ମଦ୍ୟପ ସ୍ୱାମୀ ବିରୋଧରେ ଅଭିଯୋଗ କରି ପତ୍ନୀ ପୁରସ୍କୃତ

କେନ୍ଦ୍ରାପଡ଼ା ୧୦/୯ : ଶଶୂର ରଖିଥିବା ମଦ ବୋହୂ ପିଇଦେବା ଭଳି ଏକ ଘଟଣା କିଛି ଦିନ ତଳେ କେନ୍ଦ୍ରାପଡ଼ା ସହରାଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । ଏପରିକି ବିବାଦ ନମେଣ୍ଟିବାରୁ ଏହି ଘଟଣା ଥାନାକୁ ବି ଯାଇଥିଲା । ଏଥର ଘଟଣା କିନ୍ତୁ ସମ୍ପୂର୍ଣ୍ଣ ବିପରୀତ । ମଦ ବିରୋଧରେ, ଏପରିକି ମଦ୍ୟପ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରି ପୁରସ୍କୃତ ହୋଇଛନ୍ତି ପତ୍ନୀ । ସ୍ୱାମୀର ବଦଭ୍ୟାସ ଛଡ଼ାଇବାକୁ ଏମିତି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‍ ପୁରୁଷୋତ୍ତମପୁର ଗ୍ରାମର ସସ୍ମିତା ଜେନା ।ଗାଁ ଯୁବକ ସଂଘ ଦ୍ୱାରା ଏହି ଗାଁକୁ ‘ମଦମୁକ୍ତ ଗାଁ’ ଭାବେ ଘୋଷଣା କରାଯିବା ପରେ ସସ୍ମିତା ନିଜ ଭିତରେ ସାହସ ସଞ୍ଚୟ କରି ସ୍ୱାମୀ ମଦ୍ୟପାନ କରୁଥିବା ନେଇ ସଂଘ ନିକଟରେ ଅଭିଯୋଗ କରିଥିଲେ । ପରେ ଯୁବକମାନେ ସସ୍ମିତାଙ୍କୁ ଆର୍ଥିକ ପୁରସ୍କାର ତ’ ଦେଲେ ପୁଣି ମଦ୍ୟପ ସ୍ୱାମୀଙ୍କୁ ତଣ୍ଡ ଗଣିବାକୁ ବି ପଡ଼ିଲା । ଗ୍ରାମବାସୀଙ୍କ ଦୃଢ଼ ଇଚ୍ଛାଶକ୍ତି, ଏକତା ହିଁ ପୁରୁଷୋତ୍ତମପୁର ଗାଁକୁ ଏବେ କରିପାରିଛି ମଦମୁକ୍ତ ।

ଗାଁରେ ମଦ ବିକ୍ରି ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଥିଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ପୁରୁଷୋତ୍ତମପୁର ଗ୍ରାମବାସୀ । କୌଣସି ପରିସ୍ଥିତିରେ ଏଠାରେ ମଦକୁ ପ୍ରଶୟ ଦିଆଯିବନି ବୋଲି ନିଷ୍ପତ୍ତି ନେଇଥିଲେ । ଗାଁରେ କେହି ମଦ ବିକି ପାରିବେନି କି ପିଇପାରିବେନି ବୋଲି ସଂକଳ୍ପ ନିଆଯାଇଥିଲା ।

ଗାଁର ଯୁବକ ସଂଘ ତରଫରୁ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା ଏହି ମଦ ବିରୋଧୀ ଅଭିଯାନ । ଗ୍ରାମବାସୀଙ୍କ ତରଫରୁ ମିଳିତ ଭାବେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଗାଁରେ ମଦ ବିକ୍ରି କଲେ ଅଥବା ପିଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏଥିରେ ଗ୍ରାମର ୧୮ଟି ମହିଳା ମଣ୍ଡଳର ସଭ୍ୟମାନେ ସହଯୋଗର ହାତ ବଢ଼ାଇଛନ୍ତି । ଏକଦା ଗାଁରେ ମଦର ପ୍ରଚାର ପ୍ରସାର କରି ଯେଉଁମାନେ ଦୌରାତ୍ମ୍ୟ ଚଳାଇଥିଲେ, ସେମାନେ ଏବେ ସମସ୍ତେ ସାବାଡ । ଗାଁର ଯୁବକମାନେ ଏନେଇ ସଚେତନତା ଅଭିଯାନ କରିବାକୁ ଗାଁର ବିଭିନ୍ନ ସ୍ଥାନରେ ନିୟମିତ ପୋଷ୍ଟର ଲଗାଉଛନ୍ତି । ଘରଘର ବୁଲି ଲୋକମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ବୁଝାଇବା ସହିତ ଗାଁକୁ କରି ପାରିଛନ୍ତି ମଦମୁକ୍ତ ।

ଗାଁ ମଦମୁକ୍ତ ହେବା ପରେ ସାମାଜିକ ଚଳଣି, ପାରିବାରିକ ନିବିଡତା ଅଧିକ ସଶକ୍ତ ହୋଇପାରିଛି । ପୁରୁଷୋତ୍ତମପୁର ଗ୍ରାମରେ ମଦର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ କେବଳ ଜରିମାନା କରାଯାଉନାହିଁ ବରଂ ଏମାନଙ୍କୁ ଧରାଇ ଦେଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଉଛି । ମଦ୍ୟପମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ସହିତ ଅଭିଯୋଗ କଲେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପୁରସ୍କାର ଦେଉଛି ଗାଁର ଯୁବକ ସଂଘ । ତେବେ ଗାଁର ଜଣେ ମହିଳା ସସ୍ମିତା ନିଜ ମଦ୍ୟପ ସ୍ୱାମୀଙ୍କ ବିରୋଧରେ ମୁହଁ ଖେଲିବାକୁ ସାହସ ଜୁଟାଇ ଯୁବକ ସଂଘ ପାଖରେ ଅଭିଯୋଗ କରିଥିଲେ । ବର୍ଷ ବର୍ଷ ଧରି ନିଜ ନିଶାସକ୍ତ ସ୍ୱାମୀଙ୍କ ଅତ୍ୟାଚାର ସହିବା ପରେ ଶେଷରେ ମୁହଁ ଖୋଲିଥିଲେ । ଗାଁ ଯୁବକ ସଂଘ କାନରେ ପକାଇଥିଲେ ସ୍ୱାମୀଙ୍କ ନିଶା ଅଭ୍ୟାସ ବାବଦରେ । ସଂଘ ପକ୍ଷରୁ ଏଥିଲାଗି ସସ୍ମିତାଙ୍କୁ ହଜାରେ ଟଙ୍କା ପୁରସ୍କାର ଦିଆଯାଇଛି । କେବଳ ସେତିକି ନୁହେଁ, ସଂଘର ଉଦ୍ୟମରେ ସସ୍ମିତାଙ୍କ ସ୍ୱାମୀ ଉମେଶ ଏବେ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇ ଜୀବନ ଅତିବାହିତ କରୁଛନ୍ତି ।

ଉଭୟ ସ୍ୱାମୀ-ସ୍ତ୍ରୀ ଏବେ ଖୁସ୍‍ । ହସି ଉଠିଛି ସେମାନଙ୍କ ସଂସାର । ଗ୍ରାମର ବରିଷ୍ଠ ନାଗରିକ ତଥା କ୍ଳବର ଉପଦେଷ୍ଟା ପ୍ରଶନ୍ତ କୁମାର ସ୍ୱାଇଁ ଯୁବକ ସଂଘର ଏ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ଆଗକୁ ଅନେକ ପରିବର୍ତ୍ତନ ହେବ ବୋଲି ସେ ଆଶା ରଖିଛନ୍ତି । ଗ୍ରାମବାସୀ ଗୋକୁଳାନନ୍ଦ ମହାପାତ୍ରଙ୍କ କହିବା କଥା ଗ୍ରାମରେ ଯିଏ ମଦ ପିଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବ, ମଦ ବିକ୍ରି କରିବ, ମଦର ପ୍ରଚାର ପ୍ରସାର କରିବ ସେ ୫ ହଜାର ଟଙ୍କା ଜରିମାନା ଦେବ । ମଦ୍ୟପକୁ ଧରାଇ ଦେଲେ ହଜାରେ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ପ୍ରଥମେ ଏଥିଲାଗି ବହୁ ସଂଘର୍ଷ କରିବାକୁ ପଡ଼ିଥିଲେ ବି ପରେ ସମସ୍ତଙ୍କ ସହଯୋଗ ଯୋଗୁଁ ଆମେମାନେ ଗାଁକୁ ମଦ ମୁକ୍ତ କରିପାରିଛୁ ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ବେଆଇନ ଗଛ କାଟୁଥିବାବେଳେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ: ଭିଜିଲାନ୍ସ ଜାଲରେ ପୌର କର୍ମଚାରୀ

ବେସାହାରା ତୁଳସୀକୁ ମିଳିଗଲେ ବାପା- ମା’, ଔପଚାରିକତା ପୂରଣ କରି ସିଡବ୍ଲ୍ୟସି ଠାରୁ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରୁ ଦମ୍ପତି

ଗୋଧେଇବା ବେଳେ ଖସିଗଲା ଗୋଡ଼, ଏକାସାଙ୍ଗରେ ଚାଲିଗଲା ୨ ଭଉଣୀଙ୍କ ଜୀବନ

ବିବାଦରେ କେନ୍ଦ୍ରାପଡା ପୋଲିସ; ବାକି ମାଛ ପଇସା ମାଗିବାରୁ ହାଜତରେ ବ୍ୟବସାୟୀଙ୍କୁ ସିଗାରେଟ୍‍ ଚେଙ୍କ ଦେଲେ ହୋମଗାର୍ଡ…