ଉପରମୁଣ୍ଡର ବର୍ଷା ଆଣିଲା ବନ୍ୟା ! ୬ ବର୍ଷ ପରେ ହୀରାକୁଦ ଜଳଭଣ୍ଡାରୁ ସର୍ବାଧିକ ୪୨ ଗେଟ୍‌ ଖୋଲିଲା

ସମ୍ବଲପୁର,୨୯/୦୮: ମହାନଦୀ ଆଜି କରାଳ ରୂପ ଧାରଣ କରିଛି । ଛତିଶଗଡରୁ ଆରମ୍ଭ କରି ପାରାଦୀପ ଯାଏ। ସବୁଠି ମହାନଦୀ ଆଜି ବିକଟାଳ ରୂପ ଧରିଛି । କ୍ରମାଗତ ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ଫୁଲି ଉଠିଛି । ବିଗତ ପ୍ରାୟ ୬ ବର୍ଷ ପରେ ଉପରମୁଣ୍ଡରେ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୧.୨୨ ମିମି ବର୍ଷା ରେକର୍ଡ ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଏକକାଳୀନ ସାଢେ ୮ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବେଶ କରୁଛି । ପରିସ୍ଥିତିକୁ ଦେଖି ପୁଣି ୨ଟି ଗେଟ୍ ଖୋଲା ହୋଇଛି।

ସୂଚନା ମୁତାବିକ, ଗୁରୁବାର ରାତି ସୁଦ୍ଧା ୨୦ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଇଥିବା ବେଳେ ଶୁକ୍ରବାର ପର୍ଯ୍ୟାୟକ୍ରମେ ଆଉ ୨୦ଟି ଗେଟ୍‌ ଖୋଲିବାକୁ ବନ୍ଧ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି । ପୁଣି ଶୁକ୍ରବାର ରାତି ୨ଟା ୩୦ ମିନିଟ୍‌ରେ ଆଉ ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ୍‌ ୪୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ୨୦୧୪ ମସିହା ପରଠାରୁ ପ୍ରଥମ କରି ଏତେ ପରିମାଣର ଗେଟ୍‌ ଖୋଲାଯାଇଛି । ଅପରପକ୍ଷେ, ଏକକାଳୀନ ୪୨ଟି ଗେଟ୍‌ ଖୋଲିବା ପରେ ସମ୍ବଲପୁର ସହରର ତଳି ଅଞ୍ଚଳକୁ ପଛୁଆ ପାଣି ପ୍ରବେଶ କରି ଶତାଧିକ ଘର ଜଳମଗ୍ନ କରିଛି । ସେପଟେ, ଉପରମୁଣ୍ଡରୁ ଜଳସ୍ରୋତ ବୃଦ୍ଧି ପାଉଥିବାରୁ ଓଡ଼ିଶାର ସୀମାନ୍ତ ଛତିଶଗଡର ବହୁ ଗାଁ ବନ୍ୟା ପାଣି ଘେରରେ ଥିବା ବେଳେ ଓଡ଼ିଶାର ଗାଁଗୁଡିକରେ ବି ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

ହୀରାକୁଦର ତଳମୁଣ୍ଡର ବୌଦ୍ଧ ଓ ସୋନପୁରରୁ ଆରମ୍ଭ କରି ଉପକୂଳ ଓଡିଶା ଯାଏ ଗୁରୁବାର ଠାରୁ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ବର୍ତ୍ତମାନ ଉପରମୁଣ୍ଡ ଛତିଶଗଡର ପାଣି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ତଳମୁଣ୍ଡର ତେଲ୍‌ ଏବଂ ଅଙ୍ଗ ନଦୀ ପାଇଁ ମହାନଦୀ ଫୁଲି ଉଠିଥିବା ବେଳେ ଏବେ ଉପରମୁଣ୍ଡରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ହାରାହାରି ୧୦୧.୨୨ ମିମି ବର୍ଷା ଚିନ୍ତାର କାରଣ ହୋଇଛି ।