ଆଇଆଇଏମ୍ ସମ୍ବଲପୁରର ତୃତୀୟ ସମାବର୍ତ୍ତନ ଉତ୍ସବ

ବୁର୍ଲା,୮ା୪(ଆପ୍ର): କ୍ଷଣିକ ଫାଇଦା ପଛରେ ଗୋଡ଼ାଇଲେ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ରହିଛି । ସେଥିପାଇଁ ଦୀର୍ଘସ୍ଥାୟୀ ସଫଳତା ହାସଲ କରିବା ହିଁ ବୁଦ୍ଧିମତାର ପରିଚୟ । ପୁଣି ପ୍ରତିଟି ଲକ୍ଷ୍ୟ ଯୋଜନାବଦ୍ଧ ହେବା କଥା । ଦୃଢ଼ ସଂକଳ୍ପ ଏବଂ ନିଷ୍ଠାପର ଉଦ୍ୟମ ତଥା ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତାର ଚାବିକାଠି । ଆଉ ଏହି ମୂଳମନ୍ତ୍ର ପାଇଁ ହିଁ ଅମୁଲ କଂପାନିି ୭୫ ବର୍ଷ ହେଲା ବିଶ୍ୱରେ ତାର ବ୍ୟବସାୟିକ ସଫଳତାର ଜୟଯାତ୍ରା ବଜାୟ ରଖିପାରିଛି ବୋଲି ଆଜି ଆଇଆଇଏମ୍ ସମ୍ବଲପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଅମୂଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ଆର୍.ଏସ୍. ସୋଢି ତାଙ୍କ ଦୀକ୍ଷାନ୍ତ ଭାଷଣରେ ଛାତଛ୍ରାତ୍ରୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।
ଜ୍ୟୋତିବିହାର ସ୍ଥିତ କ୍ୟାମ୍ପସ୍ରେ ଆଇଆଇଏମ୍ ସମ୍ବଲପୁରର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଆଇଆଇଏମ୍ ସମ୍ବଲପୁରର ପରିଚାଳନା ବୋର୍ଡ ଅଧକ୍ଷା ଅରୁନ୍ଧତି ଭଟ୍ଟାଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଉତ୍ସବର ମୁଖ୍ୟ ଅତିଥି ତଥା ଅମୂଲର ପରିଚାଳନା ନିର୍ଦ୍ଦେଶକ ଡ. ଆର୍ଏସ୍ ସୋଢ଼ୀ ଦୀକ୍ଷାନ୍ତ ଭାଷଣରେ ଭାରତ ସ୍ୱାଧୀନ ହେବା ସମୟର ସ୍ଥିତି ଏବଂ ସାମ୍ପ୍ରତିକ ଅବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଥିବା ସମ୍ପର୍କରେ କହିଥିଲେ । ସେତେବେଳେ ଗ୍ରାମ୍ୟ ଅର୍ଥନୀତି ଓ ସହରାଞ୍ଚଳ ଅର୍ଥନୀତି କୃଷି ଏବଂ ଶିଳ୍ପ ମଧ୍ୟରେ ବିଭକ୍ତ ହୋଇଥିଲା । ଏବେ ମଧ୍ୟ ୫୮% ଲୋକ କୃଷି ଉପରେ ନର୍ଭିରଶୀଳ । ମାତ୍ର ଜିଡିପିିରେ ବ୍ୟାପକ ପ୍ରଭେଦ ରହିଛି । ଏହି ଗ୍ରାମ୍ୟ ଓ ସହରାଞ୍ଚଳ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆଇଆଇଏମ୍ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଡ. ସୋଢ଼ୀ କହିଲେ, ପ୍ରଫେସ୍ନାଲ ହୋଇ ଦାୟିତ୍ୱ ନେବା ବଦଳରେ ମାଲିକାନା ହାସଲ କଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ତତକ୍ଷଣାତ ସଫଳତା ହାସଲ କରିବା ପରିବର୍ତ୍ତେ ମୂଲ୍ୟବୋଧ ସହ ସାଲିସ ନ କରି ସଚେତନ ହେଲେ ଜଣେ ଦୀର୍ଘ ସ୍ଥାୟୀ ସଫଳତା ସମ୍ପନ୍ନ ଭବିଷ୍ୟତ ସ୍ଥାପନ କରିପାରିବ ବୋଲି ସେ କହିଥିଲେ ।
ଆଇଆଇଏମ ସମ୍ବଲପୁର ବୋର୍ଡର ଅଧ୍ୟକ୍ଷା ଶ୍ରୀ ଭଟ୍ଟାଚାର୍ଯ୍ୟ ଗତ ଚାରି ବର୍ଷରେ ଏହି ସଂସ୍ଥାନ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି କହିଥିଲେ । ଆଗକୁ ଏଠାରେ ଆହୁରି ନୂଆ ଶିକ୍ଷକ ନିଯୁକ୍ତି ପାଇବେ । ଏହାର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ । ଶକ୍ଷିାଦାନରେ ଉତ୍କର୍ଷତା ଯୋଗୁଁ ଆଇଆଇଏମ୍ ସମ୍ବଲପୁର ସୁନାମ ଅର୍ଜନ କରିବାରେ ସକ୍ଷମ ହୋଇଛି । ଏଥିପାଇଁ ନିର୍ଦ୍ଦେଶକ ଏବଂ ତାଙ୍କ ଟିମ୍ର ପ୍ରୟାସ ପ୍ରଶଂସନୀୟ । କ୍ରମବର୍ଦ୍ଧିଷ୍ଣୁ ଅନିଶ୍ଚିତ ଓ ପୂର୍ବାନୁମାନ ବିହୀନ ଜଟିଳ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ସେହିଭଳି ପ୍ରାକୃତିକ ସମ୍ପଦର ଅତ୍ୟଧିକ ଉପଯୋଗ ଦ୍ୱାରା ଆମେ କେବଳ ନିଜର ନୁହେଁ ପରବର୍ତ୍ତୀ ପିଢ଼ିକୁ ମଧ୍ୟ ପ୍ରଭାବିତ କରୁଛୁ । ଏଣୁ ନିଜର ଲକ୍ଷ୍ୟ ହାସଲ କରିବା ସମୟରେ ସହନୀୟ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ଉପରେ ଜୋର୍ ଦେବାକୁ ଶ୍ରୀମତୀ ଭଟ୍ଟ ।ଚାର୍ଯ୍ୟ କହିଥିଲେ । ସିଜିପିଏର ପ୍ରଥମ ର୍ୟାଙ୍କ ହାସଲ କରିଥିବା ଭାରତ କୁମାର, ଦ୍ୱିତୀୟ ର୍ୟାଙ୍କ ପାଇଥିବା ଦେବୀ ପ୍ରସାଦ ଏବଂ ଶ୍ରେଷ୍ଠ ଏମ୍ବିଏ ଛାତ୍ରୀ ଭାବେ ଆସ୍ଥା ଗୁପ୍ତାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ଗତବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶକ ଡ. ମହାଦେଓ ପ୍ରସାଦ ଜୟସ୍ୱାଲ ଡିଗ୍ରି ପ୍ରଦାନ କରିଥିଲେ । ମଞ୍ଚରେ ପରିଚାଳନା ବୋର୍ଡର ସଦସ୍ୟଙ୍କ ସହିତ ପ୍ରଫେସର ଅତ୍ରି ସେନଗୁପ୍ତା ଉପସ୍ଥିତ ଥିଲେ ।