ଏବେ ଆସିବନି ‘ହେରା ଫେରି-୩’

source:www.mid-day.com
ପୁଣି ବାତିଲ୍ ହେଲା ହିଟ୍ ସିନେମା ‘ହେରା ଫେରି’ ସିରିଜ୍ର ‘ହେରା ଫେରି-୩’ । ଅଭିନେତା ଅଜୟ ଦେବଗନ୍ଙ୍କ ସହିତ ନୂଆ ହାସ୍ୟରାସାତ୍ମକ ଫିଲ୍ମ କରିବାକୁ ଯୋଜନା କରି ସାରିଥିବା ନିର୍ଦ୍ଦେଶକ ଇନ୍ଦ୍ର କୁମାର ପୁଣିଥରେ ‘ହେରା ଫେରି-୩’ର ଶୁଟିଂକୁ ବାତିଲ୍ କରିଛନ୍ତି । ୫ବର୍ଷ ମଧ୍ୟରେ ଅନେକ ଥର ତାରିଖ ଠିକ୍ ହୋଇ ଏହିଭଳି ସିନେମାର ଶୁଟିଂ ବାତିଲ୍ ହେଲାଣି । ଗତ ଫେବ୍ରୁଆରୀ ଦେଇଥିବା ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଇନ୍ଦ୍ରକୁମାର କହିଥିଲେ, ଖୁବ୍ଶୀଘ୍ର ‘ହେରା ଫେରି-୩’ ଆସୁଛି । ପୁଣିଥରେ ମୋ ପ୍ରିୟ କଳାକାରମାନେ ଫେରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏ ସିନେମାର ଶୁଟିଂ ଆରମ୍ଭ ହେବ । ବର୍ତ୍ତମାନ ସ୍କ୍ରିପ୍ଟିଂ କାମ ଚାଲିଛି । କିନ୍ତୁ ‘ଟୋଟାଲ୍ ଧମାଲ’ରେ ବ୍ୟସ୍ତ ରହି ଇନ୍ଦ୍ର କୁମାର ‘ହେରା ଫେରି-୩’ କୁ ଭୁଲିଗଲେ ।
କିଛି ଦିନ ପୂର୍ବରୁ ଏମିତି ବି ଚର୍ଚ୍ଚା ହେଉଥିଲା ଯେ, ‘ହେରା ଫେରି-୩’ରେ ପୂର୍ବ ପରି ପରେଶ ରାୱଲ, ସୁନୀଲ ସେଟ୍ଟୀ ରହିବେ, କିନ୍ତୁ ଅକ୍ଷୟ କୁମାରଙ୍କ ସ୍ଥାନରେ ଜନ୍ ଆବ୍ରାହମ୍ ଏବଂ ଅଭିଷେକ ବଚ୍ଚନ ଯୋଡ଼ି ହେବେ । ପରେ ସିନେମା ନିର୍ମାଣରେ ବିଳମ୍ବ ହେବାରୁ ଜନ୍ ଓ ଅଭିଷେକ ଓହରି ଯାଇଥିଲେ । ପୁଣିଥରେ ଅକ୍ଷୟଙ୍କୁ ନେବାକୁ ସ୍ଥିର ହୋଇଥିଲେ । ବର୍ତ୍ତମାନ ‘ହାଉସ୍ଫୁଲ୍-୪’, ‘ଗୁଡ୍ ନ୍ୟୁଜ୍’, ‘ମିଶନ୍ ମଙ୍ଗଳ’ ଏବଂ ‘ସୂର୍ଯ୍ୟବଂଶୀ’କୁ ନେଇ ଅକ୍ଷୟ ଭାରି ବ୍ୟସ୍ତ । ତେଣୁ ‘ହେରା ଫେରି-୩’ କେବେ ଆସିବ ଆଉ ଏଥିରେ କିଏ ରହିବେ ତାହା ସମୟ କହିବ । ତେବେ ୨୦୦୦ମସିହାରେ ‘ହେରା ଫେରି’ ଏବଂ ୨୦୦୬ରେ ‘ଫିର୍ ହେରା ଫେରି’ ରିଲିଜ୍ ହୋଇ ହିଟ୍ ହୋଇଥିଲାବେଳେ ଏବେ ‘ହେରା ଫେରି-୩’କୁ ସମସ୍ତଙ୍କର ଅପେକ୍ଷା ।