ଆଜି ପ୍ରବଳ ବର୍ଷିବ ନେଇ ପାଣିପାଗ ବିଭାଗର ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୨/୯ : ପାଣିପାଗ ବିଭାଗର ପୂର୍ବାନୁମାନ ବାରମ୍ବାର ଫେଲ୍‌ ମାରିବାରେ ଲାଗିଛି । ଯେଉଁଭଳି ପୂର୍ବାନୁମାନ କରୁଛନ୍ତି, ସେଭଳି ବର୍ଷା ହେଉନି । ଆଜି ତାଜା ପୂର୍ବାନୁମାନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୁଣି କହିଛି, ଆସନ୍ତାକାଲି (୨ ତାରିଖ) ପ୍ରବଳ ବର୍ଷା ହେବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି ।

ଆଇଏମ୍‌ଡି ପୂର୍ବାନୁମାନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ମଧ୍ୟ ଛାନିଆ ହୋଇପଡ଼ିଛି । ଓସ୍‌ଡମା ପୁଣି କହିଛି, ଏମିତି ଲଗାଣ ବର୍ଷା ହେଲେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆସିପାରେ । ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି ।

ପାଣିପାଗ ବିଭାଗ ସୂଚନା ମୁତାବକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ବଢ଼ିବ । ଆସନ୍ତା ୨ ଓ ୩ ତାରିଖରେ ଅଧିକ ବର୍ଷା ହେବ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶାରେ ।

ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏଥିପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ଢେଙ୍କାନାଳ, ଅନୁଗୁଳ, କଟକ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ପୁରୀ, ଗଜତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ମଙ୍ଗଳବାର ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା ଅଛି ।

ଓସ୍‌ଡମା ସତର୍କ କରାଇ ଦେଇଛି ଯେ ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରାୟ ୮୫% ଭରି ରହିଛି । ମାଛକୁଣ୍ଡ ଜଳଭଣ୍ଡାର ପାଖାପାଖି ୯୦% ପାଣି ପୂର୍ଣ୍ଣ ଥିବାବେଳେ ରେଙ୍ଗାଳିରେ ମଧ୍ୟ ୮୧.୩୦% ପାଣି ଭରି ରହିଛି । ସାଳନ୍ଦୀ ଜଳଭଣ୍ଡାରରେ ୬୫% ପାଣି ଭରି ରହିଥିବାବେଳେ ଉପରକୋଲାବ ଓ ବାଲିମେଳା ଜଳଭଣ୍ଡାରରେ ୫୭% ପାଣି ଭରି ରହିଛି । ଏଭଳି ସ୍ଥିତିରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିପାରେ ।
ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷା ହୋଇନି । ଅଧିକାଂଶ ଜାଗାରେ ପାଗ ଶୁଖିଲା ରହିଛି ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ