
ଜମୁଇ – ସ୍ୱାମୀ ସାଜିଲା ହତ୍ୟାକାରୀ। ନିଜ ହାତରେ ନିଜ ସୁନା ସଂସାରକୁ ଚୁରମାର କରିଦେଲା । ନିଜ ସ୍ତ୍ରୀକୁ ସନ୍ଦେହ କରି ପାଲଟିଗଲା ରାକ୍ଷସ। ଆଉ ତାପରେ ହତ୍ୟା କରିଦେଲା ନିଜର ପତ୍ନୀ ଓ ଝିଅକୁ । ବିହାରର ଜମୁଇ ସହରର କଲ୍ୟାଣପୁର ଅଞ୍ଚଳରୁ ଏହି ହୃହୟଥରା ଘଟଣା ସାମନାକୁ ଆସିଛି।
ଜଣେ ବ୍ୟକ୍ତି ନିଜର ୫ବର୍ଷିୟ ପୁଅ ସାମନାରେ ନିଜର ପତ୍ନୀ ଓ ଝିଅର ତଣ୍ଟି କାଟି ହତ୍ୟା କରି ଦେଇଛନ୍ତି । ଏହି ଘଟଣାଟି ବୁଧବାର ରାତିରେ ହୋଇଥିବା କୁହାଯାଉଛି । ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋର୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇଥିଲା ।
ଏହି ପୁରା ଘଟଣାର ଚାକ୍ଷୁଷ ସାକ୍ଷୀ ଅଭିଯୁକ୍ତ ପ୍ରମୋଦ ତାନ୍ତିଙ୍କର ୫ବର୍ଷିୟ ପୁଅ । ସେ କହିଛି ତାର ପିତା ଏକ ଧାରୁଆ ଅସ୍ତ୍ରରେ ମାଆ ଓ ଭଉଣୀର ତଣ୍ଟି କାଟି ହତ୍ୟା କରିଦେଇଛନ୍ତି ।

ଅଭିଯୁକ୍ତ ପ୍ରମୋଦ ତାନ୍ତି ମାର୍ବଲ ଓ ଟାଇଲ୍ସ ଲଗାଇବାର କାମ କରନ୍ତି । ପୁଲିସ୍ କହିଛି କି,ପ୍ରମୋଦ ନିଜର ପତ୍ନୀଙ୍କର ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଯେଉଁ କାରଣରୁ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା । କିଛି ଦିନ ପୂର୍ବରୁ ପତ୍ନୀଙ୍କର ଅବୈଧ ସମ୍ୱନ୍ଧକୁ ନେଇ ଅଭିଯୁକ୍ତ ପ୍ରମୋଦ ତାନ୍ତି ବିଷ ଖାଇ ଆତ୍ମହତ୍ୟାର ପ୍ରୟାସ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କର ଜୀବନ ବଞ୍ଚିଯାଇଥିଲା ।
ପୁଲିସ୍ ସୂଚନା ମୁତାବକ, ୫ବର୍ଷିୟ କୋମଳ ଶିଶୁ ଓମ୍ ପଡ଼ୋଶୀରେ ରହୁଥିବା ତାର ଖୁଡ଼ିକୁ ଘଟଣା ବିଷୟରେ କହିଥିଲା କି ବାପା, ମାଆ ଓ ଦିଦିକୁ ମାରି କୁଆଡ଼େ ଚାଲିଯାଇଛନ୍ତି । ତୁରନ୍ତ ଖୁଡ଼ୀ ସଙ୍ଗୀତା ଦେବୀ ଘର ଭିତରକୁ ଯାଇ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ୩୦ ବର୍ଷିୟା ରୀତା ଦେବୀ ଓ ୭ବର୍ଷିୟା ଜ୍ୟୋତି କୁମାରୀଙ୍କ ଶବ ଭୂଇଁ ଉପରେ ରକ୍ତ ଜୁଡୁବୁଡୁ ଭାବେ ପଡ଼ିଥିଲା । ଶବ ପାଖରେ ସେହି ଧାରୁଆ ଛୁରିଟ ମଧ୍ୟ ପଡ଼ିଥିଲା।
ପୁଲିସ୍ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଥିଲା। ଏହି ହତ୍ୟା ପଛରେ ଅବୈଧ ସମ୍ୱନ୍ଧ କଥା ସାମନାକୁ ଆସିଛି ବୋଲି ପୁଲିସ୍ ଜାଣିବାକୁ ପାଇଛି । ଖୁବ୍ ଶୀଘ୍ର ହତ୍ୟାକାରୀ ସ୍ୱାମୀକୁ ଧରିବାକୁ ପଦକ୍ଷେପ ନେଇଛି।