କରେନା ଭାଇରସ ରୁହନ୍ତୁ ସଚେତନ: ଜାଣନ୍ତୁ ଶରୀରକୁ କିଭଳି ଗ୍ରାସିଥାଏ ଏହି ଭୟଙ୍କର ସଂକ୍ରମଣ…

ଶରୀରକୁ କିଭଳି ଗ୍ରାସୁଛି ଭାଇରସ୍‌

କରୋନା ଭାଇରସ୍‌ ତା’ର ତାଉ ଗତବର୍ଷ ଡିସେମ୍ବରରେ ଦେଖାଇବା ଆରମ୍ଭ କରିଥିଲା । ପ୍ରଥମେ ଏହା ଚୀନ୍‌ର ହୁବେଇ ପ୍ରଦେଶର ୱୁହାନ ସହରକୁ ଗ୍ରାସିଥିଲା । ସେତେବେଳେ ୱୁହାନ୍‌ରେ ଯେଉଁ ପରିସ୍ଥିତି ଉପୁଜିଥିଲା, ତାହାକୁ ନେଇ ବିଶ୍ୱବାସୀ ଦୁଃଖପ୍ରକାଶ କରିଥିଲେ । ମର୍ମାହତ ହୋଇଥିଲେ । କିନ୍ତୁ ଆଜି ବିଶ୍ୱବାସୀଙ୍କୁ କରୋନା ଭାଇରସ୍‌ ଡରାଇବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶକୁ ଏହା ମାଡ଼ିଚାଲିଛି । ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି । ୟୁରୋପଠୁ ଏସିଆ ପର୍ଯ୍ୟନ୍ତ ସବୁଠି କରୋନାକୁ ନେଇ ଆର୍ତ୍ତଚିତ୍କାର । ତେବେ କରୋନା ମଣିଷ ଶରୀର ମଧ୍ୟରେ ପ୍ରବେଶ ପରେ କିଭଳି ଏହାର ପ୍ରଭାବ ଦେଖାଏ, ତାହା ଉପରେ ଏକ ଆଲୋଚନା…

ଶରୀରରେ ଏମିତି ଜାଗା ବନାଏ
କରୋନା ଭାଇରସ୍‌ ପ୍ରଥମେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ସୁସ୍ଥ ଲୋକଙ୍କ ଦେହରେ ପ୍ରବେଶ ପରେ ନିଜ ପାଇଁ ଜାଗା ବନାଇଥାଏ । ଶରୀରରେ ଥିବା କୋଷଗୁଡ଼ିକ ମଧ୍ୟରେ ଏହା ପ୍ରବେଶ କରିବା ପରେ ସେଗୁଡ଼ିକୁ ନିଜ କବ୍‌ଜାକୁ ନେଇଥାଏ । ଜଣେ ସଂକ୍ରମିତ ରୋଗୀ କାଶିବା କିମ୍ବା ଛିଙ୍କିବା ସମୟରେ ଅନ୍ୟ ଜଣେ ପ୍ରଶ୍ୱାସ ନେଲେ ଭୂତାଣୁ ସେହି ମାର୍ଗ ଦେଇ ଧାଇଁଥାଏ । ଧୀରେ ଧୀରେ ଏହା ପୂରା ଶରୀରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥାଏ ।

କୋଷଗୁଡ଼ିକୁ ପ୍ରଥମେ ସଂକ୍ରମିତ କରିବା ପରେ ଏହା ଗଳାରେ ପ୍ରବେଶ କରି ଫୁସ୍‌ଫୁସ୍‌କୁ ଟାର୍ଗେଟ୍‌ କରିଥାଏ । ଫଳରେ ଶ୍ୱାସକ୍ରିୟାକୁ ଏହା ବିଶୃଙ୍ଖଳିତ କରିପକାଏ । ସମୟ ବଢ଼ିଚାଲିଲେ ଏହା ନିଜ ସଂଖ୍ୟା ଶରୀର ମଧ୍ୟରେ ବଢ଼ାଇ ଚାଲିଥାଏ । ଫଳରେ ଧୀରେ ଧୀରେ ଶରୀର ଅବଶ ହୋଇପଡ଼େ । ତେବେ ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଥମ ପର୍ଯ୍ୟାୟରେ ଭାଇରସ୍‌ ଦେହରେ ଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ । ଆକ୍ରାନ୍ତ ରୋଗୀ ପୂରା ସୁସ୍ଥ ଜଣାପଡ଼ିଥାନ୍ତି ।

ସ୍ୱଳ୍ପ ପ୍ରଭାବରୁ ଆରମ୍ଭ ହୁଏ ଭୂତାଣୁ ଯାତ୍ରା

କରୋନା ପ୍ରଥମେ ଶରୀର ମଧ୍ୟରେ ପ୍ରବେଶ କରିବା ପରେ ସ୍ୱଳ୍ପ ପ୍ରଭାବ ଦେଖାଇଥାଏ । ଏହାର ଯାତ୍ରା ଏଇଠୁ ଆରମ୍ଭ ହୋଇଥାଏ । ୧୦ରୁ ୮ ଜଣ କରୋନା ଆକ୍ରାନ୍ତଙ୍କଠାରେ ସ୍ୱଳ୍ପ ପ୍ରଭାବ ଦେଖିବାକୁ ମିଳେ । ଏଥିସହ ଜ୍ୱର ଓ କାଶ ଲକ୍ଷଣ ଦେଖାଦିଏ । ଏହାପରେ ଦେହହାତ ଘୋଳାବିନ୍ଧା ଆରମ୍ଭ କରିଦିଏ । ଗଳାରେ କଷ୍ଟ ଅନୁଭବ ହୁଏ । ଶରୀରର ପ୍ରତିରୋଧକ ଶକ୍ତି ଅନୁସାରେ କରୋନା ତାହାର କରାମତି ଦେଖାଏ । ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଏହା ଶୀଘ୍ର ନିଜ ଟାର୍ଗେଟ୍‌ ପୂରଣ ଦିଗରେ ଅଗ୍ରସର ହୁଏ । ପ୍ରଥମେ ଶୁଖିଲା କାଶ ହୋଇଥାଏ । ଏହାପରେ କଫ ପଡ଼ିବା ଆରମ୍ଭ କରିଦିଏ । ଏହି କଫ ମଧ୍ୟରେ ଭାଇରସ୍‌ ଦ୍ୱାରା ମରୁଥିବା ଫୁସ୍‌ଫୁସ୍‌ କୋଷ ପରିମାଣ ସର୍ବାଧିକ ରହିଥାଏ । ଏହିଭଳି ଲକ୍ଷଣ ଦେଖାଦେଲେ ପ୍ରଚୁର ପରିମାଣରେ ତରଳ ଖାଦ୍ୟ ଖାଇବାକୁ ହୋଇଥାଏ । ରୋଗୀକୁ ପାରାସିଟାମଲ୍‌ ଦିଆଯାଏ । ଏହି ସମୟରେ ସ୍ପେସାଲିଟି ହସ୍ପିଟାଲ କେୟାର ଆବଶ୍ୟକ ପଡ଼ିନଥାଏ । ତେବେ ସପ୍ତାହେ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖିବାକୁ ମିଳେ । ଏହି ସମୟରେ ଯାହାର ପ୍ରତିରୋଧକ କ୍ଷମତା ଭଲ ଥାଏ, ସେ ଭୂତାଣୁକୁ ମାତ୍‌ ଦେଇଥାଏ ।

ସାଂଘାତିକ ଅବସ୍ଥାକୁ ଆସିଲେ କ’ଣ ହୁଏ


ପ୍ରଥମ ପର୍ଯ୍ୟାୟରେ ଭୂତାଣୁକୁ ହରାଇବାରେ ରୋଗୀ ଜଣକ ଅସମର୍ଥ ହେଲେ, ଏହା ନିଜ ପତିଆରା ବଢ଼ାଇବା ସହ ପ୍ରତିରୋଧକ ବ୍ୟବସ୍ଥାକୁ ବିଗାଡ଼ିଥାଏ । ଶରୀରରେ କିଛି ରାସାୟନିକ ପରିବର୍ତ୍ତନ ଦେଖିବାକୁ ମିଳେ । ଫଳରେ ଜଳାପୋଡ଼ା ଆରମ୍ଭ ହୁଏ । ଅତ୍ୟଧିକ ଜଳାପୋଡ଼ା ବା ପ୍ରଦାହ ହେବା ଦ୍ୱାରା ଶରୀରର ଅନ୍ୟ ଅଂଶକୁ ଏହା କବଳିତ କରିଥାଏ । କିଙ୍ଗ୍‌ସ କଲେଜ ଲଣ୍ଡନର ଡା. ନାଥାଲି ମ୍ୟାକ୍‌ଡର୍‌ମଟ୍‌ଙ୍କ କହିବାନୁଯାୟୀ କରୋନା ଭାଇରସ୍‌ କେଉଁଭଳି ଭାବେ ଅଧିକ ପ୍ରଦାହର କାରଣ ସାଜେ, ତାହାର କାରଣ ଏ ପର୍ଯ୍ୟନ୍ତ ବୁଝାପଡୁ ନାହିଁ । କିନ୍ତୁ ଏହା ପ୍ରତିରୋଧକ କ୍ଷମତା କମାଇବା ପରେ ପ୍ରଦାହ ବୃଦ୍ଧି ପାଇଥାଏ । ଏହା ନିମୋନିଆର କାରଣ ସାଜିଥାଏ । ସାଧାରଣ ପ୍ରକ୍ରିୟାରେ ରକ୍ତରେ ଅମ୍ଳଜାନ ପ୍ରବେଶ କରେ ଏବଂ ଅଙ୍ଗାରକାମ୍ଳ ବାହାରିଥାଏ । କିନ୍ତୁ ନିମୋନିଆରେ ଫୁସ୍‌ଫୁସ୍‌କୁ ଯାଇଥିବା ଛୋଟ ଟ୍ୟୁବ୍‌ରେ ପାଣି ପ୍ରବେଶ କରେ । ଫଳରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୁଏ । ତେଣୁ ରୋଗୀ ପାଇଁ ଭେଣ୍ଟିଲେଟର ଅତି ଜରୁରି ହୋଇପଡ଼େ । ପାଖାପାଖି ୧୪% ରୋଗୀ ଏହି ପର୍ଯ୍ୟାୟର ସାମ୍ନା କରୁଥିବା ଚୀନ୍‌ରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।

ଅତି ସାଂଘାତିକ ବେଳେ କି ସ୍ଥିତି ଉପୁଜେ
କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ମାତ୍ର ୬% ଏହି ପର୍ଯ୍ୟାୟକୁ ଆସିଥାନ୍ତି । ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ିଯାଏ। ଏହି ପର୍ଯ୍ୟାୟରେ କରୋନା ଆଗରେ ଶରୀର ହାର୍‌ ମାନିବା ଆରମ୍ଭ କରିଦିଏ ଏବଂ ରୋଗୀର ମୃତ୍ୟୁ ଘଟେ। ଶରୀରର ପ୍ରତିରୋଧକ କ୍ଷମତା ପୂରା ବିଗିଡ଼ିଯାଏ ଏବଂ ପୂରା ଶରୀର ଅକାମୀ ହୋଇପଡ଼େ ।

ଏଭଳି ସ୍ଥିତିରେ ଶରୀରର ରକ୍ତ ଚାପ ବିପଜ୍ଜନକ ଭାବେ ତଳକୁ ଖସିଆସେ ଏବଂ ବିଭିନ୍ନ ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ । ପ୍ରଦାହ ମାତ୍ରା ଏହାର ଚରମ ସୀମା ଛୁଇଁଥାଏ, ଯଦ୍ଦ୍ୱାରା ‘ଆକ୍ୟୁଟ୍‌ ରେସ୍ପିରେଟୋରି ଡିଷ୍ଟ୍ରେସ୍‌ ସିଣ୍ଡ୍ରୋମ୍‌’ ଦେଖାଦିଏ । ତିଷ୍ଠି ରହିବା ପାଇଁ ଶରୀରକୁ ଯଥେଷ୍ଟ ଅମ୍ଳଜାନ ମିଳି ନଥାଏ । କିଡ୍‌ନିକୁ ଏହା ରକ୍ତ ପରିଷ୍କାର କରିବାକୁ ଅନୁମତି ଦିଏନାହିଁ ଏବଂ ଅନ୍ତଃନଳୀକୁ ଏହା ଗୁରୁତର ଭାବେ ପ୍ରଭାବିତ କରେ । ଶେଷରେ ରୋଗୀର ମୃତ୍ୟୁ ହୋଇଥାଏ ବୋଲି ଡ. ଭରତ ପଙ୍ଖନିଆ କହିଛନ୍ତି । ଏହି ପର୍ଯ୍ୟାୟରେ ଚିକିତ୍ସା ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ହୋଇଥାଏ । ଇସିଏମ୍‌ଓ (ଏକ୍ସଟ୍ରା-କର୍ପୋରିଅଲ୍‌ ମେମ୍ବ୍ରେନ୍‌ ଅକ୍ସିଜେନେସନ୍‌)ର ଆବଶ୍ୟକ ପଡ଼ିଥାଏ । ଏହି ପ୍ରକ୍ରିୟାରେ ଏକ କୃତ୍ରିମ ଫୁସ୍‌ଫୁସ୍‌ ବ୍ୟବହୃତ ହୁଏ, ଯାହା ମୋଟା ଟ୍ୟୁବ୍‌ ଦ୍ୱାରା ଶରୀରରୁ ରକ୍ତ ବାହାର କରେ ଏବଂ ଏହାକୁ ପୁଣି ନିକ୍ଷେପ କରିବାରେ ସହାୟକ ହୁଏ । କିନ୍ତୁ ବେଳେବେଳେ ପରିସ୍ଥିତି ଏଭଳି ହୁଏ, କୌଣସି କୃତ୍ରିମ ଉପକରଣ କାମରେ ଆସି ନଥାଏ ।

   ସମ୍ବନ୍ଧିତ ଖବର


ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର