ସରିଲା ମେଘନାଦ ପାଚେରି ଅବରୋଧ ଉଚ୍ଛେଦ: ଶ୍ରୀମନ୍ଦିର ସୌନ୍ଦର୍ଯ୍ୟରେ ଲାଗିବ ବିଶ୍ୱସ୍ତରୀୟ ଛାପ, ଆଜି ରାଜଧାନୀରେ ବୈଠକ

ପୁରୀ,୨୨ା୮(ବ୍ୟୁରୋ): ମେଘନାଦ ପାଚେରି ୪ ପାଶ୍ୱର୍ର ଅବରୋଧ ଉଚ୍ଛେଦ ସରିଛି । ଏହା ପରେ ଶ୍ରୀମନ୍ଦିର ଚାରି ପାଖରୁ ୭୫ ମିଟର ନିର୍ମାଣ ହଟାଇବା ପରିକଳ୍ପନା ରହିଛି । ଏହି ଉଚ୍ଛେଦ ପଛରେ ରହିଛି ଶ୍ରୀମନ୍ଦିର ଓ ପୁରୀ ସହରର ମେଗା ବିକାଶ ଯୋଜନା । ପୁରୀ ପାଇବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା । ଚାରି ଧାମ ମଧ୍ୟରେ ଶ୍ରୀକ୍ଷେତ୍ର ହେବ ଦେଶର ‘ଶ୍ରେଷ୍ଠ ଆଧ୍ୟାତ୍ମକ ରାଜଧାନୀ’ । ଏହି ପ୍ରାଶାସନିକ ତନାଘନା ପଛରେ କ’ଣ ସବୁ ପରିକଳ୍ପନା ରହିଛି ? ଏହି ପ୍ରଶ୍ନ ପୁରୀ ସହରବାସୀ ପଚାରୁଛନ୍ତି । ଏହି ଯୋଜନାର ଆଭାସ ଦୁଇ ଜଣ ବରିଷ୍ଠ ଆଇଏଏସ୍‌ଙ୍କ ଟିପ୍ପଣୀରୁ ମିଳିଛି । ବିଦାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ବିଦାୟ ସମ୍ବର୍ଦ୍ଧନା ପରେ ମଙ୍ଗଳବାର ଦିନ କହିଥିଲେ ଶ୍ରୀମନ୍ଦିର ଆଉ ପୁରୀ ସହରର ଚିତ୍ର ସମ୍ପୂର୍ଣ ବଦଳିଯିବ । ଏଥିପାଇଁ ୨୪ ମାସରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରହିଛି । ସେହିଭଳି ନୂତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମଙ୍ଗଳବାର ଦିନ ଆଭାସ ଦେଇଥିଲେ ପୁରୀ ସହରକୁ ଦେଶର ‘ଆଧ୍ୟାତ୍ମିକ ରାଜଧାନୀ’ ରୂପେ ଗଢ଼ାଯିବ ।

ପ୍ରସ୍ତାବିତ ଯୋଜନାରେ ରହିଛି ଦେଶର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ରୂପେ ପୁରୀ କ୍ଷେତ୍ର ମାନ୍ୟତା ପାଇବ । ଏହି ଶ୍ରୀମନ୍ଦିର ଏବଂ ପୁରୀ ପାଇଁ ଉଦ୍ଦିଷ୍ଟ ମେଗା ପରିକଳ୍ପନାର ରୂପରେଖ ନିର୍ଣୟ ପାଇଁ ଶୁକ୍ରବାର ରାଜଧାନୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ସରକାରୀ ସୂତ୍ରରୁ ଜଣାପଡ଼ିଛି ଶ୍ରୀମନ୍ଦିର ଏବଂ ପୁରୀ ସହରର ଉନବିଂଶ ଶତବ୍ଦୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ରହିଥିବା ସ୍ଥିତିକୁ ସମୀକ୍ଷା କରାଯିବ । ଏହି ମେଗା ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଶ୍ରୀମନ୍ଦିରର ପୁରାତନ ଚିତ୍ରକୁ ବୈଠକରେ ପ୍ରାକ୍‌ ପର୍ଯ୍ୟାଲୋଚନା କରାଯିବ । ପ୍ରକଳ୍ପ ପରିକଳ୍ପନା ସଂପର୍କରେ ପ୍ରାଥମିକ ସୂଚନା ମିଳିଛି ଶ୍ରୀମନ୍ଦିର ୪ପାଖର ନିର୍ମାଣ ଭଙ୍ଗାଯିବା ପରେ ଏହି ଜାଗାରେ ୩ ଥାକିଆ ପରିକ୍ରମା ପଥ ନିର୍ମାଣ ହେବ । ଏହି ପରିକ୍ରମାରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ସେବା ରହିବ । ସେହିଭଳି ଶ୍ରୀମନ୍ଦିର ଚାରି ପାଖରେ ଏକ ସବୁଜ ବଳୟ ସୃଷ୍ଟି କରାଯିବ । ନିର୍ମାଣ ଭଙ୍ଗାଯିବା ପରେ ଶ୍ରୀମନ୍ଦିରର ଶୋଭା ବର୍ଦ୍ଧନ ହେବ ।

ଶ୍ରୀମନ୍ଦିର ପାଖ ଫାଙ୍କା ସ୍ଥାନ ଏବଂ ବଡ଼ଦାଣ୍ଡର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଗ୍ୟାଲେରି ନିର୍ମାଣ ହେବ । ଏହି ଗ୍ୟାଲେରିରୁ ସୁନାବେଶ ଓ ରଥଯାତ୍ରା ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ବିପଦସଙ୍କୁଳ ଅବସ୍ଥାରେ ଆଉ ଭକ୍ତମାନେ ରଥଯାତ୍ରା ଛାତ ଉପରେ ବସି ରଥଯାତ୍ରା ଦେଖିବେ ନାହିଁ । ଗ୍ୟାଲେରି ସମୂହରେ ଶ୍ରୀମନ୍ଦିର ଯାନିଯାତ୍ରାର ଅଡିଓ ଭିଜୁଆଲ ଡିସ୍‌ପ୍ଳେ ବ୍ୟବସ୍ଥା ରହିବ । ବଡ଼ଦାଣ୍ଡକୁ ପାଦ ଚଲା ଐତିହ୍ୟ ପରିକ୍ରମାର (ହେରିଟେଜ୍‌ ୱାକିଂ ଜୋନ)ମାନ୍ୟତା ମିଳିବ । ବଡ଼ଦାଣ୍ଡ ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଏ ଯାତ୍ରୀ ପରିବହନ ସେବାରେ କେବଳ ବ୍ୟାଟେରିଚାଳିତ ଅଟୋ ଚଳାଚଳ କରିବ । ଏଥିପାଇଁ ପୁରୀ ବଡ଼ ମେଡିକାଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।

ସମୁଦ୍ର ଉପକୂଳ ବିକାଶ ସଂପର୍କରେ ସୂଚନା ମିଳିଛି ପୁରୀ ଦିଗବାରେଣୀ ଛକଠାରୁ ସ୍ୱର୍ଗଦ୍ୱାର ଯାଏ ବେଳାଭୂମିର ବିକାଶ କରାଯିବ । ଏହି ବେଳାଭୂମି ମାର୍ଗକୁ ଓସାର କରାଯିବ । ବେଳାଭୂମି ମାର୍ଗରେ ବ୍ୟାଟେରୀ ଚାଳିତ ଅଟୋ ତଥା ଅନ୍ୟ ବିକଳ୍ପ ଯାତ୍ରୀ ପରିବହନ ବ୍ୟତୀତ ଚାଲାପଥ ରହିବ । ଏହିରାସ୍ତାରେ ଭେଣ୍ଡିଂ ଜୋନ ବି ରହିବ । ଉତ୍ତର ପ୍ରଦେଶର ବାରଣାସୀ ସହର ଭଳି ପୁରୀ ସହରର ଚିତ୍ରକୁ ବଦଳାଇବାକୁ ମେଗା ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ଅନୁଦାନର ଅଭାବ ରହିବ ନାହିଁ । ଏହି ମେଗା ପରିକଳ୍ପନା ଉପରେ ଆସନ୍ତାକାଲି ଭୁବନେଶ୍ୱରରେ ହେଉଥିବା ଉଚ୍ଚସ୍ତରୀୟ କମିଟି ଆଲୋଚନା କରିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !