ବିଜେଡିର ହାଇଟେକ୍‌ କ୍ୟାମ୍ପେନ୍‌: ହୋଲୋଗ୍ରାମ୍‌ ସୋ’ରେ ଆସିଲେ ନବୀନ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ପୂରା ହାଇଟେକ୍‌ ପ୍ରଚାର । ନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ଆରମ୍ଭ କରିଛି ହୋଲୋଗ୍ରାମ୍‌ ସୋ’ । ଭ୍ରାମ୍ୟମାଣ ଗାଡ଼ିରେ ଚାଲୁଛି ସୋ’ । ଗାଡ଼ି ଯେଉଁଠି ଅଟକୁଛି, ସେଇଠି ଆରମ୍ଭ ହେଉଛି ହୋଲୋଗ୍ରାମ ସୋ’ । ଅତ୍ୟାଧୁନକି ହୋଲୋଗ୍ରାଫକି୍‌ ଟେକ୍ନୋଲୋଜି ପ୍ରୋଜେକ୍ଟ ସହାୟତା ମାଧ୍ୟମରେ ନବୀନଙ୍କ ଆସୁଛନ୍ତି ସୋ’କୁ । ବିଜେଡି ସରକାରଙ୍କ ଯୋଜନା କଥା କହୁଛନ୍ତି, ଭୋଟ୍‌ ବି ମାଗୁଛନ୍ତି । ଆଜି ପ୍ରଥମ ଦିନରେ ୨୦ଟି ହୋଲୋଗ୍ରାମ ଭ୍ୟାନ୍‌ ପ୍ରଚାର ମଇଦାନକୁ ଓହ୍ଲାଇଛି ।

ଏମିତି ଏକ ଅଭିନବ ପ୍ରଚାରକୁ ଆଜି ଦେଖିଛନ୍ତି ଭୁବନେଶ୍ୱରବାସୀ । ସାଲିଆସାହି ବସ୍ତିରୁ ଏହାର ଶୁଭାରମ୍ଭ ହୋଇଛି । ଏକ ଟ୍ରକ୍‌କୁ ସ୍ୱତନ୍ତ୍ର ରୂପ ଦିଆଯାଇଛି । ଚାରିପଟକୁ ଶଙ୍ଖ ଚିହ୍ନ ଓ ନବୀନଙ୍କ ଫଟୋରେ ସଜାଯାଇଛି । ଟ୍ରକ୍‌ ଭିତର (ଡାଲା) ପାଶ୍ୱର୍କୁ ସମ୍ପୂର୍ଣ୍ଣ ଖାଲି ରଖାଯାଇଛି । ଟ୍ରକ୍‌ର ବାମ ପଟରେ ଲାଗିଛି ପରଦା । ଏହି ହୋଲୋଗ୍ରାମ ଭ୍ୟାନ୍‌ ଯେଉଁଠି ଅଟକିବ, ସେଠାରେ ସୋ’ ଆରମ୍ଭ ହେଉଛି । ଆଜିର ଝଲକ କିଛି ଏମିତି ଥିଲା-ଗାଡ଼ି ଯେଉଁଠି ଅଟକିଲା, ସେଠାରେ ପରଦା ଉଠିଲା । ପରଦା ଉଠିବା ମାତ୍ରେ ଆରମ୍ଭ ହେଲା ଗୀତ ନାଚ । ୩୬୦ ଡିଗ୍ରୀ କ୍ୟାମେରା ଇଫେକ୍ଟ ଦେଖିବାକୁ ମିଳିଛି । ସୁନ୍ଦର ମୋ’ ଓଡ଼ିଶା ମାଟି… ସୁନ୍ଦର ମୋ’ ନବୀନ କଥା… ଗୀତ ବାଜି ଉଠିଲା । ଲାଗୁଥାଏ, ସତେ ଯେମିତି ମଞ୍ଚ ଉପରେ ଜଣେ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଥାନ୍ତି ।

ଭ୍ୟାନ୍‌ ସମ୍ମୁଖରେ ବସିଥିଲେ ଶହଶହ କର୍ମକର୍ତ୍ତା ଓ ଜନତା । ଏହି ଗୀତ ପରେ ପରଦାକୁ ଆସିଲେ ନବୀନ । ନମସ୍କାର କରି ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଲେ । ରାଜ୍ୟ ସରକାରଙ୍କ ଯୋଜନା ବଖାଣିଲେ । ଆଉ ପଚାରିଲେ, ଓଡ଼ିଶାର ପ୍ରଗତିରେ ଆପଣମାନେ ଖୁସି ତ? ଭିଡିଓରେ ନବୀନଙ୍କ ଏହି ପଦିଏ କଥା ଶୁଣି ଉତ୍ସାହିତ ହୋଇପଡ଼ିଲେ କର୍ମକର୍ତ୍ତା । ପାଖାପାଖି ଘଣ୍ଟାଏ କାଳ ସୋ’ ଚାଲିଲା । ନବୀନଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ସାଲିଆ ସାହି ମେଲଣ ପଡ଼ିଆରୁ ଗାଡ଼ି ଗଡ଼ିଲା ୟୁନିଟ୍‌-୩ ମସଜିଦ୍‌ ବସ୍ତିକୁ । ସେଠାରେ ବି ଶତାଧିକ ଲୋକଙ୍କ ଉପସ୍ଥିତିରେ ହୋଲୋଗ୍ରାମ୍‌ ପ୍ରଚାରରେ ନବୀନ ଭୋଟ୍‌ ପ୍ରଚାର କଲେ । ଏହା ପରେ ବିଜେବି କଲେଜ ପାଖ ମହିଷାଖାଲ ବସ୍ତିରେ ହୋଲୋଗ୍ରାମ ସୋ’ ମାଧ୍ୟମରେ ବିଜେଡି ପ୍ରଚାର ଅଭିଯାନ ଚଳାଇଥିଲା ।

ବିଜେଡି ପକ୍ଷରୁ କୁହାଯାଇଛି, ରାଜ୍ୟରେ ଏଭଳି ୨୦ଟି ହୋଲୋଗ୍ରାମ କ୍ୟାମ୍ପେନ୍‌ ଭ୍ୟାନ ପ୍ରଚାର ମଇଦାନକୁ ଓହ୍ଲାଇଛି । ଦିନକୁ ପ୍ରତି ଭ୍ୟାନ୍‌ ଅନ୍ୟୁନ ୩ଟି ଜାଗାରେ ସୋ’ କରିବେ । ଏଭଳି ଭାବେ ଦିନକୁ ୬୦ଟି ସ୍ଥାନରେ ପ୍ରଚାର କରାଯିବ । ସବୁ ଜାଗାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଯିବା ସମ୍ଭବପର ନୁହେଁ ।
ମାତ୍ର ଏଭଳି ହାଇଟେକ୍‌ ପ୍ରଚାର ମାଧ୍ୟମରେ ନବୀନଙ୍କୁ ରାଜ୍ୟର କୋଣ ଅନୁକୋଣର ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେଡି ଯୋଜନା କରିଛି ।

   ସମ୍ବନ୍ଧିତ ଖବର


ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌