ତେଲ ସରିଗଲା, ବିଲରେ ଓହ୍ଲାଇଲା ହେଲିକପ୍ଟର

ଜରାବଗା,୧୧ା୪(ଆପ୍ର): ଆଜି ଗୋଟିଏ ଅଞ୍ଚଳରେ ଦୁଇଟି ସ୍ଥାନରେ ଉଭୟ ବିଜେଡି ଏବଂ ବିଜେପିର ପ୍ରଚାର କାର୍ଯ୍ୟକ୍ରମ ଥିବାବେଳେ ତେଲ ସରିଯିବାରୁ ବିଜେପି ନେତାଙ୍କ ହେଲିକପଟ୍ର ଏକ ବିଲରେ ଜରୁରୀ ଅବତରଣ କରିଥିବା ଦେଖିବାକୁ ମିଳିଛି । ଫଳରେ ଏଥିରେ ଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତା ଶ୍ରୀତମ ଦାସ ଏବଂ ଦେବଗଡର଼ ରାଣୀଙ୍କୁ ହଟହଟା ହେବାକୁ ପଡଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ବାମରା ବ୍ଲକର ଗଡପୋଷ ନିକଟସ୍ଥ କିନାବଗାରେ ବିଜେପିର ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ଥିଲା ।
ଏହି କାର୍ଯ୍ୟକ୍ରମକୁ ଯୋଗଦେବା ପାଇଁ ଭୁବନେଶ୍ୱରରୁ ଜେଟ୍ ସାର୍ଭ ଏଭିଏସନ୍ ପ୍ରାଇଭେଟ୍ ଲିମିଟେଡ୍ କଂପାନିର ଏକ ହେଲିକପ୍ଟର୍ରେ ଆସୁଥିଲେ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତା ଶ୍ରୀତମ ଦାସ ଏବଂ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ । ଏଥିପାଇଁ କିନାବଗାରେ ହେଲିପ୍ୟାଡ୍ ନିର୍ମାଣ କରାଯାଇଥିଲା । ତେବେ, ସେହି ହେଲିପ୍ୟାଡ୍କୁ ଅବତରଣ ପୂର୍ବରୁ ଜରାବଗା ନିକଟରେ ଏକ ବିଲରେ ଉକ୍ତ ହେଲିକପ୍ଟର୍ଟି ଜରୁରି ଅବତରଣ କରିଥିଲା । ହେଲିକପ୍ଟର୍ ଦେଖିବା ପାଇଁ ସେଠାରେ ଶହ ଶହ ଲୋକଙ୍କ ଭିଡ଼ ଲାଗିଯାଇଥିଲା । ଭିତରେ ଏହି ତିନି ନେତା ବସି ରହିଥିଲେ । ପରେ ପୁଲିସ ସୂଚନା ପାଇ ସେଠାକୁ ଯାଇ ହେଲିକପ୍ଟର ଚାରି ପଟରେ ବ୍ୟାରିକେଡ୍ କରି ଭିଡ଼ ନିୟନ୍ତ୍ରଣ କରିଥିଲା ।
ଖବର ବୁଝୁ ବୁଝୁ ଜଣାପଡିଲା ଯେ ଏହାର ତେଲ ସରିଯିବାରୁ ବିଲରେ ଜରୁରି ଅବତରଣ କରିଛି । ଦୀର୍ଘ ୨ ଘଣ୍ଟା ପରେ ଏକ ଭ୍ୟାନ୍ରେ ତେଲ ଅଣାଯାଇ ଭର୍ତ୍ତି କରିବା ପରେ ପୁଣି ହେଲିକପ୍ଟର୍ ଉଡ଼ିଥିଲା । ୨ ଘଣ୍ଟା ପର୍ଯ୍ୟନ୍ତ ଏହି ନେତାମାନେ ପ୍ରବଳ ଖରାରେ ସେଠାରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ, ନିକଟରେ ବିଜେଡି ନେତା ନବ ଦାସଙ୍କ ହେଲିପ୍ୟଡ୍ ନିର୍ମାଣ ହୋଇଥିଲେ ହେଁ ସେଠାରେ ଏହା ଅବତରଣ ନ କରି ବିଲରେ ଅବତରଣ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।