ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

ଭୁବନେଶ୍ବର ୨୭/୧୧: ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଏଯାଏଁ ଆକଳନ କରିପାରୁନି ଭିଜିଲାନ୍ସ। ଲୁଟିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ଏପରି ସ୍ଥିତିରେ ପାଠକଙ୍କ ସମ୍ପତ୍ତି ଜଣେ ପୂର୍ବତନ ମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ଅଭିଯୋଗ ଉଠିଲାଣି। ଏପଟେ ପାଠକଙ୍କ ବନ୍ଧୁ ହେବାର ଥିବା ବିଧାୟକ ଜଣ କିଏ ବୋଲି ପ୍ରଶ୍ନ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଅଭୟଙ୍କ କଳା ସାମ୍ରାଜ୍ୟର ଥଳକୂଳ ପାଉନି ଭିଜିଲାନ୍ସ। ବୁଧବାର ପୁନେରେ ଚଢ଼ଉ ପରଠୁ ଭିଜିଲାନ୍ସ ଟିମ୍‌ ଆକାଶଙ୍କୁ ନିଜ ହେପାଜତରେ ରଖିଥିଲା । ସେଠାରୁ ଭିଜିଲାନ୍ସ ଟିମ୍‌ ସହ ଉଭୟେ ବିମାନ ଯୋଗେ ପ୍ରଥମେ ହାଇଦ୍ରାବାଦ୍‌ ଆସିଥିଲେ । ସେଠାରୁ ବାହାରି ରାତି ୮.୫୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଭିଜିଲାନ୍ସ ଟିମ୍‌ ଆକାଶ ଓ ତାଙ୍କ ପ୍ରେମିକାଙ୍କୁ ନେଇ ଅଫିସକୁ ଯାଇଥିଲା ଜଣାପଡିଛି।

ସୂଚନା ମୁତାବିକ, ଭୁବନେଶ୍ୱର ବିମାନବନ୍ଦରରେ ଆକାଶ ଜଣେ ଯୁବତୀଙ୍କ ସହ ପହଞ୍ଚିଥିଲେ । ଭିଜିଲାନ୍ସ ଟିମ୍‌ ପୁନେସ୍ଥିତ ଫାର୍ମହାଉସ୍‌ରୁ ଉଭୟଙ୍କୁ ଧରି ଏଠାକୁ ଆଣିଛି । ସମ୍ପୃକ୍ତ ଯୁବତୀଜଣକ ଆକାଶଙ୍କ ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ସେ ପୁଣି ଶାସକ ଦଳର ଜଣେ ଆଗଧାଡିର ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଝିଅ । ଯୁବତୀଙ୍କ ସହ ଆକାଶଙ୍କ ବିବାହ ହେବାର ଯୋଜନା ଥିଲା । ରାଜସ୍ଥାନ ଉଦୟପୁରରେ ‘ତାଜ ଲେକ୍‌ ପ୍ୟାଲେସ୍‌’ ନାମକ ବିଳାସପୂର୍ଣ୍ଣ ରିସୋର୍ଟକୁ ବିବାହ ପାଇଁ ବୁକ୍‌ କରାଯାଇଥିଲା । ସେଠାରେ ଉଭୟଙ୍କ ‘ଡେଷ୍ଟିନେସନ ୱେଡିଂ’ ହେବାର ଥିଲା । ଏଥିପାଇଁ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦିଆ ସରିଥିଲା । ଏବେ ଆକାଶ ଭିଜିଲାନ୍ସ ଜାଲରେ ପଡି଼ବା ପରେ ତାଙ୍କ ପ୍ରେମିକା ଓ ତାଙ୍କ ବାପା ଭିଜିଲାନ୍ସ ସ୍କାନରକୁ ଆସିବେ । ତାଙ୍କୁ ଜେରା କରାଯାଇପାରେ ।