ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଦେଶରୁ ସବୁ ବେଆଇନ ନାଗରିକଙ୍କୁ ତଡ଼ାଯିବ

ନୂଆଦିଲ୍ଲୀ ୧୦/୯ : କେବଳ ଆସାମ ନୁହେଁ, ପୁରା ଦେଶରେ ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜିକରଣ) ଲାଗୁ ହେବ । ଦେଶର କୋଣ ଅନୁକୋଣରେ ଥିବା ସବୁ ବେଆଇନ ନାଗରିକଙ୍କୁ ଖୋଜି ତଡାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି କରିଛନ୍ତି ।

ଉତ୍ତର-ପୂର୍ବାଞ୍ଚଳର ଏନ୍‌ଡିଏ ବୋଲି କୁହାଯାଉଥିବା ‘ନେଡା’ (ନର୍ଥ-ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ)ର ଚତୁର୍ଥ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି ଯେ ଆସାମରେ ଲାଗୁ ହୋଇଥିବା ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜୀକରଣ)କୁ ନେଇ ପ୍ରତ୍ୟେକ ରାଜ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏପରିକି ଆସାମର କିଛି ଲୋକ ଭାବୁଛି ଏନ୍‌ଆରସି କାର୍ଯ୍ୟକାରୀ କରିବା ଭୁଲ । ଅନ୍ୟ ଛୋଟ ରାଜ୍ୟମାନେ ମଧ୍ୟ ତାକୁ ନେଇ ଘୋର ସମସ୍ୟାରେ ପଡିଛନ୍ତି । କିନ୍ତୁ କେବଳ ଆସାମ ନୁହେଁ, ପୁରା ଦେଶରୁ ବେଆଇନ ନାଗରିକଙ୍କୁ ବିଦା କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟମାନଙ୍କ ସହମତି ନିଆଯିବ । ଆସାମରୁ ବେଆଇନ ନାଗରିକମାନେ ଯାଇଁ ଅନ୍ୟ ରାଜ୍ୟରେ ବସବାସ କରିବେ । କିନ୍ତୁ ସେଠାରେ ସେମାନଙ୍କୁ ରଖାଇ ଦିଆଯିବ ନାହିଁ ।

ବିଶେକେରି ଆସାମରୁ ବେଆଇନ ନାଗରିକମାନେ ପଡୋଶୀ ରାଜ୍ୟ ମେଘାଳୟକୁ ପଳାଇଯିବେ ବୋଲି ସେଠାକାର ସରକାର ଆଶଙ୍କା କରିଛନ୍ତି । କିନ୍ତୁ ସେଠାରୁ ସେମାନଙ୍କୁ ରଖାଇ ଦିଆଯିବ ନାହିଁ । ସେମାନଙ୍କୁ ଖୋଜି ବିଦା କରାଯିବ ବୋଲି ଶାହ ପ୍ରକାଶ କରିଛନ୍ତି । ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବର କଂଗ୍ରେସ ସରକାର ଦେଶର ଅନ୍ୟାନ୍ୟ ଭାଗ ଅପେକ୍ଷା ଉତ୍ତର-ପୂର୍ବାଞ୍ଚଳ ପ୍ରତି ଘୋର ଅବହେଳା ପ୍ରଦର୍ଶନ କରିଆସିଛି । ସେଥିପାଇଁ ଏହି ଅଞ୍ଚଳରେ ଉଗ୍ରବାଦୀ କାର୍ଯ୍ୟକଳାପ ବହୁତ ବଢ଼ି ଯାଇଛି । ଉତ୍ତର-ପୂର୍ବାଞ୍ଚଳରେ ଆଜି ଯେଉଁ ଜାତିଗତ ସଂଘର୍ଷ ଲାଗି ରହିଛି କଂଗ୍ରେସ ହିଁ ତାହାର ମଞ୍ଜି ବୁଣିଥିଲା । କଂଗ୍ରେସ କେବଳ ବିଭାଜନ ରାଜନୀତିରେ ବିଶ୍ୱାସ କରେ ବୋଲି ଶାହ କହିଛନ୍ତି ।

ମଣିପୁରରେ ଆସିବ ଏନ୍‌ଆରସି

ଆସାମ ଭଳି ମଣିପୁରରେ ଏନ୍‌ଆରସି (ଜାତୀୟ ନାଗରିକ ପଞ୍ଜୀକରଣ) କାର୍ଯ୍ୟକାରୀ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହ କହିଛନ୍ତି । ଏଠାରେ ଅନୁଷ୍ଠିତ ‘ନେଡା’ ସମ୍ମିଳନୀରେ ଯୋଗଦେବା ଅବସରରେ ସୂଚନା ଦେଇ ସିଂହ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟ ଏନ୍‌ଆରସି ଚାହୁଁଛନ୍ତି । ତାଙ୍କ କ୍ୟାବିନେଟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇସାରିଛି । ଦେଶର କୌଣସି ରାଜ୍ୟରେ ବେଆଇନ ନାଗରିକ ବସବାସ କରନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁନାହାନ୍ତି । ଏହା ସବୁ ରାଜ୍ୟ ପାଇଁ ସ୍ପଷ୍ଟ ବାର୍ତ୍ତା । ତେବେ ରାଜ୍ୟ ସରକାର ଏନ୍‌ଆରସିକୁ କିଭଳି କାର୍ଯ୍ୟକାରୀ କରିବେ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରାଯାଇ ଏହାକୁ ଲାଗୁ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସେ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now