ଦାରିଙ୍ଗବାଡ଼ିର କାହ୍ନୁଚରଣ : ପରିବା ବିକାଳିରୁ ଶ୍ରମ କମିଶନର

ଫୁଲବାଣୀ,୪।୩ : ଖେଳିବା ବୁଲିବା ତଥା ପଢ଼ିବା ବୟସରେ ପରିବାର ବୋଝ । ପରିବା ବିକ୍ରି କରି ପରିବାର ଚଳାଉଥିଲେ । ଗରିବୀ ତାଙ୍କ ପରିଶ୍ରମ ଏବଂ ମନବଳ ଆଗରେ ହାର ମାନିଛି । ପରିବା ବିକାଳିରୁ ଆଜି ସେ ଶ୍ରମ କମିଶନର ହୋଇପାରିଛନ୍ତି । ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର କାହ୍ନୁଚରଣ ସାହୁଙ୍କ ସଂଘର୍ଷମୟ ଜୀବନ । ଦିନେ ପରିବା ବିକ୍ରି କରୁଥିବା କାହ୍ନୁ ଏବେ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଶ୍ରମ କମିଶନର ପଦବିରେ କାର୍ଯ୍ୟ କରୁଛନ୍ତି । ସେ ବିହାରର ପାଟଣା ଠାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟରତ । ଦୁଇ ଦିନ ତଳେ ଦୂରଦର୍ଶନର ଏକ ସାକ୍ଷାତକାର କାର୍ଯ୍ୟକ୍ରମର ଭିଡିଓ ପ୍ରସାର ପରେ ସେ ଏବେ ଲୋକଲୋଚନକୁ ଆସିବା ସହ ଚର୍ଚ୍ଚିତ ହୋଇଛନ୍ତି ।

୨୦୧୪ରେ ନିଯୁକ୍ତି ପାଇଥିବା କାହ୍ନୁଚରଣଙ୍କ ପିଲାଦିନ ଅତି ଦୁଃଖ ଓ ଗରିବୀ ମଧ୍ୟରେ ବିତିଥିଲା । ବାପା ଜୟଦେବ ସାହୁ ଜଣେ ଛୋଟ ବ୍ୟବସାୟୀ ଥିଲେ । କାହ୍ନୁ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମାଆ କୁନି ୨ ପୁଅ ଓ ୩ ଝିଅଙ୍କୁ ନେଇ ବହୁ ଦୁଃଖକଷ୍ଟରେ ପରିବାର ପ୍ରତିପାଳନ କରିଥିଲେ । କାହ୍ନୁ ମେଧାବୀ ଛାତ୍ର ଥିବାରୁ ଶିକ୍ଷକମାନେ ତାଙ୍କୁ ସହାୟତା କରିଥିଲେ । ୯ମ ଶ୍ରେଣୀରେ ପଢିବା ବେଳେ ସେ ଘରକୁ କିଛି ଆର୍ଥିକ ସହାୟତା କରିବା ପାଇଁ ପରିବା ବ୍ୟବସାୟ କରିଥିଲେ । ସରକାରୀ ସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ ପରେ ସେ ଗ୍ରାମରେ ବ୍ଲକଗ୍ରାଣ୍ଟ କଲେଜରେ ନାମ ଲେଖାଇବା ସହ ନିଜର ପଢା ଖର୍ଚ୍ଚ ପାଇଁ ଟ୍ୟୁସନ କରିଥିଲେ । ଯୁକ୍ତ ୨ ପାସ୍‌ ପରେ ଆର୍ଥିକ କାରଣ ପାଇଁ ଗୋଟିଏ ବର୍ଷ ସେ ପଢି ପାରି ନଥିଲେ । ତାଙ୍କର ଜଣେ ସାଙ୍ଗ ଯିଏକି ବ୍ରହ୍ମପୁରରେ ଟ୍ୟୁସନ କରି ପଢୁଥିଲେ, ତାଙ୍କର ପ୍ରେରଣାରେ ସେ ଟ୍ୟୁସନ କରି ଅର୍ଜନ କରିଥିବା ୩ ହଜାର ଟଙ୍କା ନେଇ ବ୍ରହ୍ମପୁର ଯାଇ କଲେଜରେ ନାମ ଲେଖାଇଥିଲେ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିବା ପରେ ସେ କିଛି ଦିନ ଏକ ବେସରକାରୀ କଲେଜରେ ଅଧ୍ୟାପନା କରିଥିଲେ । ପରେ ସେ ଅଧ୍ୟାପନା ଛାଡି ଏକ ବେସରକାରୀ କମ୍ପାନିରେ କାମ କରିଥିଲେ । ବେସରକାରୀ ଚାକିରର ସୁରକ୍ଷାକୁ ନେଇ ଡର ଥିବାରୁ ସେ ତାହା ଛାଡି ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବା ବେଳେ ଚାକିରି ଛାଡିବାକୁ ନେଇ ତାଙ୍କ ମାଆ ଅସନ୍ତୁଷ୍ଟ ହୋଇଥିଲେ । ସେ ମାଆଙ୍କୁ ମାତ୍ର ଗୋଟିଏ ବର୍ଷ ରିହାତି ଦେବାକୁ କହିଥିଲେ । ୨୦୧୩ରେ ସେ ୟୁପିଏସିସି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୪ରେ ସେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ କାର୍ଯ୍ୟ ଆରମ୍ଭ କରିବା ସହ ବିହାରର ପାଟଣାଠାରେ ଆଞ୍ଚଳିକ ଶ୍ରମ କମିଶନର ଅଛନ୍ତି ।

କାହ୍ନୁଙ୍କ କହିବା ଅନୁଯାୟୀ ନିଷ୍ଠାର ସହ ପରିଶ୍ରମ କର, ଭଗବାନ ନିଶ୍ଚୟ ତୁମକୁ ତୁମର ଆକାଂକ୍ଷିତ ସ୍ଥାନରେ ପହଞ୍ଚାଇବେ । ଦେଶର ସର୍ବାଧିକ ଲୋକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେହି ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ।

   ସମ୍ବନ୍ଧିତ ଖବର


ପୋଲ ତଳକୁ ଖସିଲା ପାଉଁଶ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଭିଜିଲାନ୍ସ ଜାଲରେ କୁବେର ଆଇଏଫ୍‌ଏସ୍: ୧୨ଟି ସ୍ଥାନରେ ଚଢଉ, ୩ଟି ରାଜ୍ୟରେ ରହିଛି ଘର, ଜମି ଓ ଫ୍ଲାଟ୍

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ