ବେଆଇନ ନର୍ସିଂହୋମ୍‌ ମାମଲା: ମାତ୍ର ୪ ସିଡିଏମ୍‌ଓଙ୍କ ସତ୍ୟପାଠ,୨୬ ଜିଲ୍ଲା ଦାଖଲ କଲେନି ରିପୋର୍ଟ

କଟକ ୧୧/୯ : ରାଜ୍ୟର ବିଭିନ୍ନ ଜିଲ୍ଲାରେ କେତେ ନର୍ସିଂହୋମ୍‌ ଅଛି, ଏଥିରୁ କେତେ ବେଆଇନ ଭାବେ ଚାଲିଛି, ପିସି ଏବଂ ପିଏନ୍‌ଡିଟି ଆକ୍ଟ ଅନୁଯାୟୀ କେତୋଟି କ୍ଲିନିକ୍‌ ଚାଲିଛି ଏବଂ ମେଡିକାଲ ଟର୍ମିନେସନ୍‌ ଅଫ୍‌ ଆକ୍ଟ ଅନୁଯାୟୀ କେତୋଟି ଏମ୍‌ଟିପି କ୍ଲିନିକ ଚାଲିଛି, ସେ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୩୦ଟି ଜିଲ୍ଲାରୁ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ହାଇକୋର୍ଟରେ କୌଣସି ଜବାବ ଦାଖଲ କରିନାହାନ୍ତି । କେବଳ ଚାରୋଟି ଜିଲ୍ଲା କଟକ, ଯାଜପୁର, କଳାହାଣ୍ଡି ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସିଡିଏମ୍‌ଓ ସତ୍ୟପାଠ ଦାଖଲ କରି ଏହିସବୁ ଜିଲ୍ଲାରେ ଚାଲିଥିବା କ୍ଲିନିକ୍‌ର ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ଦୀର୍ଘ ବର୍ଷ ଧରି ଅଦାଲତଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଜବାବ ଦାଖଲ କରାନଯିବାରୁ ହାଇକୋର୍ଟ ପୂର୍ବ ଥର ଶୁଣାଣିରେ ରାଜ୍ୟ ସରକାରଙ୍କୁ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । କିନ୍ତୁ ଜରିମାନାରେ ଦଣ୍ଡିତ ହେବା ସତ୍ତେ୍ୱ ଆହୁରି ୨୬ଟି ଜିଲ୍ଲା ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ସତ୍ୟପାଠ ଦାଖଲ କରିନାହାନ୍ତି ।

ରାଜ୍ୟରେ ବେଆଇନ ନର୍ସିଂହୋମ୍‌ ଚାଲିଥିବାବେଳେ ଏସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଓଡ଼ିଶା ଉପଭୋକ୍ତା ସଂଘ ହାଇକୋର୍ଟରେ ମାମଲା ରୁଜୁ କରିଥିଲା । ୨୦୦୭ ସେପ୍ଟେମ୍ବର ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ରାଜ୍ୟରେ ୧୧୬୯ଟି ଅଣପଞ୍ଜିକୃତ ନର୍ସିଂହୋମ୍‌ ଚାଲିଛି । ଏଥିସହ ରାଜ୍ୟ ସରକାର ଆହୁରି କହିଥିଲେ ଯେ, ଖୁବ୍‌ଶୀଘ୍ର ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଷ୍ଟମେଣ୍ଟ ଆକ୍ଟ ଲାଗୁ ହେବ । ଏହି ନିୟମ ଲାଗୁହେଲେ ଅଣ ପଞ୍ଜିକୃତ ନର୍ସିଂହୋମ୍‌ ବିରୋଧରେ ଅଙ୍କୁଶ ଲଗାଯାଇ ପାରିବ ।

ଏଥିସହ ପ୍ରତ୍ୟେକ ଜିଲ୍ଲାରେ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଥିବା କୁହାଯାଇଥିଲା । ଏହି ସମୟରେ ହାଇକୋର୍ଟ ରାଜ୍ୟରେ ପିଏନ୍‌ଡିଟି ଆକ୍ଟ କିପରି କାର୍ଯ୍ୟ କରୁଛି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ଆଦେଶ ଦେଇଥିଲେ । କିନ୍ତୁ ସେବେଠାରୁ ରାଜ୍ୟ ସରକାର ଏ ନେଇ କୌଣସି ଜବାବ ରଖିନଥିଲେ । ପୂର୍ବ ଥର ଶୁଣାଣିରେ ଏହି ମାମଲାରେ ହାଇକୋର୍ଟ ପ୍ରତ୍ୟେକ ଜିଲ୍ଲା ସିଡିଏମ୍‌ଓଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଯାଜପୁର ଜିଲ୍ଲା ସିଡିଏମ୍‌ଓ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଜିଲ୍ଲାରେ ୨୯ଟି ପଞ୍ଜୀକୃତ କ୍ଲିନିକ୍‌ ରହିଛି । ୩ଟି କ୍ଲିନିକ୍‌ ପଞ୍ଜୀକୃତ ହୋଇନଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି । ସେହିପରି ଜିଲ୍ଲାରେ ୨୯ଟି ଅଲଟ୍ରାସାଉଣ୍ଡ ୟୁନିଟ୍‌ ଥିଲାବେଳେ ୩ଟି ଅଲଟ୍ରାସାଉଣ୍ଡ ୟୁନିଟ୍‌କୁ ବାତିଲ୍‌ କରାଯାଇଛି । ଜିଲ୍ଲାରେ ୩୦ଟି ପିସି ଏବଂ ପିଏନ୍‌ଡିଟି ୟୁନିଟ୍‌ ରହିଛି । ୨୦୦୮ରୁ ୨୦୧୯ ମଧ୍ୟରେ ଏସବୁର ଯାଞ୍ଚ କରାଯାଇଥିଲା ବେଳେ ୧୩ଟି ୟୁନିଟ୍‌ କାର୍ଯ୍ୟକ୍ଷମ ଥିବା ଜଣାପଡିଛି । ୧୩ଟି ଏମ୍‌ଟିପି ସେଣ୍ଟର ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ୭୪ଟି କ୍ଲିନିକ୍‌ ରହିଛି । ଏଥିମଧ୍ୟରୁ ୩୦ଟି କ୍ଲିନିକ୍‌ ପଞ୍ଜୀକୃତ ହୋଇଥିଲାବେଳେ ୪୪ଟି ଅଣପଞ୍ଜୀକୃତ କ୍ଲିନିକ୍‌ ରହିଛି । ଜିଲ୍ଲାରେ ୧୩ଟି ଅଲଟ୍ରାସାଉଣ୍ଡ ୟୁନିଟ୍‌ ଥିଲାବେଳେ ଏଥିରୁ ୨ଟିକୁ ଜବତ କରାଯାଇଛି । ଜିଲ୍ଲାରେ ଗୋଟିଏ ଏମ୍‌ଟିପି ୟୁନିଟ୍‌ ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ୨୦ଟି କ୍ଲିନିକ୍‌ ଥିଲାବେଳେ ଏଥିରୁ ୯ଟି କ୍ଲିନିକ୍‌ ଅଣପଞ୍ଜୀକୃତ ରହିଛି । ଜିଲ୍ଲାରେ ୭ଟି ପିସି ଏବଂ ପିଏନ୍‌ଡିଟି ୟୁନିଟ୍‌ ରହିଥିଲାବେଳେ ୫ଟି ୟୁନିଟ୍‌ କାର୍ଯ୍ୟ କରୁଛି । ୨ଟି ୟୁନିଟ୍‌ ବନ୍ଦ ରହିଛି । ୭ଟି ଏମ୍‌ଟିପି ସେଣ୍ଟର ରହିଛି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ଅରୁଣ କୁମାର ସାହୁ, ଦେବୀପ୍ରସାଦ ମହାପାତ୍ର, ବିରଜା ବଳ ପ୍ରମୁଖ ପରିଚାଳନା କରୁଥିଲେ ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’