PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ହାଇଦର୍‌ ଏନ୍‌କାଉଣ୍ଟର ଘଟଣା: ବାଲେଶ୍ୱର ଜେଏମ୍‌ଏଫ୍‌ସିଙ୍କ ନ୍ୟାୟିକ ତଦନ୍ତ ଆରମ୍ଭ, ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶାବଳୀ ଅନୁସାରେ ହେବ ଛାନ୍‌ଭିନ୍‌

କଟକ,୦୩/୦୮: ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌ ଏନ୍‌କାଉଣ୍ଟର୍‌ ମାମଲାର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି । ବାଲେଶ୍ୱରର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) ଏହି ତଦନ୍ତ କରୁଛନ୍ତି । ପୁଲିସ ଗୁଳିରେ କେହି ଅଭିଯୁକ୍ତ, ବିଚାରାଧୀନ ବନ୍ଦୀ ବା ଜେଲରେ ସଜା କାଟୁଥିବା ବନ୍ଦୀର ମୃତ୍ୟୁ ହେଲେ ଜାତୀୟ ମାନବାଧିକାର କମିସନ୍‌ (ଏନଏଚ୍‌ଆର୍‌ସି) ନିର୍ଦ୍ଦେଶାବଳୀ ଅନୁସାରେ ନ୍ୟାୟିକ ତଦନ୍ତ ହେବ । ତଦନୁସାରେ ହାଇଦର୍‌ ଏନ୍‌କାଉଣ୍ଟର ଘଟଣାରେ ମଧ୍ୟ ବାଲେଶ୍ୱର ଜେଏମ୍‌ଏଫ୍‌ସି ସ୍ୱତନ୍ତ୍ର ତଦନ୍ତ କରୁଛନ୍ତି । ଇତିମଧ୍ୟରେ ହାଇଦର୍‌ର ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଗୁଳିମାଡ଼ ଯୋଗୁଁ ହାଇଦର୍‌ର ମୃତ୍ୟୁ ହୋଇଥିବା ଏଥିରେ ଉଲ୍ଲେଖ ରହିଛି ।

ଗତ ୨୪ ତାରିଖ ହାଇଦର୍‌କୁ ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନେବା ବେଳେ ବାଲେଶ୍ୱର ସିମୁଳିଆ ପାଖରେ ପୁଲିସ ତାକୁ ଏନ୍‌କାଉଣ୍ଟର୍‌ କରିଥିଲା । ପରିସ୍ରା କରିବା ବାହାନାରେ ସେ ରାସ୍ତାରେ ଗାଡ଼ି ଅଟକାଇ ପୁଲିସର ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର ହୋଇଥିବା ପୁଲିସ ଦର୍ଶାଇଥିଲା । ଗୁରୁତର ଅବସ୍ଥାରେ ତାକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାର ମୃତ୍ୟୁ ହୋଇଥିଲା । ଘଟଣା ପରେ କଟକ ପୁଲିସର ଏସକର୍ଟ ଟିମ୍‌ ମୁଖ୍ୟ ଇନ୍ସପେକ୍ଟର ଗଙ୍ଗାଧର ଶାସେନି ସିମୁଳିଆ ଥାନାରେ ଏତଲା ଦେଇଥିଲେ ।

ଏତଲା ଅନୁସାରେ ପ୍ରଥମେ ସିମୁଳିଆ ଥାନା ଓ ପରେ ଜିଲ୍ଲା ଏଚ୍‌ଆର୍‌ପିସି ସେଲ୍‌ ତଦନ୍ତ କରିଥିଲେ । ପୁଲିସ ତଦନ୍ତ ଭିତରେ କଟକ ଏସ୍‌କର୍ଟ ଟିମ୍‌ର ସବୁ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଥିଲା। ପୁଲିସ ହାଇଦର୍‌ର ସମସ୍ତ ଜିନିଷ ଜବତ କରି ରଖିଥିଲା । ଏପରିକି ଗୁଳି କରାଯାଇଥିବା ଏସ୍‌ଆଇଙ୍କ ବନ୍ଧୁକ ମଧ୍ୟ ଏଚ୍‌ଆର୍‌ପିସି ସେଲ୍‌ ପାଖରେ ଅଛି । ସେଲ୍‌କୁ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ହାଇଦର୍‌ର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି । ସେଲ୍‌ ଦାୟିତ୍ୱରେ ଥିବା ଡିଏସ୍‌ପି ବଳରାମ ନାୟକ ରିପୋର୍ଟ ଗ୍ରହଣ କରିଛନ୍ତି । ଗୁଳି ମାଡ଼ ପରେ ତାର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଶରୀରରୁ ୩ଟି ନୂଆ ଓ ଗୋଟିଏ ପୁରୁଣା ଗୁଳି ମିଳିଥିବା ବିଷୟ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଏହାଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ମଧ୍ୟ ବ୍ୟବଚ୍ଛେଦକାରୀ ଦଳ ଏଥିରେ ଉଲ୍ଲେଖ କରିଛନ୍ତି ।

ଏହା ଭିତରେ ଏକ ବଡ଼ ଅଗ୍ରଗତି କ୍ରମରେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ବାଲେଶ୍ୱର ଜେଏମ୍‌ଏଫ୍‌ସି ଏନ୍‌କାଉଣ୍ଟର୍‌ର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସମ୍ପର୍କିତ ଯାହା ତଥ୍ୟ ପୁଲିସ ପାଖରେ ଅଛି ସେସବୁକୁ ଜେଏମ୍‌ଏଫ୍‌ସି ମଗାଇଛନ୍ତି । ସେହିପରି ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ ପୁଲିସକୁ କୁହାଯାଇଛି । ଏସବୁ ତଥ୍ୟ ପାଇବା ପରେ କଟକ ପୁଲିସର ଏସ୍‌କର୍ଟ ଟିମ୍‌ର ବୟାନ ପୁନର୍ବାର ଜେଏମ୍‌ଏଫ୍‌ସିଙ୍କ ପାଖରେ ରେକର୍ଡ ହେବ। ଏପରିକି ଜେଏମ୍‌ଏଫ୍‌ସି ତାଙ୍କ ତଦନ୍ତ ସମୟରେ ଏସକର୍ଟ ଟିମ୍‌ ସଦସ୍ୟଙ୍କୁ ଏକାଧିକ ବାର ଡାକି ଜେରା ମଧ୍ୟ କରିପାରନ୍ତି । ସେହିପରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଡାକ୍ତର, ଚୌଦ୍ୱାର ଜେଲ୍‌ କର୍ମଚାରୀ, ବାରିପଦା ଜେଲ୍‌ କର୍ମଚାରୀ ଓ ବ୍ୟବଚ୍ଛେଦ କରିଥିବା ଡାକ୍ତର ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ ସାରି ଜେଏମ୍‌ଏଫ୍‌ସି ରିପୋର୍ଟକୁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ମିଳିଛି ।