ପୁଣି ୨୮ରେ ଆସୁଛି ଆଉ ଏକ ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର ୨୫/୮: ଲଘୁଚାପ ପରେ ଲଘୁଚାପ । ଆଜି ଉପକୂଳ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ୨୮ ତାରିଖବେଳକୁ ପୁଣି ଏକ ଲଘୁଚାପ ଆସିବା ପାଇଁ ଦାନା ବାନ୍ଧିଲାଣି । ପାଣିପାଗ ପୂର୍ବାନୁମାନ ହେଲା, ବର୍ତ୍ତମାନ ଯେଉଁ ଲଘୁଚାପ ରହିଛି, ତା’ ପ୍ରକୋପ ଆଉ ୨୪ ଘଣ୍ଟା ରହିବ । ରବିବାର କେତେକ ଜାଗାରେ ବର୍ଷା କରାଇବ । ୯ଟି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ତା’ ପରେ ଦିନେ ଦୁଇଦିନ ପାଇଁ ବର୍ଷା ପ୍ରକୋପ କମିବ । ହେଲେ ୨୮ରୁ ପୁଣି ଲଗାଣ ବର୍ଷା କରାଇବ ସମ୍ଭାବ୍ୟ ଲଘୁଚାପ ।
ଉପକୂଳ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଲଘୁଚାପ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଭାରତ ଆଡ଼କୁ ମୁହାଁଇବ । ଗତ ୨୪ ଘଣ୍ଟାରେ (ଆଜି ସକାଳ ୮ଟା ୩୦ ସୁଦ୍ଧା) ତେଲକୋଇରେ ୯୮ ମିଲିମିଟର, ବିଜେପୁରରେ ୮୦.୪, କାମାକ୍ଷାନଗରରେ ୭୧.୧, ଘଟଗାଁରେ ୬୧.୨, ସ୍ୱାମପାଟଣାରେ ୬୦.୮, ତାଳଚେରରେ ୬୨.୨, ଆଳିପିଙ୍ଗଳରେ ୫୬.୮, ମୁଣ୍ଡୁଳିରେ ୬୮.୪, ଜୟପାଟଣାରେ ୭୫, ରେଙ୍ଗାଳିରେ ୫୯, ସୁନ୍ଦରଗଡ଼ରେ ୬୩, ଲଇକେରାରେ ୫୨, ସମ୍ବଲପୁରରେ ୪୮ ମିମି ବର୍ଷା ହୋଇଛି ।

ଆଜି ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ଟିଟିଲାଗଡ଼ରେ ୬୨ ମିମି ବର୍ଷା ହୋଇଥିବାବେଳେ କେନ୍ଦୁଝର, ପାରାଦୀପ, ଭୁବନେଶ୍ୱର, କେନ୍ଦୁଝର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବାରେ ଲାଗିଛି । ଆଖୁଆପଦାରେ ସତର୍କ ସଙ୍କେତ (୧୭.୩୩ ମିଟର) ଟପିଯାଇଛି । ସନ୍ଧ୍ୟା ୬ଟାବେଳେ ସେଠାରେ ଜଳସ୍ତର ୧୭.୫୦ ମିଟର ଛୁଇଁ ସାରିଥିଲା । ବିପଦ ସଙ୍କେତଠାରୁ ମାତ୍ର ୦.୩୩ ମିଟର ତଳେ ରହିଥିବାବେଳେ ଜଳସ୍ତର ବଢ଼ିବାରେ ଲାଗିଛି । ଏଭଳି ଭାବେ ଜଳସ୍ତର ବଢ଼ିଲେ ରାତି ଭିତରେ ବୈତରଣୀ ବିପଦ ସଙ୍କେତ ଡେଇଁପାରେ । ଜଳକାରେ ଜଳସ୍ତର କମିଥିଲେ ବି ଏବେ ବି ଏହା ବିପଦ ସଙ୍କେତ (୫.୫୦) ଉପରେ ରହିଛି । ସନ୍ଧ୍ୟା ସୁଦ୍ଧା ଜଳକା ଜଳସ୍ତର ୬.୦୬ ମିଟର ଥିଲା ।

ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ବର୍ତ୍ତମାନ ଥିବା ଲଘୁଚାପ ପ୍ରଭାବରେ ଶନିବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ମାତ୍ର ଆସନ୍ତାକାଲିଠାରୁ ବର୍ଷା ପରିମାଣ କମିପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।

୨୮ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୨୭ ତାରିଖ ରାତି କିମ୍ବା ୨୮ ତାରିଖ ସକାଳୁ ବର୍ଷା ବଢ଼ିବ । ବିଶେଷକରି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । ୨୮ରେ ଉପକୂଳ ଓ ପରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ଅଛି । ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ରହିବ ।

ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ଏହାବାଦ୍‌ ବି ଅନେକ ଜାଗାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ପୁରୀରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ବର୍ଷା କମିବ । ୨୭ରେ ସାମାନ୍ୟ ବଢ଼ିବ । ୨୮ରୁ ଆହୁରି ବଢ଼ିବ । ପ୍ରବଳରୁ ପ୍ରବଳତର ବର୍ଷା କରାଇବ ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ବର୍ତ୍ତମାନ ଲଘୁଚାପ ଥିବାରୁ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ମଧ୍ୟ ଅଶାନ୍ତ ରହୁଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

   ସମ୍ବନ୍ଧିତ ଖବର


ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮