ଲାଗୁ ହେବ ‘ହେଲିକପ୍ଟର ମନି’: ଲୋକେ ପାଇବେ ମାଗଣା ଟଙ୍କା

ନୂଆଦିଲ୍ଲୀ ୨୩/୫: କରୋନା ମହାମାରୀ ଯୋଗୁ ମୁହଁମାଡି ପଡିଥିବା ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ନ୍ୟୁଜିଲାଣ୍ଡ ସରକାର ଏକ ଭିନ୍ନ ବିଚାର ଉପରେ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ହାତକୁ ସିଧାସଳଖ ନଗଦ ଯୋଗାଇ ଦେବେ ସରକାର। ମାଗଣାରେ ନୋଟ୍‌ ବଣ୍ଟାଯିବ । ଏଥିପାଇଁ ପ୍ରଚୁର ନୋଟ୍‌ ଛାପିବ ନ୍ୟୁଜିଲାଣ୍ଡ୍‌ କେନ୍ଦ୍ରୀୟ ବ୍ୟାଙ୍କ । ଲୋକଙ୍କୁ ଏହି ଟଙ୍କାକୁ ପରିଶୋଧ କରିବାକୁ ପଡ଼ିବ ନାହିଁ । ଏଭଳି ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡର ଅର୍ଥମନ୍ତ୍ରୀ ଗ୍ରାଣ୍ଟ୍‌ ରୋବର୍ଟସନ୍‌ ।

ନ୍ୟୁଜିଲାଣ୍ଡ୍‌ ଅର୍ଥମନ୍ତ୍ରୀ ଆଜି କହିଛନ୍ତି ଯେ, ନୀତିଗତ ପ୍ରୋତ୍ସାହନ ଅନ୍ତର୍ଗତ ଲୋକଙ୍କୁ ସିଧାସଳଖ ନଗଦ ବିତରଣ କରିବା ଉପରେ ଆମେ ବିଚାର କରୁଛୁ । ‘ହେଲିକପ୍ଟର ମନି’ର ଉପଯୋଗ କରାଯାଇ ଲୋକଙ୍କ ହାତକୁ ନଗଦ ସ୍ଥାନାନ୍ତର କରାଯିବ । କରୋନା ମହାମାରୀ ବା କୋଭିଡ-୧୯ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ।

ସୂଚନାଯୋଗ୍ୟ, କରୋନା ପ୍ରକୋପ ବଢ଼ିବା କାରଣରୁ କ୍ରମାଗତ ଭାବେ ନ୍ୟୁଜିଲାଣ୍ଡ୍‌ ଅର୍ଥବ୍ୟବସ୍ଥାରେ ପତନ ଘଟୁଛି । ଏଥିପାଇଁ ନ୍ୟୁଜିଲାଣ୍ଡ ସରକାର ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ‘ହେଲିକପ୍ଟର ମନି’ ବ୍ୟବସ୍ଥାକୁ ଆପଣାଇବା ପାଇଁ ବିଚାର କରୁଛନ୍ତି । ସରଳ ଭାଷାରେ ଏହା କୁହାଯିବ ଯେ,ଏହି ବ୍ୟବସ୍ଥା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କୁ ଏଭଳି ନୋଟ୍‌ ଯୋଗାଇଥାଏ, ଯାହାର ପରିଶୋଧ କରାଯାଇ ନ ଥାଏ । ଏହା ମାଧ୍ୟମରେ ଲୋକଙ୍କ ହାତରେ ଅଧିକ ଟଙ୍କା ପହଞ୍ଚିଥାଏ । ଏହା ହେଲେ ସେମାନେ ଖର୍ଚ୍ଚ କରିବେ ଏବଂ ଅର୍ଥନୀତିରେ ସୁଧାର ଆସିବ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନ୍ୟୁଜିଲାଣ୍ଡ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହେଲିକପ୍ଟର ମନିକୁ ଆରମ୍ଭ କରିବା ପାଇଁ ତର୍ଜମା ଚାଲିଛି । ଏହା ଲାଗୁ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଅଧିକ ନୋଟ୍‌ ଛାପିବ ଏବଂ ଏହାକୁ ଜନସାଧାରଣଙ୍କ ହାତକୁ ଦିଆଯିବ ।

ସୂଚନାଯୋଗ୍ୟ, ‘ହେଲିକପ୍ଟର ମନି’ ଆଇଡିଆ ୧୯୩୦ ଦଶକରେ ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ସମୟରେ ଆସିଥିଲା । ସେତେବେଳେ ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରଣକାରୀମାନେ ମହାମାରୀ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ଏହା ଉପରେ ବିଚାର କରିଥିଲେ ।
ରିଜର୍ଭ ବ୍ୟାଙ୍କ ଅଫ୍‌ ନ୍ୟୁଜିଲାଣ୍ଡ ଏହାର ନଗଦ ହାରକୁ ରେକର୍ଡ ସର୍ବନିମ୍ନ ସ୍ତର ୦.୨୫% ପର୍ଯ୍ୟନ୍ତ କମାଇ ଦେଇଛି । ଗତ ସପ୍ତାହରେ ଏହା ନିଜର ବଣ୍ଡ୍‌ କ୍ରୟ କାର୍ଯ୍ୟକ୍ରମକୁ ଦୁଇଗୁଣା କରି ୩୬୭୦ କୋଟି ଡଲାର କରିଦେଇଥିବା ଜଣାଯାଇଛି ।

ହେଲିକପ୍ଟର ମନି କ’ଣ?

ହେଲିକପ୍ଟର ମନି ମୁଦ୍ରାନୀତିର ଏକ ଅପରମ୍ପରାଗତ ଟୁଲ୍‌ । ଏହା ଜରିଆରେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ଉଦ୍ୟମ କରାଯାଇଥାଏ । ବୃହତ୍‌ ମାତ୍ରାରେ ଟଙ୍କା ଛପାଯାଏ ଏବଂ ଏହାକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଏ । ସର୍ବପ୍ରଥମେ ଏହି ଶବ୍ଦକୁ ଆମେରିକୀୟ ଅର୍ଥନୀତିଜ୍ଞ ମିଲ୍‌ଟନ ଫ୍ରାଡ୍‌ମ୍ୟାନ୍‌ ବ୍ୟବହାର କରିଥିଲେ । ଫ୍ରାଡ୍‌ମ୍ୟାନ୍‌ ଏହାକୁ ନେଇ କହିଥିଲେ ଯେ, ଅର୍ଥବ୍ୟବସ୍ଥାରେ ହଠାତ୍‌ ନଗଦ ପରିମାଣ ବଢ଼ାଇଦେଲେ ମାନ୍ଦାବସ୍ଥାକୁ କିଛିମାତ୍ରାରେ ପ୍ରତିହତ କରିହେବ ଏବଂ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଏହି ଭଳି ନୀତି ଜରିଆରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ଜରିଆରେ ନୋଟ୍‌ ଯୋଗାଣ ବଢ଼ାଇଦିଏ ଏବଂ ଲୋକଙ୍କ ହାତକୁ ନୂଆ ଟଙ୍କା ଯାଏ । ଏହାଦ୍ୱାରା ବ୍ୟୟ ବଢ଼ିଥାଏ ଏବଂ ଅର୍ଥନୀତିରେ ଚାହିଦା ଆସିଥାଏ ।

   ସମ୍ବନ୍ଧିତ ଖବର


ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ