ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ଇଆନ୍‌ ଚାପେଲଙ୍କ ବଡ଼ ବୟାନ, କହିଲେ-ଟିମ୍‌ ଚୟନ…

ସିଡନୀ,୨୨/ ୧୧: ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ସିରିଜ। ଏହାପୂର୍ବରୁ ଅଷ୍ଟ୍ରେଲିଆର ମହାନ୍‌ କ୍ରିକେଟର ଇଆନ୍‌ ଚାପେଲ ଟେଷ୍ଟ ସିରିଜକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳି ସ୍ବେଦେଶ ଫେରିଯିବେ। ଯାହାଫଳରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ଦୁର୍ବଳ ହୋଇଯିବ। ସେ ଆହୁରି କହିଛନ୍ତି ଯେ, ଟେଷ୍ଟ ସିରିଜରେ ଖେଳାଳିଙ୍କ ଚୟନ ଉପରେ ହିଁ ସିରିଜର ଫଳାଫଳ ନିର୍ଭୟ କରେ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର ୧୭ ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପରେ ବିରାଟ ପିତୃତ୍ବ ଅବକାଶରେ ଯିବେ। ପରେ ବାକି ୩ଟି ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ ଟିମ୍‌ ଇଣ୍ଡିଆ ଖେଳିବ।

ଚାପେଲ ଇଏସ୍‌ପିଏନ୍‌ କ୍ରିକଇନଫୋର ଏକ ସ୍ତମ୍ଭରେ ଲେଖିଛନ୍ତି ଯେ, ବିରାଟଙ୍କ ଅନୁପସ୍ଥିତି ଫଳରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ଦୁର୍ବଳ ହୋଇଯିବ। ଏଥିସହିତ ଟିମ୍‌ ଇଣ୍ଡିଆରେ ଥିବା ଅନେକ ପ୍ରତିଭାଶାଳୀ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଚାପେଲ କହିଛନ୍ତି। ଏସବୁ ମଧ୍ୟରେ ଉଭୟ ଦଳର ପ୍ଲେଇଙ୍ଗ୍‌ ଇଲେଭେନ୍‌ ଚୟନ ହିଁ ସିରିଜର ନିର୍ଣ୍ଣାୟକ ଭୂମିକା ନେବ।