ଆଶ୍ରୟ ଦେବା ବାହାନାରେ ଚାଲିଥିଲା ସେକ୍ସ ରାକେଟ୍: ଗରାଖ ସାଙ୍ଗରେ ମିଶି ନାବାଳିକାକୁ ଗଣଦୁଷ୍କର୍ମ କଲେ ହୋମ୍ଗାର୍ଡ, ରାଣୀ ମହୁମାଛି ସମେତ ୨ ଗିରଫ

କୁଚିଣ୍ଡା, ୨୮/୦୨: ପୁଣି ଥରେ ଖାକିରେ କଳଙ୍କ । ଜଣେ ଅସହାୟ ନାବାଳିକାକୁ ଆଶ୍ରୟ ଦେବା ନାଁରେ ଆଣି ଜଣେ ମହିଳା ସେକ୍ସ ରାକେଟ୍ ଚଳାଇଥିଲା । ସେଥିରେ ପୁଣି ସହଯୋଗ ଥିଲା ଜଣେ ପୁଲିସ୍ ହୋମ୍ଗାର୍ଡର । ବନ୍ଦ କୋଠରୀରେ ଗରାଖ ସାଙ୍ଗରେ ମିଶି ହୋମ୍ଗାର୍ଡ ଜଣଙ୍କ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକା ଖସି ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ କୁଚିଣ୍ଡା ପୁଲିସ୍ ରାଣୀ ମହୁମାଛି ସୁଜାତା ସିଂ ସମେତ ଅଭିଯୁକ୍ତ ସତକମା ଗାଁର ହୋମ୍ଗାର୍ଡ ରାଜେନ୍ଦ୍ର ପ୍ରଧାନ ଓ ଗରାଖ ଥିବା ସମ୍ୱଲପୁରର ବିଜୟ ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୭୬ (୨) ଏନ ,୩୭୬ (୩),୩୧୩, ୫୦୫, ୧୦୯, ୧୭/୬ ପକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି ।
ପୁଲିସ ସୂଚନାନୁସାରେ ନାବାଳିକା ଜଣକ କିଛି ଦିନ ତଳେ ଅସହାୟ ଅବସ୍ଥାରେ କୁଚିଣ୍ଡା ସହରରେ ବୁଲୁଥିଲେ। ଜାତିପଡ଼ାର ସୁଜାତା ସିଂ ଏହି ନାବାଳିକାଙ୍କୁ ଆଶ୍ରୟ ଦେବାକୁ କହି ନିଜ ଘରକୁ ନେଇଥିଲେ । ସେଠାରେ ସେ ତାକୁ ଏକ କଠୋରୀରେ ବନ୍ଦ ରଖି ସେକ୍ସ ରାକେଟ୍ ଚଳାଇଥିଲା । ସାତକମା ଗାଁର ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନ ଏଥିରେ ସହମତି ଜଣାଇବା ସହ ନିତିଦିନ ଆସି ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା । ଶୁକ୍ରବାର ସେ ସମ୍ୱଲପୁର ବିଜୟ ପ୍ରସାଦକୁ ଗରାଖ ଆକାରରେ ଆଣିଥିଲା । ଉଭୟ ମିଶି ବନ୍ଦ କୋଠାରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନିତିଦିନର ଏଭଳି ପାଶବିକ ଅତ୍ୟାଚାର ଅସହ୍ୟ ହେବାରୁ ନାବାଳିକା ଜଣକ ସେଠାରୁ କୌଣସି ପ୍ରକାରେ ଖସି ଆସି କୁଚିଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ବସି କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ପୁଲିସକୁ ଖବର ଦେଇଥିଲେ । କୁଚିଣ୍ଡା ପୁଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା । ପରେ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ନାବାଳିକା ଏବଂ ଅଭିଯୁକ୍ତମାନଙ୍କ କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇ କୋର୍ଟଚାଲାଣ କରାଯାଇଛି ।