PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନୂଆ ଶ୍ରୀକ୍ଷେତ୍ର ରୂପରେଖ ଲୋକାର୍ପିତ: ମୁଖ୍ୟମନ୍ତ୍ରୀ ଆଣିଲେ ନୂଆ ଡିଜାଇନ୍‌, ଭକ୍ତଙ୍କ ମତ ଲୋଡ଼ିଲେ ସରକାର

ଭୁବନେଶ୍ୱର ୩୧/୧୨: ସାମ୍ନାକୁ ଆସିଛି ବହୁପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡରର ଝଲକ। କିଭଳି ଭାବେ ପବିତ୍ର ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳିଯିବ, ତା’ର ଚିଠା ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତିକୁ ନୂଆ ବର୍ଷ ଭେଟି ଭାବେ ଏହି ଚିଠା ଡିଜାଇନକୁ ଲୋକାର୍ପିତ କରିଛନ୍ତି। ଚିଠା ଡିଜାଇନରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ନବକଳେବର ରୂପ ଦେଖିବାକୁ ମିଳିଛି। ଏଥିରେ ରହିଛି ଆଖିଝଲସା ସୌନ୍ଦର୍ଯ୍ୟକରଣର ଚିତ୍ର। ସବୁଠି ଭରି ରହିଛି ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ କଳାର ଝଲକ। ଶ୍ରୀମନ୍ଦିର ଚୌହଦୀରେ ଦେଖିବାକୁ ମିଳିବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ।

ଲୋକସେବା ଭବନରେ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡରର ଚିଠା ଆର୍କିଟେକଚୁଆଲ୍‌ ପ୍ଲାନ ଲୋକାର୍ପିତ ହୋଇଛି। ଏହି ଚିଠା ଡିଜାଇନ୍‌ ସମ୍ପର୍କରେ ଜନସାଧାରଣ ସେମାନଙ୍କ ମୂଲ୍ୟବାନ ମତାମତ ଇ-ମେଲ୍‌ (jagannath.or@nic.in) ଜରିଆରେ ଆସନ୍ତା ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇପାରିବେ । ଏହାବାଦ୍‌ ୦୬୭୫୨-୨୫୨୧୦୦ ନମ୍ବର ଯୋଗେ ଫ୍ୟାକ୍ସରେ ମତାମତ ଜଣାଇ ହେବ । ୦୬୭୫୨-୨୫୨୯୦୦ ନମ୍ବରରେ ଫୋନ୍‌ କରି ମତାମତ ଦେଇ ହେବ। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଆସନ୍ତା ଫେବ୍ରୁଆରୀ ମାସରେ ଚୂଡ଼ାନ୍ତ ଆର୍କିଟେକଚୁଆଲ୍‌ ଡିଜାଇନ୍‌ ପ୍ରକାଶ ପାଇବ।

ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତି ବିଶେଷମାନେ ଜମି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ ଏହି ଐତିହ୍ୟ କରିଡରର ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ । ସେହିପରି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ । ତେବେ ଏହି ପ୍ରକଳ୍ପ ପାଇଁ ସେ ରାଜ୍ୟବାସୀ ବିଶେଷ କରି ପୁରୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଜି ଲୋକାର୍ପିତ ହୋଇଥିବା ଚିଠା ଆର୍କିଟେକ ପ୍ଲାନ ବେକଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ । ଚିଠା ଡିଜାଇନ୍‌ରେ ଶ୍ରୀମନ୍ଦିରର ଚାରିପାଶ୍ୱର୍ରେ ମେଘନାଦ ପାଚେରିରୁ ୭୫ ମିଟର ପର୍ଯ୍ୟନ୍ତ ବିକାଶର ନକ୍ସା ଟଣାଯାଇଛି । ଶ୍ରୀମନ୍ଦିରର ସୁରକ୍ଷା ଓ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଖ୍ୟାତିସମ୍ପନ୍ନ ବୃତ୍ତିଧାରୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି ।

ଯୋଜନା ମୁତାବକ, ଶ୍ରୀମନ୍ଦିର ଚୌହଦୀର ରୂପରେଖ ବଦଳିଯିବ। ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି। ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନେ ଯେପରି ପୁରୀରୁ ପବିତ୍ର ଅନୁଭୂତି ନେଇ ଫେରିବେ, ତା’ ଉପରେ ଏକ ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି।
ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ ରହିବ। ଶ୍ରୀ ମନ୍ଦିର ଚାରିପାଖ ବୁଲିବା ପାଇଁ ପରିକ୍ରମା ରହିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକୀକରଣ, ସିସିଟିଭି ବ୍ୟବସ୍ଥା ରହିବ। ପିଇବା ପାଣି ଓ ଶୌଚାଳୟର ସୁବିଧା ରଖାଯିବ। ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ବାବଦରେ ଯାତ୍ରୀମାନଙ୍କୁ ଅବଗତ କରିବା ପାଇଁ ବ୍ୟବସ୍ଥା ରହିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା, ସଂସ୍କୃତି ଝଲସିବ। ଚିଠା ଡିଜାଇନ୍‌ ବାବଦରେ ଭୂମିପତ୍ର ଆର୍କିଟେକଚର ସଂସ୍ଥାର ଆଲୋକ ସେଟ୍ଟୀ ଚିତ୍ର ଓ ଭିଡିଓ ମାଧ୍ୟମରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ।

ବୈଠକରେ ମନ୍ତ୍ରୀ ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ପ୍ରମୁଖଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା.କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।