ଏ କି ନିୟମ ଏ କି ମାନବିକତା ? କେହି ଶୁଣିଲେନି, ଛଟପଟ ହୋଇ ଚାଲିଗଲା ଜୀବନ

ଭୁବନେଶ୍ୱର,୩/୫: ବାପାଙ୍କ ଦେହ ଖରାପ ହେଲା । ଚିକିତ୍ସା ପାଇଁ ଝିଅ ବାପାଙ୍କୁ ନେଇ ହସ୍ପିଟାଲ୍‌ ଗଲା । କରୋନା ଆକ୍ରାନ୍ତ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ ବୋଲି କୌଣସି ହସ୍ପିଟାଲ ଚିକିତ୍ସା କଲେ ନାହିଁ । ଝିଅ ଯେତେ ନେହୁରା ହେଲେ ବି କେହି ଶୁଣିଲେ ନାହିଁ । ଏ ହସ୍ପିଟାଲ୍‌ରୁ ସେ ହସ୍ପିଟାଲ୍‌ ଧାଇଁ ନୟାନ୍ତ ହେଲେ । ଶେଷରେ ବାପାଙ୍କ ଜୀବନ ଚାଲିଗଲା । ଏତିକିରେ ବି ଦୁଃଖ ସରିଲାନି । ଶବ ରଖିବାକୁ ଘର ମାଲିକ ମନା କରିଦେଲେ । ମା’-ଝିଅ ମଶାଣିରେ ରାତି ସାରା ଶବ ଧରି ବସିଲେ । ସକାଳ ହେଲା ପରେ ଝିଅ ମୁଖାଗ୍ନି ଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ।

ପୂରା ଘଟଣା ଏମିତି
ବମିଖାଲ କେନାଲବନ୍ଧ ବାସୁଦେବନଗର ସ୍ଥିତ ମଠପୋଖରୀ ପ୍ଲଟ ନଂ- ୧୧୨୮/୨୪୮୬ରେ ରହୁଥିଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ପ୍ରୀତିପୁରରରବିନ୍ଦ୍ର ନାୟକ (୬୧) । ରବିନ୍ଦ୍ର ସହ ତାଙ୍କ ଝିଅ ଓ ପତ୍ନୀ ମଧ୍ୟ ରହୁଥିଲେ । ତାଙ୍କ ପୁଅ ପାରଳାଖେମୁଣ୍ଡିରେ ରହୁଛନ୍ତି । ରବିନ୍ଦ୍ର ହେଉଛନ୍ତି ବିଏସ୍‌ଏନ୍‌ର ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କ ଝିଅ ସମନ୍ୱିତା ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢ଼ୁଛନ୍ତି । ଗତ ସୋମବାର ରାତି ପ୍ରାୟ ସାଢ଼େ ୮ ଟାରେ ହଠାତ୍‌ ରବିନ୍ଦ୍ରଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଦେହରୁ ଝାଳ ବାହାରିଥିଲା । ଏହା ଦେଖି ଝିଅ ସମନ୍ୱିତା ଘରମାଲିକଙ୍କୁ ଘଟଣା ବିଷୟରେ ଜଣାଇବା ସହ ହସ୍ପିଟାଲ୍‌କୁ ତାଙ୍କ କାରରେ ନେବାକୁ ଅନୁରୋଧ କରିଥିଲେ । ହେଲେ ଘର ମାଲିକ ଗାଡ଼ି ଦେବାକୁ ମନା କରିଦେଲେ । ସମନ୍ୱିତା କିଛି ଉପାୟ ନ ପାଇ ଆମ୍ବୁଲାନ୍ସ ୧୦୮କୁ ଫୋନ୍‌ କଲେ । ହେଲେ ସେପଟୁ କହିଲେ ଆମେ କିଛି କରିପାରିବୁ ନାହିଁ । ତୁମେ ୧୦୪ ହେଲ୍ପଲାଇନ୍‌ ନ ହେଲେ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ ୧୦୦କୁ ଫୋନ୍‌ କର । ଏହାପରେ ସେ ୧୦୪କୁ ଲଗାଇଥିଲେ । ହେଲେ ସେମାନେ ସାହାଯ୍ୟ କରିବାକୁ ମନା କରିଥିଲେ । ୧୦୦ ମଧ୍ୟ କିଛି ସହଯୋଗ କରିନଥିଲା । ଏହାରି ଭିତରେ ରବିନ୍ଦ୍ରଙ୍କ ଅସୁସ୍ଥତା ବଢ଼ିଗଲା । ତେଣୁ ଝିଅ ଅନ୍‌ଲାଇନ୍‌ରେ କ୍ୟାବ୍‌ ବୁକ୍‌ କରିଥିଲେ ।

କ୍ୟାବ୍‌ ପହଞ୍ଚିଲା ପରେ ସମନ୍ୱିତା ବାପାଙ୍କୁ ନେଇ ପ୍ରଥମେ ଲକ୍ଷ୍ମୀସାଗର ଛକରେ ଥିବା ଏକ ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ । ହସ୍ପିଟାଲ୍‌ରେ ସେମାନେ ରବିନ୍ଦ୍ରଙ୍କ ଠିକଣା ବୁଝିବାରେ ସେ ବମିଖାଲ ବାସୁଦେବନଗର ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ । ଉକ୍ତ ଅଞ୍ଚଳ କରୋନା ଆକ୍ରାନ୍ତ ଦର୍ଶାଇ ସେଠାରେ ଚିକିତ୍ସା ପାଇଁ ମନା କରି ଦେଇଥିଲେ । ତେଣୁ ଝିଅ ସେଠାରୁ ଫେରି ବାପାଙ୍କୁ ବାଣୀବିହାର ଛକରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚିଲେ । ସେଠାରେ ମଧ୍ୟ ଅନୁରୂପ ବ୍ୟବହାର ମିଳିଲା । କରୋନା ଭୟରେ ଖାଲି ଇସିଜି କରି ଅନ୍ୟ ହସ୍ପିଟାଲକୁ ୍‌ ପଠାଇ ଦେଇଥିଲେ । ବାଧ୍ୟ ହୋଇ ରବିନ୍ଦ୍ରଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଆଉ ଏକ ଘରୋଇ ହସ୍ପିଟାଲ୍‌ ନେଉଥିଲେ । ଇତିମଧ୍ୟରେ ଘଣ୍ଟା ଘଣ୍ଟା ବିତି ଯାଇଥିଲା । ଫଳରେ ଚିକିତ୍ସା ଅଭାବରୁ ରବିନ୍ଦ୍ରଙ୍କର କାର ଭିତରେ ମୃତ୍ୟୁ ହୋଇ ଯାଇଥିଲା । ଚନ୍ଦ୍ରଶେଖରପୁର ହସ୍ପିଟାଲ୍‌ରେ ପହଞ୍ଚିଲା ବେଳକୁ ସେ ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ । ବାପାଙ୍କ ମୃତଶରୀରକୁ ସେହି କାରରେ ଆଣି ଝିଅ ବମିଖାଲ ଘରକୁ ଫେରିଥିଲେ । ହେଲେ ଘର ମାଲିକ ଦାଉ ସାଧିଥିଲେ । ରବିନ୍ଦ୍ରଙ୍କ ମୃତଦେହକୁ ଘରେ ପୂରାଇ ଦେଇ ନଥିଲେ । ଝିଅ ଓ ମା’ ଘର ମାଲିକଙ୍କୁ ନେହୁରା ହୋଇ ରାତିକ ପାଇଁ ଗ୍ୟାରେଜ୍‌ରେ ମୃତ ଦେହକୁ ରଖିବାକୁ କହିଥିଲେ । ହେଲେ ମାଲିକ ମନା କରି ସେମାନଙ୍କୁ ତଡ଼ି ଦେଇଥିଲେ ।

ଅନ୍ୟ ନୋପାୟ ହୋଇ ମା’-ଝିଅ ରବିନ୍ଦ୍ରଙ୍କ ମୃତ ଦେହକୁ ଧରି ପହଞ୍ଚିଲେ ସତ୍ୟନଗର ମଶାଣିରେ । ସେପଟେ ପାରଳାଖେମୁଣ୍ଡିରେ ରହୁଥିବା ପୁଅ ବାପାଙ୍କ ମୃତ୍ୟୁ କଥା ଜାଣି ଭୁବନେଶ୍ୱର ଆସିବାକୁ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇ ପାସ୍‌ ମାଗିଥିଲେ । ହେଲେ ଥାନାର କର୍ମଚାରୀ ସହଯୋଗ କରିବାକୁ ମନା କରି ଦେଇଥିଲେ । ଏପେଟେ ରାତି ସାରା ମା’ଓ ଝିଅ ପୁଅ ବାଟକୁ ଚାହିଁ ବସିଥିଲେ । ହେଲେ ସେ ଆସି ପାରିନଥଲେ । ମଙ୍ଗଳବାର ସକାଳେ ଶବ ଦାହ କରିଦେବା ଲାଗି ମଶାଣି କର୍ମଚାରୀ କହିଥିଲେ । ଏତେ ସମୟ ଶବ ପକାଇ ରଖିଲେ ପୁଲିସ୍‌ ଆସିବ ପୁଣି ସମସ୍ୟା ହେବ । ଏ ସବୁ ଶୁଣି କିଛି ମା’-ଝିଅ ଶବ ଦାହ ପାଇଁ ରାଜି ହୋଇଥିଲେ । ପୁଅ ଆସି ନପାରିବାରୁ ଝିଅ ବାପାଙ୍କ ମୃତଶରୀରରେ ମୁଖାଗ୍ନି ଦେଇଥିଲେ ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ