ପତ୍ନୀଙ୍କ ଦ୍ୱିତୀୟ ବିବାହ ଭଣ୍ଡୁର ଘଟଣା: ସ୍ତ୍ରୀ’କୁ ନେବାକୁ ସ୍ୱାମୀ ପୁଣି ହାଜର

ଭୁବନେଶ୍ୱର ୪/୧୨: ସ୍ୱାମୀଙ୍କୁ ପ୍ରତାରଣା କରି ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ପତ୍ନୀ । ତେବେ ଠିକଣା ସମୟରେ ସ୍ୱାମୀ ପହଞ୍ଚି ଯିବାରୁ ବିବାହ ଭଣ୍ଡୁର ହୋଇ ଯାଇଥିଲା । ତେବେ ଏହି ଘଟଣାର ପୂର୍ଣ୍ଣଛେଦ ଏଯାଏ ପଡ଼ିନି । ଅବୁଝା ସ୍ତ୍ରୀ’କୁ ମନେଇବାକୁ ପୁଣି ତାଙ୍କ ଘର ସାମ୍ନାରେ ହାଜର ହୋଇଛନ୍ତି ସ୍ୱାମୀ । ହେଲେ ଏଥର ତାଙ୍କୁ ପୁଲିସ ତାଗିଦ କରିଛି । ଥାନାରେ ଅଣ୍ଡରଟେକିଂ ଲେଖି କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି । କିଛି ଦିନ ତଳେ ନୂଆପଲ୍ଲୀ ଭିଆଇପି କଲୋନିରେ ସ୍ତ୍ରୀ’ଙ୍କ ଦ୍ୱିତୀୟ ବିବାହ ଭଣ୍ଡୁର କରିଥିବା ସ୍ୱାମୀ ତଥା ଅନୁଗୁଳ ଅଞ୍ଚଳର ରାକେଶ ବାରିକ ଆଜି ହଟହଟା ହୋଇଛନ୍ତି ।

ସୂଚନା ମୁତାବକ, ରାକେଶ ଖବର ପାଇଥିଲେ ଯେ, ତାଙ୍କ ସ୍ତ୍ରୀ’ ପ୍ରଜ୍ଞା(ଛଦ୍ମନାମ) କେଉଁଆଡେ ଖସି ପଳାଇବାକୁ ଯୋଜନା କରିଛନ୍ତି । ତେଣୁ ସେ ଅନୁଗୁଳରୁ ସିଧା ଧାଇଁଥିଲେ ଭିଆଇପି କଲୋନିସ୍ଥିତ ପ୍ରଜ୍ଞାଙ୍କ ଘରକୁ । ସୋମବାର ରାତି ସାଢ଼େ ୧୦ଟାରେ ପ୍ରଜ୍ଞାଙ୍କ ଘର ଫାଟକ ସାମ୍ନାରେ ପହଞ୍ଚି ତାଙ୍କୁ ଫେରାଇ ନେବା ପାଇଁ ଜିଦ୍‌ ଧରିଥିଲେ । ପ୍ରଜ୍ଞାଙ୍କ ପରିବାର ଲୋକ ଏନେଇ ନୂଆପଲ୍ଲୀ ଥାନାକୁ ଜଣାଇଥିଲେ । ପିସିଆର ଭ୍ୟାନ୍‌ ଆସି ରାକେଶଙ୍କୁ ସେଠାରୁ ଉଠାଇ ନେଇଥିଲା । ସେପଟେ ପ୍ରଜ୍ଞାଙ୍କ ଘର ପକ୍ଷରୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି, ରାକେଶ ଫୋନ୍‌ ଯୋଗେ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବାକୁ ଧମକ ଦେଉଛନ୍ତି ।

ରାକେଶଙ୍କୁ ପୁଲିସ ଥାନାକୁ ଡକାଇ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲା । ଆଗକୁ କୌଣସି ପରିସ୍ଥିତିରେ ପ୍ରଜ୍ଞାଙ୍କ ଘରକୁ ଯିବନାହିଁ ବୋଲି ତାଙ୍କୁ କଡ଼ାବାଣୀ ଶୁଣାଇଥିଲା । ଯଦି କୌଣସି ମତେ ସ୍ତ୍ରୀ’ଙ୍କୁ ଆପଣାଇବାର ଅଛି ତେବେ କୋର୍ଟଙ୍କ ଆଶ୍ରୟ ନେବାକୁ ତାଙ୍କୁ ପରାମର୍ଶ ଦେଇଛି । ନୂଆପଲ୍ଲୀ ଥାନା ପୁଲିସ ରାଜେଶଙ୍କ ଠାରୁ ଏକ ଅଣ୍ଡରଟେକିଂ ଲେଖାଇ ନେବା ପରେ ତାଙ୍କୁ ଛାଡିଛି । ରାକେଶଙ୍କ କହିବା ମୁତାବକ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ୨୦୧୩ ମସିହାରେ ଉଭୟେ କୋର୍ଟ ମ୍ୟାରେଜ୍‌ କରିଥିଲେ ।

ଏହାପରେ ପ୍ରଜ୍ଞା ଚାକିରି କରିବାକୁ ଦିଲ୍ଲୀର ନୋଏଡାକୁ ଯାଇଥିଲେ । ସେଠାରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ପରେ ନଭେମ୍ବର ୨୮ରେ ବିହାର ପାଟଣାର ଜଣେ ଯୁବକଙ୍କୁ ପ୍ରଜ୍ଞା ବୈଦିକ ରୀତିରେ ବିବାହ କରୁଥିବା ଖବର ପାଇଥିଲେ ରାକେଶ । ଏନେଇ ସେ ନଭେମ୍ବର ୨୫ରେ ଅନୁଗୁଳର ଫ୍ୟାମିଲି କୋର୍ଟରେ ଏକ ମାମଲା ଦାୟର କରିଥିଲେ । କୋର୍ଟ ମଧ୍ୟ ବିବାହ ପ୍ରମାଣପତ୍ର ଦେଖି ପ୍ରଜ୍ଞା ଅନ୍ୟତ୍ର ବିବାହ ନ କରିବା ପାଇଁ ଆଦେଶ ଦେଇଥିଲେ ।

   ସମ୍ବନ୍ଧିତ ଖବର


ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର