।   ପୁରୀର ଘୋଡାବଜାର, ବ୍ରହ୍ମଗିରି, ବଳଙ୍ଗା, କୋଣାର୍କ, ଖେଲାର, କଣାସ, ଦାଣ୍ଡମୁକୁନ୍ଦପରୁ, ନିମାପଡା,ବାଲିପାଟଣା, ଖୋର୍ଦ୍ଧାର ସୋରଣ, ଜଟଣୀ, ଭୁବନେଶ୍ୱରର ୟୁନିଟ-୩, କଟକର ମହାନଦୀ ବିହାର ଓ ଓଲଟପୁରଠାରେ ସଂଘର ସହାୟତା କେନ୍ଦ୍ର ଅଛି । କଟକ ଓଲଟପୁରସ୍ଥିତ କେନ୍ଦ୍ରରେ ୧୦ ହଜାର, ମହାନଦୀ ବିହାରରେ ୨୨ ହଜାର ଓ ଭୁବନେଶ୍ୱରର ୟୁନିଟ୍‌ ୩ ଅଞ୍ଚଳରେ ୧୫ହଜାର, ବାଲିପାଟଣାରେ ୧୧ ହଜାର, ପୁରୀ ସହରାଞ୍ଚଳରେ ୪୮ ହଜାର ଓ ଦାଣ୍ଡମୁକୁନ୍ଦପୁରରେ ୧୭ ହଜାର, ନିମାପଡାରେ ୫ ହଜାର ଜଣ କ୍ଷତିଗ୍ରସ୍ତ ଉପକୃତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା