ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଆପୋଲୋ ହସ୍ପିଟାଲ୍‌ ପଞ୍ଜୀକରଣ ରଦ୍ଦ କର

ଭୁବନେଶ୍ୱର ୯/୯: ବେଆଇନ୍‌ ଭାବେ କିଡ୍‌ନୀ ପ୍ରତିରୋପଣ ମାମଲାରେ ଆଜି ସ୍ୱାସ୍ଥ୍ୟ ବିଭାଗ ଓ ପ୍ରତିରୋପଣ କରିଥିବା ଆପୋଲୋ ହସ୍ପିଟାଲକୁ ଛାଟ ମାରିଛନ୍ତି ଜାତୀୟ ମାନବାଧିକାର କମିଶନ । କମିଶନ ପୀଡ଼ିତ ଅନୀଲ ସ୍ୱାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ତୁରନ୍ତ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଜବାବ ତଲବ କରିଛନ୍ତି । ଆପୋଲୋ ହସ୍ପିଟାଲର କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ୍‌ରେ ହୋଇଥିବା ପଞ୍ଜୀକରଣକୁ ପ୍ରତ୍ୟାହାର/ରଦ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବରଗଡ଼ର ରାଘବାନନ୍ଦ ଦୋରାଙ୍କ କିଡ୍‌ନୀ ନଷ୍ଟ ହୋଇଯିବାରୁ କିଡ୍‌ନୀ ପ୍ରତିରୋପଣ ପାଇଁ ଆବେଦନ କରିଥିଲେ । ତାଙ୍କ ଭାଇ ଜୟରାମ ଦୋରା ତାଙ୍କୁ କିଡ୍‌ନୀ ଦେଉଥିବାର ସେ ଏନ୍‌ଓସି ନେବା ବେଳେ ଦର୍ଶାଇଥିଲେ । ବାସ୍ତବରେ କିନ୍ତୁ ଅନୀଲ ସ୍ୱାମୀଙ୍କ କିଡ୍‌ନୀ ନିଆଯାଇଥିବା ଜୟରାମ ଦୋରା ନାମରେ ନକଲି ଦସ୍ତାବିଜ ତିଆରି କରାଯାଇଥିଲା । ଟ୍ରାନ୍ସପ୍ଲାଣ୍ଟେସନ୍‌ ଅଫ୍‌ ହ୍ୟୁମାନ ଅର୍ଗାନ ଆଣ୍ଡ ଟିସ୍ୟୁସ୍‌ ଆକ୍ଟ ୧୯୯୪ ଅନୁସାରେ କିଡ୍‌ନୀ ଗ୍ରହଣ କରୁଥିବା ଲୋକ ଓ କିଡ୍‌ନୀ ଦେଉଥିବା ଲୋକ ରକ୍ତର ସମ୍ପର୍କ ରହିବା ଆବଶ୍ୟକ । ହେଲେ ଏଠି ଅନୀଲ ସ୍ୱାମୀଙ୍କ ରାଘବାନନ୍ଦ ଦୋରାଙ୍କ ସହ ରକ୍ତର ସମ୍ପର୍କ ନଥିଲା ।

ଏ ସମ୍ପର୍କରେ ନିଜେ ଅନୀଲ ତାଙ୍କ କିଡ୍‌ନୀ ନିଆଯାଇଥିବା ବରଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାର ତଦନ୍ତ ଭାର ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା । ଏସଡିଜେଏମ୍‌ ବରଗଡ଼ ମଧ୍ୟ ସମସ୍ତ ଦସ୍ତାବିଜ ଦେଖିବା ପରେ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ବେଆଇନ୍‌ ପ୍ରତିରୋପଣ ସହ ଅନୀଲଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ମାନବାଧିକାର କର୍ମୀ ଅଖଣ୍ଡ ୨୦୧୭ରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଖଲ କରିଥିଲେ ।

କମିଶନ କହିଛନ୍ତି, ନିୟମ ଅନୁସାରେ ପ୍ରତିରୋପଣ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ନିକଟରୁ କିଡ୍‌ନୀ ଗ୍ରହଣ କରୁଥିବା ବ୍ୟକ୍ତି ଏନ୍‌ଓସି ଆଣିବାର ନିୟମ ରହିଛି । କିଡ୍‌ନୀ ଦାତା ଓ ଗ୍ରହଣ କରୁଥିବା ବ୍ୟକ୍ତି ରକ୍ତର ସମ୍ପର୍କ କି ନୁହେଁ, ଏହା ଏହି କମିଟି ଯାଞ୍ଚ କରିବା ଦରକାର । ହେଲେ ରାଘବାନନ୍ଦ ଦୋରାଙ୍କୁ ଅନୀଲ ସ୍ୱାମୀ କିଡ୍‌ନୀ ଦେଇଥିବା ବେଳେ କମିଟି କେମିତି ଜାଣି ପାରିଲାନି । ତଦାରଖ ନକରି କମିଟି କିଭଳି ପ୍ରତିରୋପଣ ପାଇଁ ଏନ୍‌ଓସି ଦେଲା । ସରକାରଙ୍କ ଅଧୀନରେ ଏହି କମିଟି ରହିଥିବାରୁ ଅନୀଲଙ୍କୁ କ୍ଷତିପୂରଣ ୨ ଲକ୍ଷ ଟଙ୍କା ଦେବାକୁ କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କମିଶନ ପୂର୍ବରୁ ୨୦୧୮ ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏନ୍‌ଓସି ଦେଇଥିବା କମିଟିକୁ ଏଥିରେ କୌଣସି ସଂପୃକ୍ତି ନଥିବା ଦର୍ଶାଇଥିଲେ । ତେବେ ଏନ୍‌ଓସି ଦେବା ବେଳେ ସାଂଘାତିକ ତ୍ରୁଟି ହୋଇଛି । ଏଭଳି ଖାମଖିଆଲ ମନୋଭାବ ପାଇଁ ସରକାରଙ୍କୁ ଜବାବ ତଲବ କରିଛନ୍ତି କମିଶନ । ପ୍ରତିରୋପଣରେ ପାଇଁ ଏନ୍‌ଓସିରେ ଆପୋଲୋ ହସ୍ପିଟାଲ ଭିତିରି ସହଯୋଗ କରିଥିବା ସାମ୍ନାକୁ ଆସିଛି । ତେଣୁ ଟ୍ରାନ୍ସପ୍ଲାଣ୍ଟେସନ୍‌ ଅଫ୍‌ ହ୍ୟୁମାନ ଅର୍ଗାନ ଆଣ୍ଡ ଟିସ୍ୟୁସ୍‌ ଆକ୍ଟ ୧୯୯୪ର ସେକ୍ସନ୍‌ ୧୬ ଅନୁସାରେ ଆପୋଲୋ ହସ୍ପିଟାଲର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ପଞ୍ଜୀକରଣକୁ ରଦ୍ଦ କିମ୍ବା ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ