ସମସ୍ତଙ୍କୁ ପିଡିଏସ୍‌ରେ ୩ ମାସର ଖାଦ୍ୟ ସାମଗ୍ରୀ ମିଳୁ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୧୯ା୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରୋଜଗାର ହରାଇଥିବା ସମସ୍ତ ପରିବାରକୁ ରାସନ୍‌ ସାମଗ୍ରୀ ଯୋଗାଇ ଦେବା ମାମଲାରେ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । କଟକର ସମାଜସେବୀ ବିଶ୍ୱାବସୁ ଦାସ ଏବଂ ଆଇନଜୀବୀ ଦିଲ୍ଲୀପ ରାୟ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆବେଦନକାରୀ ବିଶ୍ୱାବସୁ ଦାସଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ଅଦାଲତରେ ଜବାବ ରଖି ଦର୍ଶାଇଥିଲେ ଯେ, କରୋନା ପାଇଁ ଦିନ ମଜୁରିଆଙ୍କଠାରୁ ଆରମ୍ଭ କରି ଶ୍ରମିକ, ଗରିବ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୁଶଳୀ ଏବଂ ଅଣକୁଶଳୀ ଲୋକେ ବର୍ତ୍ତମାନ ସମୟରେ କାର୍ଯ୍ୟ ହରାଇ ଘରେ ବସି ରହିଛନ୍ତି । ଏଥିରେ କେବଳ ପୁରୁଷ ନାହାନ୍ତି ବହୁ ମହିଳା ଏବଂ ସେମାନଙ୍କ ପିଲା ମଧ୍ୟ ଅଛନ୍ତି । ଏ ସମସ୍ତେ ରିଲିଫ୍‌ ପାଇବାକୁ ହକ୍‌ଦାର୍‌ । କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବିଭିନ୍ନ ଶ୍ରମିକ ଶ୍ରେଣୀର ଲୋକଙ୍କୁ ନେଇ ଆଉ ଏକ ବଡ ସମସ୍ୟା ଦେଖାଦେଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଉଟି ସୁରକ୍ଷା ଯୋଜନାରେ ଯେତିକି ସାମଗ୍ରୀ ଦିଆଯାଉଛି ମୋଟ ଲୋକସଂଖ୍ୟାର ୭୫% ଲୋକ ଉପକୃତ ହେଉଛନ୍ତି । ତେଣୁ ବର୍ତ୍ତମାନ ସମୟର ଆହ୍ୱାନରେ ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ପାଇବାକୁ ଚାହୁଁଛନ୍ତି ସେ ସମସ୍ତ ଲୋକଙ୍କୁ ଅତିକମ୍‌ରେ ଆସନ୍ତା ତିନି ମାସ ପାଇଁ ରାସନ୍‌ ସାମଗ୍ରୀ ଯୋଗାଇଦେବାକୁ ସରକାର ପଦକ୍ଷେପ ନେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।

   ସମ୍ବନ୍ଧିତ ଖବର


ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ, ଭୟରେ ଗ୍ରାମବାସୀ

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିଲା କାର୍: ଅଳ୍ପକେ‌ ବର୍ତ୍ତିଲେ ଚାଳକ