ପନିକିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

ଓଡ଼ାପଡ଼ା ୨୯/୧: ପାରିବାରିକ କଳହରୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ଉତ୍ତ୍ୟକ୍ତ ସ୍ୱାମୀ ପନିକିରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ପୁଲିସ ଅଭିଯୁକ୍ତ ସ୍ୱାମୀ ସୁବାସ ନାଏକ ଓରଫ ନଣ୍ଡାକୁ ଗିରଫ କରିଛି । ଘଟଣାସ୍ଥଳରୁ ରକ୍ତରଂଜିତ ପନିକିକୁ ପୁଲିସ ଜବତ କରିଛି ।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ମୋଟଙ୍ଗା ଥାନା ନାଣ୍ଡିପୁଲିଆ ହରିଜନ ସାହିର ସୁବାସ ଦୁଇ ବର୍ଷ ପୂର୍ବେ ବାବନ୍ଧ ଗ୍ରାମର ସବିତା ନାଏକଙ୍କୁ ବିବାହ କରିଥିଲା । ଦିନ ମଜୁରିଆ ସୁବାସ ଓ ତାଙ୍କ ପତ୍ନୀ ସବିତାଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଗତ ରାତିରେ ପାଟିତୁଣ୍ଡ ବେଳେ ସୁବାସ ଉତ୍‌କ୍ଷିପ୍ତ ହୋଇ ଶୋଇଥିବା ଅବସ୍ଥାରେ ସବିତାଙ୍କ ତଣ୍ଟିକୁ ପନିକିରେ ହାଣି ଦେଇଥିଲା । ଆଜି ସକାଳେ କେହି ତାଙ୍କ ପତ୍ନୀଙ୍କୁ ମାରି ଦେଇଥିବା ସାହିରେ କହି ବୁଲିବା ସହ ଗୁଡ଼ିଆକାଟେଣୀ ସ୍ଥିତ ପୁଲିସ୍‌ ବିଟ ହାଉସ୍‌କୁ ଅଭିଯୋଗ କରିବାକୁ ଯାଇଥିଲା । ତାର କଥାବାର୍ତ୍ତାରେ ସନ୍ଦେହ ହେବାରୁ ପୁଲିସ ତାକୁ ଅଟକ ରଖିଥିଲା । ପୁଲିସ ସଦଳବଳ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାରୁ ଘର ଭିତରେ ସବିତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବାର ଦେଖିଥିଲା । ମୋଟଙ୍ଗା ଥାନା ଅଧିକାରିଣୀ ନମିତା ନାୟକ ସଦଳବଳ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା ପଠାଇଥିଲେ । ଘରୁ ରକ୍ତଲଗା ପନିକିକୁ ମଧ୍ୟ ପୁଲିସ ଜବତ କରିଥିଲା । ପଚରାଉଚରା ପରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଥିବା ସୁବାସ ମାନିଥିଲା । ମୃତ ସବିତାଙ୍କ ଭାଇ ସୁଶାନ୍ତ ନାଏକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ସୁବାସକୁ ଆଜି କୋର୍ଟଚାଲାଣ କରିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ରେଲୱେ ଷ୍ଟେସନ୍ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ : ଦୁଇ ଗିରଫ

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ