୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରବଳ ବର୍ଷା: ଲଗାଣ ବର୍ଷାରେ ଫୁଲିଲା ନଈ

ଭୁବନେଶ୍ୱର ୭/୯: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁ ମହାନଦୀ ସମେତ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି । ବୈତରଣୀ ବିପଦ ସଙ୍କେତ ଡେଇଁଥିବାବେଳେ ବଂଶଧାରା ସତର୍କ ସଙ୍କେତ ଟପିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତା’ ପରେ ବର୍ଷା କମିବ ।

ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ବିପଦ ସଙ୍କେତ ପାର୍‌ କରିଛି । ଆଜି ସନ୍ଧ୍ୟା ୬ଟାବେଳେ ଆଖୁଆପଦାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ (୧୭.୮୩ ମିଟର) ଅତିକ୍ରମ କରି ୧୮.୧୦ ମିଟରରେ ପ୍ରବାହିତ ହେଉଥିଲା । ଆନନ୍ଦପୁରରେ ମଧ୍ୟ ବୈତରଣୀ ଜଳସ୍ତର ବଢ଼ି ଚାଲିଛି । ବ୍ରାହ୍ମଣୀ ଜଳସ୍ତର ଜେନାପୁରଠାରେ କ୍ରମଶଃ ବଢ଼ି ୧୯.୪୪ ମିଟରରେ ପହଞ୍ଚିଛି । ବଂଶଧାରା ଗୁଣୁପରରେ ସତର୍କ ସଙ୍କେତ ପାର୍‌ କରି ୮୩.୧୨ ମିଟରରେ ପ୍ରବାହିତ ହେଉଥିଲା । ଜଳକା ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।
ମହାନଦୀ ମଧ୍ୟ ଫୁଲିବାରେ ଲାଗିଛି ।

ଆଜି ସନ୍ଧ୍ୟା ୬ଟାବେଳେ ୬୨୫.୬୨ ଫୁଟ୍‌ ଥିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୨୫ ହଜାର ୬୮୯ ଘନ ଫୁଟ ଜଳ ପ୍ରବେଶ କରୁଥିବାବେଳେ ୬ଟି ଗେଟ୍‌ ଦେଇ ୧ ଲକ୍ଷ ୧୭ ୬୮୪ ଘନ ଫୁଟ୍‌ ଜଳ ଛଡ଼ା ଯାଉଛି । ସନ୍ଧ୍ୟା ୬ଟାବେଳେ ଖଇରମାଳରେ ୫ ଲକ୍ଷ ୧୪ ହଜାର ଘନ ଫୁଟ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳରେ ୬ ଲକ୍ଷ ୧୩ ହଜାର ଘନ ଫୁଟ ଓ ମୁଣ୍ଡୁଳିରେ ୫ ଲକ୍ଷ ୧୧ ହଜାର ୨୫୮ ଘନ ଫୁଟ ଜଳ ପ୍ରବାହିତ ହେଉଥିଲା । ନରାଜଠାରେ ମହାନଦୀ ସତର୍କ ସଙ୍କେତ ପାଖାପାଖି (୨୫.୧୯ ମିଟର) ପହଞ୍ଚିଛି । ଆଳିପିଙ୍ଗଳରେ ବି ନଦୀର ଜଳସ୍ତର ବଢ଼ୁଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ କହିବାନୁଯାୟୀ ଲଘୁଚାପ ଉତ୍ତର ଓଡ଼ିଶା ଉପରେ ରହିଛି । ଏହା ପ୍ରଭାବ ଆସନ୍ତାକାଲିଠାରୁ କମିବ । ଆଜି ରାତି ଭିତରେ ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ମାତ୍ର ଆସନ୍ତାକାଲିଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତାକାଲି ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୯ ତାରିଖରୁ ବର୍ଷା ପ୍ରାୟତଃ କମିଯିବ । ଆସନ୍ତା ୪-୫ ଦିନ ଭିତରେ ବର୍ଷା ବଢ଼ିବା ସମ୍ଭାବନା ନାହିଁ । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

   ସମ୍ବନ୍ଧିତ ଖବର


ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…