ବସନ୍ତରେ ପଶିଲା ଗ୍ରୀଷ୍ମ, ପାରଦ ୪୦ ଛୁଇଁଲା

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ବସନ୍ତରେ ଧସେଇ ପଶିଛି ଗ୍ରୀଷ୍ମ । ପାରଦ ଡିଆଁ ମାରି ୪୦ ଡିଗ୍ରୀ ପାଖରେ ପହଞ୍ଚିଛିା । ଛଟପଟ କରିଛି ଜନଜୀବନକୁ । ଏମିତି ଅବସ୍ଥା ଆଜି ଭୋଗିଛି ରାଜଧାନୀ ଭୁବନେଶ୍ୱର । ତାପମାତ୍ରା ଯେତିକି ରହିବା କଥା, ପାରଦ ତା’ଠାରୁ ୬ ଡିଗ୍ରୀ ଉପରକୁ ଉଠିଯାଇଛି । କଟକ ସହର ବି ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ତାପମାତ୍ରାରେ ସିଝିଛି । ଦକ୍ଷିଣରେ ମାଲକାନଗିରି ମଧ୍ୟ ନାକେମ୍‌ ହୋଇଛି ଆଗୁଆ ଗ୍ରୀଷ୍ମ ପ୍ରବାହରେ ।

ଫେବ୍ରୁଆରୀ ସରିନି । ଆହୁରି ସପ୍ତାହେ ବାକି ଅଛି । ହେଲେ ଏବେଠୁ ମୁଣ୍ଡ ଝାଇଁଝାଇଁ କଲାଣି ଖରା । ତାପମାତ୍ରା ବଢ଼ି ଚାଲିଥିବାବେଳେ ଆଜି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ପହଞ୍ଚି ଯାଇଛି । ଦୁଇଦିନ ହେଲାଣି ରାଜ୍ୟରେ ଗରମ ପ୍ରକୋପ ଆକସ୍ମିକ ଭାବେ ବଢ଼ିଛି । ଶୁକ୍ରବାର ଉଭୟ ଭୁବନେଶ୍ୱର ଓ ମାଲକାନଗିରି ୩୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସିଝିଛି । ୧୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର, ମାଲକାନଗିରି ପଛକୁ କଟକ ସହର ତାପମାତ୍ରା ୩୭.୨ ଡିଗ୍ରୀରେ ପହଞ୍ଚିଛି । ଭବାନୀପାଟଣା ୩୭ ଡିଗ୍ରୀ ଥିବାବେଳେ ତାଳଚେର ୩୬.୫, ବଲାଙ୍ଗିର ୩୬.୫, ସୋନପୁର ୩୬.୪, ବାରିପଦା ୩୬.୨, ଅନୁଗୁଳ ୩୬.୧, ଚାନ୍ଦବାଲି ୩୫.୭, ଝାରସୁଗୁଡ଼ା ୩୫.୭, ସମ୍ବଲପୁର ୩୫.୫ ଓ ହୀରାକୁଦ ୩୫.୧ ଡିଗ୍ରୀ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଶନିବାର ବି ଏଭଳି ଗରମ ଜାରି ରହିବ । ଭୁବନେଶ୍ୱର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିବ । ରବିବାରଠାରୁ ତାପମାତ୍ରା କମିବ । ସୋମବାରକୁ ଦିନ ତାପମାତ୍ରା ୩୦ ଡିଗ୍ରୀ ପାଖାପାଖି ଥିବା ଅନୁମାନ କରାଯାଉଛି ।
ଅପରପକ୍ଷରେ ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କାଁ ଭାଁ ହାଲ୍‌କା ବର୍ଷା ହୋଇପାରେ । ରବିବାରଠାରୁ ପାଗ ଅଧିକ ମେଘୁଆ ହେବା ସହ ବର୍ଷା ବଢ଼ିପାରେ । ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

ସୋମବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ବି ବର୍ଷା ହୋଇପାରେ । କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକରେ ଘଡ଼ଘଡ଼ି ଓ କୁଆପଥର ବର୍ଷା ଆଶଙ୍କା ରହିଛି । ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ମଙ୍ଗଳବାର ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳରେ ଘଡ଼ଘଡ଼ି ସହ ଧୂଳିଝଡ଼ ହୋଇପାରେ ।

   ସମ୍ବନ୍ଧିତ ଖବର


ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ