ସେନାକୁ ଆଗକୁ ବଢିବାକୁ ନେହରୁ ରୋକି ନ ଥିଲେ ପିଓକେ ଆମର ହୋଇଥାନ୍ତା: ଶାହା

source: https://www.firstpost.com
ନୂଆଦିଲ୍ଲୀ,୨୪।୨: ଭାରତୀୟ ଜନତା ପାର୍ଟି(ବିଜେପି) ଅଧ୍ୟକ୍ଷ ଅମିତ ଶାହା ଜମ୍ମୁରେ ଏକ ଜନସଭାରେ ଭାଷଣ ଦେଇ କଂଗ୍ରେସକୁ କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି କଶ୍ମୀର ସମସ୍ୟା ପାଇଁ ଗାନ୍ଧି ପରିବାର ଦାୟୀ। ରାହୁଲ ଗାନ୍ଧି କଶ୍ମୀର ପ୍ରସଙ୍ଗ ଉପରେ ପ୍ରଶ୍ନ କରନ୍ତି। ମୁଁ ତାଙ୍କୁ କହିବାକୁ ଚାହେଁ ଯଦି କଶ୍ମୀରକୁ ନେଇ ଏତେ ପ୍ରଶ୍ନ ଉଠୁଛି ତେବେ ଏଥିପାଇଁ ଆପଣଙ୍କ ଜେଜେବାପା ଜବାହାର ଲାଲ ନେହରୁ ଦାୟୀ। ପିଓକେ ପାଇଁ ଶାହା ନେହରଙ୍କୁ ଦାୟୀ କରିଥିଲେ। ଶାହା କହିଥିଲେ ଯେତେବେଳେ ଆମର ସେନା ପିଓକେ ଉପରେ ବିଜୟ ହାସଲ କରିବାକୁ ଯାଉଥିଲା ସେତେବେଳେ ତାଙ୍କୁ କିଏ ରୋକିଥିଲେ? ସେ ଥିଲେ ଜବାହାରଲାଲ ନେହରୁ। ସେ ଭାରତୀୟ ସେନାକୁ ଆଗକୁ ଯିବାକୁ ରୋକିଥିଲେ। ନଚେତ ପିଓକେ ଆଜି ଭାରତର ହୋଇଥାନ୍ତା।
ଜମ୍ମୁ-କଶ୍ମୀର ଜନତାଙ୍କୁ କହିବାକୁ ଚାହେଁ ଏହା ହେଉଛି ଭାରତର ଅଭିନ୍ନ ଅଙ୍ଗ। ଏହାକୁ କେହି ଛଡାଇ ନେଇ ପାରିବେ ନାହିଁ। ଏହା ହେଉଛି ସେହି ଜମ୍ମୁ କଶ୍ମୀରର ମାଟି ଯେଉଁଠି ଭାରତୀୟ ଜନସଂଘର ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ହତ୍ୟା କରାଯାଇଥିଲା। ଯେଉଁଠି ମୁଖାର୍ଜୀ ବଳିଦାନ ଦେଇଛନ୍ତି ସେ କଶ୍ମୀର ଆମର। ଏହା ସହ ସେ କହିଛନ୍ତି ବିଜେପି ଆତଙ୍କବାଦ ବିରୋଧରେ ଲଢେଇରେ ଦମ୍ଭର ସହ ଠିଆ ହୋଇଛି ଓ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କିଛି ରାଜିନାମା କରିପାରିବ ନାହିଁ। ଅମିତ ଶାହା ପୁଲଓ୍ବାମା ଆକ୍ରମଣ ଘଟଣାରେ କହିଛନ୍ତି ଆମର ଶହୀଦ ଯବାନଙ୍କ ଯେଉଁ ରକ୍ତ ଏହି ମାଟିରେ ବହିଛି ତାହା ବ୍ୟର୍ଥ ହେବ ନାହିଁ।
କଂଗ୍ରେସ,ଏନସି ଓ ପିଡିପି ପରିବାରବାଦୀ ପାର୍ଟି। ଏହା ଜମ୍ମୁ-କଶ୍ମୀରର ବିକାଶ ପାଇଁ କାମ କରେନାହିଁ, ବଂର ନିଜର ପରିବାରର ବିକାଶ ପାଇଁ କାମ କରେ। ଏହା ସହ ସେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ପ୍ରଶଂସା କରିବା ସହ କହିଥିଲେ ଏହି ଯୋଜନା ମୋଦିଙ୍କ କୃଷକ କଲ୍ୟାଣ ପ୍ରତି ସମର୍ପଣର ପ୍ରତୀକ। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କା ସିଧାସଳଖ କୃଷକଙ୍କ ଖାତାକୁ ଯିବ। ଏହା କୃଷକଙ୍କୁ ଲାଭ ଦେଉଥିବା ଏପର୍ଯ୍ୟନ୍ତର ସବୁଠାରୁ ବଡ ଯୋଜନା। ଏହାପରେ ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଥିଲେ ଯେଉଁ ମେଣ୍ଟର କେହି ନେତା ନାହାନ୍ତି, କୌଣସି ନୀତି ନାହିଁ, ତାହା ଦେଶର କିଭଳି ଭଲ କରିପାରିବ? ଏହା ମେଣ୍ଟ ନୁହେଁ ବଂର ଅପମିଶ୍ରଣର ସମୁହ ଏବଂ ପରିବାରବାଦକୁ ପ୍ରଶୟ ଦେଉଥିବା ଗୋଷ୍ଠୀ ବୋଲି କହିଛନ୍ତି ଶାହା।